ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌; ବର୍ତ୍ତିଗଲା ୩୫ ଜୀବନ ୨୫ ଆହତ, ୮ ଗୁରୁତର

ଓହ୍ଲାଇ ଯିବାକୁ ଯାତ୍ରୀଙ୍କ ଅନୁରୋଧ ଟାଳିଥିଲେ ଡ୍ରାଇଭର

ଫୁଲବାଣୀ/ଖଜୁରୀପଡ଼ା: ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଟିକାବାଲିରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସ୍‌ ଗାଡ଼ିଆପଡ଼ା ଘାଟି ଶେଷ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ବସିଥିବା ୩୫ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କୁ ଖଜୁରୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସଂକଟାପନ୍ନ ୬ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ଖଜୁରୀପଡ଼ା ଥାନା ଏସ୍‌ଆଇ ଉଦ୍ଧବ କୁମାର ଜାନି, ବିକାଶ କୁମାର ମଲ୍ଲିକ, ସମାଜସେବୀ ଅନନ୍ତ କୁମାର ଦିଗାଲ, ବିଷ୍ଣୁଚରଣ ବେହେରା ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ ମଧ୍ୟରୁ ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ପରେ ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ସେଠାରେ ପହଞ୍ଚିଥିଲେ।

 

ଆହତ ଯାତ୍ରୀଙ୍କ କହିବା ଅନୁଯାୟୀ ବସ୍‌ଟିର ବ୍ରେକ୍‌ ଭଲ ଭାବେ କାମ କରୁ ନଥିଲା। ଘାଟି ପାଖରେ ଯାତ୍ରୀମାନେ ଓହ୍ଲାଇ ପଡ଼ିବାକୁ କହିଥିଲେ। ହେଲେ ଡ୍ରାଇଭର କିଛି ହେବ ନାହିଁ, ବସନ୍ତୁ ବୋଲି ଭରସା ଦେଇ ବସ୍‌କୁ ଚଳାଇ ଥିଲେ। ଘାଟି ବୁଲାଣି ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ବସଟି ପଲଟି ଯାଇଥିଲା। ସୌଭାଗ୍ୟବଶତଃ ରାସ୍ତା ଉପରେ ବସଟି ପଲଟିବାରୁ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇ ଯାଇଥିଲା। ଘାଟି ତଳକୁ ବସ୍‌ଟି ଖସି ଥି‌ଲେ ନିଶ୍ଚିତ ବଡ଼ ଧରଣର ଅଘଟଣ ଘଟିଥାନ୍ତା। ୩୫ ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଗଲା। ଦୁର୍ଘଟଣାରେ ଗୁରୁତର ଆହତମାନେ ହେଲେ କଇଁଝରର ମହେନ୍ଦ୍ର ଦିଗାଲ, ରାଶିମେଣ୍ଡିର ବନିତା ଦିଗାଲ, କେରେଡିର ପରମାନନ୍ଦ ପ୍ରଧାନ, ଗଣ୍ଡଗାଁର ମୁକ୍ତେଶ୍ବର ଦିଗାଲ, କାଟିମହା ମେଧାବୀ ଦିଗାଲ, ଶଙ୍କରାଖୋଲର ତନୁଜ ଦିଗାଲ,ଦୁଡୁକିର ଦ୍ବିତୀକିଶୋର ଦିଗାଲ ଏବଂ କଲ୍ୟାଣୀ ଦିଗାଲ। ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ଏଆଇସିସି ସଭ୍ୟ ଘନକୁମାର ଶବରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭେଟି ସ୍ବାସ୍ଥ୍ୟ ଅବସ୍ଥା କଥା କଥା ପଚାରି ବୁଝିଥି‌ଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର