ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦେଶର ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା ପୂର୍ବରୁ ଜାରି ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟ ନାଁ ରହିଛି। ସେଥିରେ ଓଡ଼ିଶାର ଦୁଇଟି ଅଛି। ସେଗୁଡ଼ିକ ହେଲା, ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡ୍ର ପ୍ଲଟ ନମ୍ବର ୨୪୨ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡ୍ରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି। ଲଗାତାର ୫ ବର୍ଷ ପାଇଁ ୟୁଜିସି ପକ୍ଷରୁ ପ୍ରକାଶିତ ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଏହି ଦୁଇ ଶିକ୍ଷାନୁଷ୍ଠାନ ସ୍ଥାନ ପାଉଛନ୍ତି। ତା’ପରେ ବି ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି। ଏପରିକି ୨୦୨୦ ଓ ୨୦୨୧ରେ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ ପରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ଠିକଣାରେ ସେଭଳି କୌଣସି ବିଶ୍ବବିଦ୍ୟାଳୟ ନ ଥିବା କଥା ତଦନ୍ତ ଦେଳେ ସାମ୍ନାକୁ ଆସିଥିଲା। ତା’ପରେ ବି କାହିଁକି ଉକ୍ତ ଦୁଇ ଶିକ୍ଷାନୁଷ୍ଠାନ ବାରମ୍ବାର ୟୁଜିସି ତାଲିକାରେ ସ୍ଥାନ ପାଉଛି, ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସେଭଳି ବିଶ୍ବବିଦ୍ୟାଳୟ ନାହିଁ, ତାହାହେଲେ ୟୁଜିସି ତାଲିକାରୁ ବାଦ୍ ଦେଉନି କାହିଁକି? ରାଜ୍ୟ ସରକାର କାହିଁକି ପ୍ରତିବାଦ ଜଣାଉ ନାହାନ୍ତି?
ୟୁଜିସି ଆଇନ ୧୯୫୬ର ସେକ୍ସନ୍-୨୨ ଅନୁଯାୟୀ, କେନ୍ଦ୍ର, ରାଜ୍ୟ ଆଇନ ଓ ସେକ୍ସନ-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭର୍ସିଟି ହିଁ କେବଳ ଡିଗ୍ରି ପ୍ରଦାନ କରିପାରିବେ। ତେବେ ଦେଶର ୨୧ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି। ଏମାନଙ୍କର ଡିଗ୍ରି ସାର୍ଟିଫିକେଟ୍ ଦେବାର ଯୋଗ୍ୟତା ନାହିଁ। ତାଲିକାରେ ଦିଲ୍ଲୀର ସର୍ବାଧିକ ୮ଟି ଶିକ୍ଷାନୁଷ୍ଠାନ ରହିଛି। ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭର୍ସିଟି, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ବକର୍ମା ଓପନ୍ ୟୁନିଭର୍ସିଟି ଫର୍ ସେଲ୍ଫ ଏମ୍ପ୍ଲୟମେଣ୍ଟ, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ୍ ନେସନ୍ସ ୟୁନିଭରସିଟି, ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଣ୍ଡ ଫିଜିକାଲ ହେଲଥ୍ ସାଇନ୍ସ, ଭୋକେସନାଲ ୟୁନିଭରସିଟି ଓ ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ। ଉତ୍ତରପ୍ରଦେଶର ନ୍ୟାସନାଲ ୟୁନିଭର୍ସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭର୍ସିଟି (ଓପନ ୟୁନିଭର୍ସିଟି), ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ ଓ ଭାରତୀୟ ଶିକ୍ଷା ପରିଷଦ ତାଲିକାରେ ରହିଛି। ପଶ୍ଚିମବଙ୍ଗର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଓ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ, କର୍ଣ୍ଣାଟକର ବଡ଼ଗାନ୍ଭି ସରକାର ୱାର୍ଲଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, ମହାରାଷ୍ଟ୍ରର ରାଜା ଆରବିକ୍ ୟୁନିଭରସିଟି, କେରଳର ସେଣ୍ଟ ଜୋନ୍ସ ୟୁନିଭରସିଟି, ପୁଡୁଚେରିର ଶ୍ରୀ ବୋଧି ଏକାଡେମି ଅଫ୍ ହାୟର ଏଜୁକେସନ ଓ ଆନ୍ଧ୍ରପ୍ରଦେଶର ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଡିମ୍ଡ ୟୁନିଭରସିଟି ପ୍ରମୁଖ ନକଲି ବିଶ୍ୱବିଦ୍ୟାଳୟ ବୋଲି କୁହାଯାଇଛି। ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି।