୨୧ ଖାଦ୍ୟ ସୁରକ୍ଷା ପଦବି ଖାଲି : ଖାଦ୍ୟ ପଦାର୍ଥ ଯାଞ୍ଚରେ ସୃଷ୍ଟି ହେଉଛି ସମସ୍ୟା

ଭୁବନେଶ୍ବର : ରାଜ୍ୟରେ ୨୧ ଖାଦ୍ୟ ସୁରକ୍ଷା ପଦବି ଖାଲି ପଡ଼ିଛି। ଅର୍ଥ ବିଭାଗ ପଦବି ପୂରଣ ପାଇଁ ଅନୁମତି ଦେଇ ସାରିଥିଲେ ହେଁ ପଦବି ପୂରଣ ହୋଇପାରୁ ନାହିଁ। ଖାଦ୍ୟ ସୁରକ୍ଷା କମିସନ୍‌ ପକ୍ଷରୁ ସରକାରଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଦିନକୁ ଦିନ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ବଢ଼ି ଚାଲିଥିବା ବେଳେ ଏସବୁ ଯାଞ୍ଚ କରିବା କଷ୍ଟକର ହୋଇପଡ଼ୁଛି।

ସୂଚନା ଅନୁସାରେ, ରାଜ୍ୟରେ ସମୁଦାୟ ୩୮ଟି ଖାଦ୍ୟ ସୁରକ୍ଷା ପଦବି ରହିଛି। ମାତ୍ର ଅଧିକାଂଶ ଜିଲ୍ଲାରେ ଏହି ପଦ ଖାଲି ପଡ଼ିଛି। ରାଜଧାନୀ ସମେତ କଟକ ମ୍ୟୁନସିପାଲିଟି, କଟକ, ପୁରୀ ମ୍ୟୁନସିପାଲିଟି, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବ୍ରହ୍ମପୁର, ଗଞ୍ଜାମ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ମାଲକାନାଗିରି, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି। ନବରଙ୍ଗପୁର, ରାୟଗଡ଼ା ଓ ସୋନପୁର ଜିଲ୍ଲାରେ ଡାକ୍ତରଙ୍କୁ ସ୍ଥାନୀୟ ଖାଦ୍ୟ ସୁରକ୍ଷା ଅଧିକାରୀ ଭାବେ ଘୋଷଣା କରାଯାଇଛି। ଗୋଟିଏ ପଟେ ପଦବି ପୂରଣ ହୋଇପାରୁ ନ ଥିବା ବେଳେ କିଛି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅବସର ଗ୍ରହଣ କରିବା ପରିସ୍ଥିତିକୁ ଆହୁରି ଜଟଳି କରିଛି। ନିକଟରେ ‘ଫନି’ ଯୋଗୁଁ ପୁରୀ ଜିଲ୍ଲାରେ ଦୂଷିତ ପାଣି ଓ ଅପମିଶ୍ରିତ ଖାଦ୍ୟ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଥିଲା। ଅନ୍ୟ ଜିଲ୍ଲାରୁ ପୁରୀକୁ ଏକାଧିକ ଖାଦ୍ୟ ସୁରକ୍ଷା ଅଧିକାରୀ ପଠାଯାଇଥିଲେ ହେଁ, ପରିସ୍ଥିତି ନିୟନ୍ତ୍ରଣକୁ ଆସିପାରି ନ ଥିଲା। ଜିଲ୍ଲାରେ ଶତାଧିକ ଲୋକ ଝାଡ଼ାବାନ୍ତିର ଶିକାର ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ନିୟମିତ ରିପୋର୍ଟ ପ୍ରକାଶ ପାଉଛି।

ରାଜ୍ୟ ଖାଦ୍ୟ ସୁରକ୍ଷା ସେଲ୍ ବଡ଼ ହୋଟେଲ୍‌ଠାରୁ ଆରମ୍ଭ କରି ଛୋଟ ଦୋକାନ ଓ ଠେଲା ବ୍ୟବସାୟୀଙ୍କ ପଞ୍ଜୀକରଣ କରାଯାଉଛି। ଗୋଟିଏ ପଟେ ‌ପଞ୍ଜୀକୃତ ଦୋକାନୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନେ କେଉଁ ପରିସ୍ଥିତିରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହାର ଯାଞ୍ଚ କରିବା ପାଇଁ ଅଧିକାରୀ ପଦବି ଖାଲି ପଡ଼ିଛି। କେନ୍ଦ୍ରୀୟ ମାନଦଣ୍ଡ ଆଧାରରେ ରାଜ୍ୟରେ ଶହେରୁ ଅଧିକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଆବଶ୍ୟକତା ରହିଥିବା ବେଳେ ୧୫ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାରେ ବିଳମ୍ବ ହେଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ଅର୍ଥ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଗତବର୍ଷ ୧୫ଟି ପଦବି ପୂରଣ କରିବା ଲାଗି ମଞ୍ଜୁର ହୋଇଥିଲା। ଏହି ପଦବି ପୂରଣ ପାଇଁ ଓପିଏସ୍‌ସିକୁ କୁହାଯାଇଥିଲା। ହେଲେ ପଦବି ପୂରଣରେ ବିଳମ୍ବ ହୋଇଛି। ଅଧିକାରୀ ନିଯୁକ୍ତି ହେବା ପରେ ରାଜ୍ୟରେ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରାହକମାନଙ୍କୁ ପୋଡ଼ାତେଲ, ବାସି ଖାଦ୍ୟ ଓ ଅଧା ପଚା ପରିବାରେ ପ୍ରସ୍ତୁତ ଖାଦ୍ୟ ଦିଆଯାଉଛି। ବଡ଼ ହୋଟେଲ ଓ ରେସ୍ତୋରାଁରେ ଖାଦ୍ୟ ପ୍ରସ୍ତୁତି କରିବାର ଶୈଳୀ ଭିନ୍ନ ରହିଥିଲେ ହେଁ ଛୋଟ ହୋଟେଲ ଓ ଠେଲା ବ୍ୟବସାୟୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଠିକ୍‌ରେ ବାସନ ମଧ୍ୟ ସଫା କରାଯାଉ ନାହିଁ। କେତେକ ସ୍ଥାନରେ ଡ୍ରେନ୍‌ ଉପରେ ମଧ୍ୟ ହୋଟେଲ ଚାଲୁଥିବା ନଜରକୁ ଆସୁଛି। ରାଜଧାନୀରେ ପ୍ରତ୍ୟେକ ଦିନ ଶହ ଶହ ଲୋକ, ଦିନ ମଜୁରିଆମାନେ ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଖାଇବା ପାଇଁ ବାଧ୍ୟ ହେଉଛନ୍ତି। ଯଦିଓ ଖାଦ୍ୟ ସୁରକ୍ଷା ପକ୍ଷରୁ କାଁ ଭାଁ ଖାଦ୍ୟ ଓ ପରିବାର ନମୁନା ସଂଗ୍ରହ କରାଯାଉଛି, ତଥାପି, ସଂପୂର୍ଣ୍ଣ ରାଜ୍ୟ ପାଇଁ ଏହା ଯଥେଷ୍ଟ ହେଉନାହିଁ। ଅପରପକ୍ଷ‌ରେ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ତୁରନ୍ତ ଯାଞ୍ଚ ପାଇଁ ଫୁଡ୍‌ ସେଫ୍‌ଟି ମୋବାଇଲ ଭ୍ୟାନ୍ ରହିଛି। ରାଜ୍ୟ ପାଇଁ ଗୋଟିଏ ଭ୍ୟାନ୍ ରହିଥିବା ବେଳେ ସବୁ ସମୟରେ ଏଥିରେ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ତେଣୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆ ନ ଗଲେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟା ବାଧ୍ୟାପ୍ରାପ୍ତ ହେବା ସହିତ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର