ରେଡ୍‌ ଜୋନ୍‌ରେ ୨୧ ଜିଲ୍ଲା, ଦିନକରେ ୮୨୧୬ ପଜିଟିଭ୍, ୧୫ ମୃତ

ଏବେ ଆନ୍ଧ୍ର ଭୂତାଣୁକୁ ଡର, ୬ ସୀମାନ୍ତ ଜିଲ୍ଲା ପାଇଁ ସତର୍କତା ଜାରି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଅପରିବର୍ତିତ ରହିଛି। ଗତ ୬ଦିନ ହେବ ଦୈନିକ ସଂକ୍ରମଣ ୮ହଜାର ଉପରେ ରହିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଭୂତାଣୁ ସେମାନଙ୍କ କାୟା ମେଲାଇବା ଆରମ୍ଭ କଲେଣି। ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟର ୨୧ଟି ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇସାରିଲାଣି। ଏସବୁ ଜିଲ୍ଲାରେ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଆଉ କିଛି ଜିଲ୍ଲା ରେଡ୍ ଜୋନ୍‌ରେ ସାମିଲ ହେବାର ସ୍ଥିତି ଉପୁଜିଲାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୯୦ ପ୍ରତିଶତ ରୋଗୀ ଘରେ ଚିକିତ୍ସିତ ହେଉଥିବା ନେଇ ଦାବି କରାଯାଉଛି। ମାତ୍ର ଦିନକୁ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ଯୋଗୁଁ କୋଭିଡ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହେବାକୁ ଆରମ୍ଭ କରିଛି। ଆଗକୁ କରୋନା ସ୍ଥିତି ବିଗିଡ଼ିବା ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ରହିବାକୁ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି।

ରାଜ୍ୟରେ ଏବେ ୬୭,୩୮୪ ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାକି ଚଳିତବର୍ଷର ସର୍ବାଧିକ କରୋନା ମୃତ୍ୟୁ। ଏଥିରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୫ଜଣ ରହିଥିବା ବେଳେ ରାୟଗଡ଼ା ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ୨ ଲେଖାଏ, ସୋନପୁର, ପୁରୀ ଓ କଟକରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲା ସଂକ୍ରମଣ ସଂପୂର୍ଣ୍ଣ ହଟସ୍ପଟ୍ ପାଲଟିଛି। ଲଗାତାର ସପ୍ତାହରୁ ଅଧିକ ସମୟ ଧରି ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାର ଉପରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୨୭୧ଜଣ କେବଳ ଖୋର୍ଧା ଜିଲ୍ଲାରୁ ରହିଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୬ହଜାର ଟପି ଯାଇଛି।

ସଂକ୍ରମଣରେ ଖୋର୍ଧା ଜିଲ୍ଲାର ପଛକୁ ରହିଛି ସୁନ୍ଦରଗଡ଼। ଏଠାରୁ ୬୩୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୪୪୭, ପୁରୀ ୪୦୨, ଅନୁଗୁଳ ୩୯୪, ସମ୍ବଲପୁର ୩୮୫, ବରଗଡ଼ ୩୭୫, ଯାଜପୁର ୩୪୭, ନବରଙ୍ଗପୁର ୩୧୯, ଝାସୁଗୁଡ଼ଶ ୩୧୬, ବଲାଙ୍ଗୀର ୩୦୫, ବାଲେଶ୍ବର ୩୦୨ ଓ ଷ୍ଟେଟ୍ ପୁଲରୁ ୨୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୭୯ହଜାର ୭୫୨କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩ହାଜର ୬୮୨ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଏଥିରେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୧୮.୮ ପ୍ରତିଶତ ରହିଛି। ରାଜ୍ୟରେ କୋଭିଡ ନମୁନା ପରୀକ୍ଷାରେ କୌଣସି ସ୍ଥିରତା ଆସିନାହିଁ। କେତେବେଳେ ୪୭ହଜାର ପରୀକ୍ଷା ହେଉଛି ତ ଆଉ କେଉଦିନ ୪୨/୪୩ ହଜାର। ମାତ୍ର ଗୋଟିଏ ମାସ ହେବ ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ପାଇଁ ରାଜ୍ୟର ସାମଗ୍ରିକ ଟିପିଆର ୪.୬୭କୁ ବୃଦ୍ଧି ପାଇଛି। ଠିକ୍ ମାସେ ତଳେ ୩ ପ୍ରତିଶତ ରହିଥିଲା। ସେହିପରି ଆଜି ରାଜ୍ୟରେ ୬୧୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୧୦ହଜାର ୨୨୭ରେ ପହଞ୍ଚିଛି।

ଭୁବନେଶ୍ବର : ପଶ୍ଚିମବଙ୍ଗର ଟ୍ରିପଲ୍‌ ମ୍ୟୁଟାଣ୍ଟ୍‌ ଭୂତାଣୁ ଯୋଗୁ ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ସରକାର କହିଥିଲେ। ଏ ନେଇ ସତର୍କ ବି କରାଇଥିଲେ। ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ ଦେଖାଦେଇଥିବା କୋଭିଡ-୧୯ ଭୂତାଣୁ ଅତି ଭୟଙ୍କର। ଏହାକୁ ନେଇ ରାଜ୍ୟ ସରକାର ଆହୁରି ଚିନ୍ତାରେ ପଡ଼ିଗଲେଣି। ପରିସ୍ଥିତି ନିୟନ୍ତ୍ରଣ ବାହାରିକୁ ଯେପରି ନ ଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଭୟ ରାଜ୍ୟକୁ ଲାଗିଥିବା ଓଡ଼ିଶାର ୬ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବର୍ଡ଼ର ଚେକିଂ ପଏଣ୍ଟ୍‌ରେ ଲୋକଙ୍କ ଯିବା ଆସିବା ଉପରେ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ଏହି ଦୁଇଟି ରାଜ୍ୟରୁ ଆସୁଥିବା ଲୋକ କ୍ଲଷ୍ଟର୍‌ ଟିଏମ୍‌ସି କେନ୍ଦ୍ରରେ ୧୪ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି।

ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ଜାତୀୟ ରାଜପଥରେ ଏହି ଉଭୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସୀମା ତନଖି ଫାଟକ ବା ବର୍ଡ଼ ଚେକିଂ ପଏଣ୍ଟ୍‌ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରାଯିବ। ଏହି ନିର୍ଦ୍ଦେଶକୁ ତତ୍କାଳ ଲାଗୁ କରିବାକୁ କୁହାଯାଇଛି।

ଉଭୟ ରାଜ୍ୟକୁ ଲାଗିଥିବା ଏହି ୬ଟି
ସୀମାନ୍ତ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଯେପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି ରାଜ୍ୟ ଭିତରକୁ ପଶି ନ ଆସିବେ ସେଥିପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୌଣସି ବ୍ୟକ୍ତି ଯଦି ବସ୍‌, ଟ୍ରେନ୍‌ କିମ୍ବା ସ୍ବତନ୍ତ୍ର ଗାଡ଼ିରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଆସନ୍ତି ତାହେଲେ ସେହି ବ୍ୟକ୍ତି ଗ୍ରାମାଞ୍ଚଳରେ ବିଡିଓ କିମ୍ବା ସହରାଞ୍ଚଳ ସଂପ୍ରସାରଣ ଅଧିକାରୀଙ୍କ ଦ୍ବାରା ପରିଚାଳିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି)ରେ ୧୪ ଦିନ ପାଇଁ ଏକାନ୍ତବାସରେ ରହିବେ। ଏଥିପାଇଁ କ୍ଲଷ୍ଟର୍‌ ଟିଏମ୍‌ସି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବେ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଯଦି କୌଣସି ବ୍ୟକ୍ତି ଓଡ଼ିଶା ବାଟ ଦେଇ ଗାଡ଼ିରେ ଅନ୍ୟ ରାଜ୍ୟକୁ ଯିବାକୁ ଚାହାଁନ୍ତି ତାହେଲେ ତାଙ୍କ ଗାଡ଼ି ଯେପରି ଓଡ଼ିଶା ଅଞ୍ଚଳରେ ନ ରୁହେ, ସେ ନେଇ ତନଖି ଫାଟକରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଗିଦ କରାଯିବ। ସେମାନେ ଯେପରି ଓଡ଼ିଶାର କୌଣସି ଅଞ୍ଚଳ ଭିତରେ ଓହ୍ଲାଇ ଚଳପ୍ରଚଳ ନ କରିବେ, ସେଥିପାଇଁ ପୁଲିସ ଓ ପ୍ରଶାସନ ସଜାଗ ରହିବେ। ଏହି ଉଭୟ ରାଜ୍ୟରୁ ଆସୁଥିବା କୌଣସି ବ୍ୟକ୍ତି ଯଦି ଏକାନ୍ତବାସରେ ନ ରହି ଏଣେତେଣେ ବୁଲୁଥିବା ନେଇ ନଜରକୁ ଆସନ୍ତି ତାହେଲେ ତାଙ୍କ ବିଷୟରେ ବିଡିଓ, ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ଖବର ଦେବାକୁ ସରପଞ୍ଚ, ଓ୍ବାର୍ଡ଼ ମେମ୍ବର ଓ ପଞ୍ଚାୟତ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ବିମାନବନ୍ଦର, ଝାରସୁଗୁଡ଼ା ବିମାନବନ୍ଦର ଓ ରେଳ ଷ୍ଟେସନରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ବ୍ୟକ୍ତିମାନେ ୧୪ ଦିନ ଏକାନ୍ତବାସରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସେମାନେ ସରକାରୀ ଟିଏମ୍‌ସି କେନ୍ଦ୍ର କିମ୍ବା ଭଡ଼ାରେ ଉପଲବ୍ଧ କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ରହିପାରିବେ।

ଏହି ଦୁଇ ରାଜ୍ୟରୁ ଆସୁଥିବା କୌଣସି ବ୍ୟକ୍ତି ଯଦି ତନଖି ଫାଟକରେ କୋଭିଡର ଦୁଇଟି ଡୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ପୂର୍ବରୁ ପରୀକ୍ଷା ହୋଇଥିବା ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ଦେଖାଇବେ ତାହେଲେ ସମ୍ପୃକ୍ତ ବ୍ୟକ୍ତି କୋଭିଡ ନିୟମ ଅନୁପାଳନ ପୂର୍ବକ ୭ ଦିନ ଗୃହ ସଙ୍ଗରୋଧରେ ରହିବେ। ଯଦି ତାଙ୍କର ଗୃହ ସଙ୍ଗରୋଧରେ ରହିବା ନେଇ ବ୍ୟବସ୍ଥା ନ ଥିବା ତାହେଲେ ସେ ସରକାରୀ କ୍ବାରାଣ୍ଟାଇନ୍‌ କେନ୍ଦ୍ର କିମ୍ବା ଭଡ଼ାରେ ଉପଲବ୍ଧ କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରାଯାଇଛି। ଅତି ଜରୁରୀ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ବାରା କିମ୍ବା କୌଣସି ଘରୋଇ ହସ୍ପିଟାଲ ଅନୁରୋଧରେ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ କାର୍ଯ୍ୟରେ କୌଣସି ବ୍ୟକ୍ତି ଯଦି ଏହି ଦୁଇ ରାଜ୍ୟରୁ ଓଡ଼ିଶା ଆସନ୍ତି ତାହେଲେ ତାଙ୍କ କ୍ଷେତ୍ରରେ ଏସବୁ କଟକଣା ଲାଗୁ ହେବ ନାହିଁ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି କୋଭିଡ ନିୟମ ଅନୁପାଳନ ପୂର୍ବକୁ ନିଜ କାର୍ଯ୍ୟରେ ସୀମିତ ରହିବେ। ଏଣେତେଣେ ବୁଲିପାରିବେ ନାହିଁ। ଯେହେତୁ ଏହି ଦୁଇ ରାଜ୍ୟର ଭୂତାଣୁ ଆହୁରି ମାରାତ୍ମକ ବୋଲି ପରିଲକ୍ଷିତ ହୋଇଛନ୍ତି ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଯାତ୍ରୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଇବା ପାଇଁ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲଂଘନ କରନ୍ତି,ତାହେଲେ ମହାମାରୀ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସତର୍କ କରାଇଦେଇଛନ୍ତି।

ସମ୍ବନ୍ଧିତ ଖବର