ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ପଏଁର ଗାଁର ୨୧ ଜଣ ଦାଦନ ଶ୍ରମିକ ତେଲେଙ୍ଗାନାରେ ବନ୍ଧକ ଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସୋମବାର ସେମାନଙ୍କ ପରିବାର ଲୋକେ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଗୁହାରି କରିଛନ୍ତି।

Advertisment

ସେମାନଙ୍କ ସୂଚନା ଅନୁସାରେ, ୩ ମାସ ତଳେ ପଏଁର ଗାଁର ୪ଟି ପରିବାରର ୨୧ ଜଣ ସଦସ୍ୟ ଦାଦନ ଖଟିବାକୁ ବଲାଙ୍ଗୀର ଜିଲ୍ଲା କାଣ୍ଟାବାଂଜି ସହର ଚନ୍ଦନ ତାଣ୍ତିଙ୍କ ଜରିଆରେ ତେଲେଙ୍ଗାନା ରାଜ୍ୟ ମହବୁବନଗର ଜିଲ୍ଲା ଫାରୁକନଗର ବ୍ଲକ୍‌ କିଷନନଗର ଗାଁର ଓଟାୟା ନାୟକଙ୍କ ଏନ୍‌ଏଚ୍‌ଏନ୍‌ ଇଟାଭାଟିକୁ ଯାଇଥିଲେ। ସେଠାରେ ଦୁଇ ମାସ କାମ କରିବା ପରେ ଭାଟି ମାଲିକ ନିର୍ଯାତନା ଦେବା ଆରମ୍ଭ କରିଥିଲା। ଶ୍ରମିକମାନଙ୍କ ମୋବାଇଲ ଫୋନକୁ ବି ଛଡ଼ାଇ ନେଇଛି। ଏବେ ଜୀବନ ଭୟରେ ଶ୍ରମିକମାନେ ଦିନ ଓ ରାତି କାମ କରୁଛନ୍ତି। ଅସୁରକ୍ଷିତ ଭାବେ ବନ୍ଧକ ରହି ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।

ସୋମବାର ମଧ୍ୟାହ୍ନରେ ସେମାନଙ୍କ ପରିବାର ଲୋକେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସୟଙ୍କୁ ପରିବାର ଲୋକେ ଭେଟି ବନ୍ଧକ ଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ସୂଚନା ମିଳିଛି।