କରୋନା ନେଲାଣି ୨୧ କୋଭିଡ୍ ଯୋଦ୍ଧାଙ୍କ ଜୀବନ; ମୃତ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ୧୦ ଶିକ୍ଷକ

୧୦୨୯ ଜଣ ଯୋଦ୍ଧା ସଂକ୍ରମିତ

ବ୍ରହ୍ମପୁର (ପ୍ରଦୀପ କିଶୋର ସାହୁ) : ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣ ଶିଖର ଛୁଇଁଛି । କରୋନା ମୁକାବିଲାରେ ନିୟୋଜିତ କୋଭିଡ଼୍ ଯୋଦ୍ଧାମାନେ ବି ମହାମାରୀ କବଳରୁ ବାଦ ପଡ଼ିନାହାନ୍ତି । ଜିଲ୍ଲାରେ ଇତିମଧ୍ୟରେ ୨୧ ଜଣ କୋଭିଡ଼୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିଲାଣି । ୧୦୨୯ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହେଲେଣି । ସେଥିମଧ୍ୟରୁ ଅର୍ଦ୍ଧାଧିକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହି କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିକ୍ଷକଶିକ୍ଷୟିତ୍ରୀ, ପୌର କର୍ମଚାରୀ, ସାମ୍ବାଦିକ ଓ ଅନ୍ୟାନ ସରକାରୀ କର୍ମଚାରୀ ରହିଛନ୍ତି । ମୃତ କୋଭିଡ଼୍ ଯୋଦ୍ଧା (ସରକାରୀ କର୍ମଚାରୀ)ଙ୍କ ବୀମା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କାରୋନା ମୁକାବିଲାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ପୁଲିସ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ବିଭିନ୍ନ ବିଭାଗୀୟ ସରକାରୀ କର୍ମଚାରି, ସରପଂଚ ଓ ସାମ୍ବାଦିକ ପ୍ରମୁଖ ସାମିଲ ହୋଇଛନ୍ତି । ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ମାନେ ପ୍ରବାସୀଙ୍କ ଆଗମନ ବେଳେ ରେଳ ଷ୍ଟେସନରେ ସହଯୋଗ,ସଙ୍ଗରୋଧ କେନ୍ଦ୍ର ପରିଚାଳନା, ଘର ଘର ବୁଲି ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମରେ ଶିକ୍ଷକଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି ଓ ଆଶାକର୍ମୀ ମାନେ ନିୟୋଜିତ ରହିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସଂକ୍ରମିତଙ୍କ ଚିକିତ୍ସା ରେ ନିୟୋଜିତ ଅଛନ୍ତି । କୌଣସି ନା କୌଣସି କାରଣରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଜିଲ୍ଲାର ଶିକ୍ଷକମାନେ ବେଶୀ ପ୍ରଭାବିତ ହୋଇଛନ୍ତି । ଇତି ମଧ୍ୟରେ କରୋନାରେ ଜିଲ୍ଳାର ସମୁଦାୟ ୨୧ଜଣ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ୧୦ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି ।

ଜିଲ୍ଲାରେ ମୃତ ବରଣ କରିଥିବା କୋଭିଡ଼୍ ଯୋଦ୍ଧାମାନେ ହେଲେ କବିସୂର୍ଯ୍ୟନଗର ଗଦାଧର ବିଦ୍ୟାପୀଠର ଶିକ୍ଷକ ଡି.ରାମେଶ୍ୱର ଆଚାରୀ, ଆସିକା କେ.ରାଇସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ, କବିସୂର୍ଯ୍ୟନଗର ଏସ୍.ପଙ୍କଳବାଡ଼ି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀମାଂଚଳ ଶତପଥୀ, ଆସିକା ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୌରହରୀ ବେହେରା, ଦିଗପହଣ୍ଡି କେ.ସାମାନ୍ତରାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଂଶୀଧର ବେହେରା, କବିସୂର୍ଯ୍ୟନଗର ସିଆଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, କୁକୁଡ଼ାଖଣ୍ଡି ଡେଙ୍ଗାପଦର ଇନ୍ଦିରା ଆବାସ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ପୁରୁଷୋତମପୁର କନକା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଟି.ବିଜୟ ଲକ୍ଷ୍ମୀ, ପୁରୁଷୋତମପୁର ବ୍ଲକ ଭୂତ ସଂରସଙ୍ଗୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ସୋରଡ଼ା ବ୍ଲକ ସରବାଡୀ ହାଇସ୍କୁଲର ସଂସ୍କୃତ ପଣ୍ଡିତ ଭାସ୍କର ସାହୁ, ବୁଗୁଡ଼ା ବ୍ଲକ ଖୋଳାଖୋଳି-୨ ଅଙ୍ଗନାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଭାରତୀ ସ୍ୱାଇଁ, ଧରାକୋଟ ବ୍ଲକ କନିଷ୍ଠ ଯନ୍ତ୍ରୀ ପି.ସୁରେଶ କୁମାର ସ୍ୱାଇଁ, ଆସିକା ଥାନାର କନଷ୍ଟେବଳ ଗୋଲକ ନାୟକ, ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସୁୁପରଭାଇଜର କେ.ଅଶାନ୍ତ ପାତ୍ର, ବ୍ରହ୍ମପୁର ମହାନଗର ନିଗମର ମୁଖ୍ୟ ସହାୟକ ଉପେନ୍ଦ୍ର ମାଝି, ବ୍ରହ୍ମପୁର ମହାନଗର ନିଗମର ସହକାରୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକ , ଦିଗପହଣ୍ଡି ଥାନାର ଗୃହ ରକ୍ଷୀ ଏସ୍.ଆର.ନରସିଂହ ଦାସ, ଭଞ୍ଜନଗର କୋର୍ଟର ଏଏସ୍ଆଇ ରବୀନ୍ଦ୍ର ନାଥ ବେହେରାର, ହିଞ୍ଜଳିକାଟୁର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ବୁଗୁଡ଼ା ଅଂଚଳର ସାମ୍ବାଦିକ ସୀମାଂଚଳ ପାଢୀ ରହିଛନ୍ତି । ଗତଦୁଇ ଦିନ ତଳେ ହିଞ୍ଜିଳି ପୌରସଂସ୍ଥାର ଜଣେ କର୍ମଚାରୀଙ୍କ ମୃତୁ୍ୟ ଘଟିଥିବା ବେଳେ ତାଙ୍କ କରୋନା ରିପୋର୍ଟ ଆସିନାହିଁ । ଉକ୍ତ କର୍ମଚାରୀ ଜଣକ ସଙ୍ଗରୋଧ କେନ୍ଦ୍ର ଡିୟୁଟି କରିଥିଲେ ।

ଏହି ପରି ଜିଲ୍ଲାର ୨୧ଜଣ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ ଗଲାଣି । ଆଉ ଜିଲ୍ଳାରେ ୧୦୨୯ ଜଣ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ଅର୍ଦ୍ଧାଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ମୁକାବିଲା ରହି ମୃତ୍ୟୁ ବରଣ କରୁଥିବା ସରକାରୀ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାର ୫୦ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି । ସାମ୍ବାଦିକଙ୍କୁ ମଧ୍ୟ କୋଭିଡ଼୍ ଯୋଦ୍ଧା ଘୋଷଣା କରିଛନ୍ତି ଏଥିସହ ୧୫ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିଛନ୍ତି । ମୃତ କୋଭିଡ଼୍ ଯୋଦ୍ଧା (ସରକାରୀ କର୍ମଚାରୀ)ଙ୍କ ବୀମା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଆରମ୍ଭ ହୋଇଛି । ମୃତ କୋଭିଡ଼୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିବାର ୨୪ଘଂଟା ମଧ୍ୟରେ ତାଙ୍କର ବୀମା ଲାଗି ଆନୁସଙ୍ଗିକ କାଗଜପତ୍ର ଦାଖଲ କରିବାକୁ ଜିଲ୍ଲାପାଳ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ଶେଷକୃତ୍ୟ ବେଳେ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଳାରେ ଶିକ୍ଷକ ବେଶୀମାତ୍ର ପ୍ରଭାବିତ ହୋଇଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି ଯେ, ଜିଲ୍ଲାର ପ୍ରାୟତଃ ସମସ୍ତ ଶିକ୍ଷକମାନେ କରୋନା ଡିୟୁଟି କରିଛନ୍ତି । ମୃତ ୧୦ଜଣଙ୍କ ମଧ୍ୟରେ ଜଣେ ଜୁନିୟର ଶିକ୍ଷକ ଓ ଅନ୍ୟମାନେ ରେଗୁଲାର ଶିକ୍ଷକ । ୪୦ରୁ ୫୦ ବର୍ଷ ବର୍ଗର ୬ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ବାକି ୪ ଜଣ ୫୦ରୁ ବର୍ଷରୁ ଅଧିକ । ଏଥିମଧ୍ୟରୁ ଜଣଙ୍କର ଚଳିତ ମାସରେ ଅବସର ରହିଥିଲା । ମୃତକ ଶିକ୍ଷକମାନେ କିଭଳି ବୀମା ଅର୍ଥ ପାଇବେ ସେଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ୫ଜଣ ଶିକ୍ଷକଙ୍କ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର