ମାଲ୍‌ଗାଡ଼ିକୁ ଧକ୍କା ଦେଲା ଲୋକମାନ୍ୟ : ୮ ବଗି ଲାଇନଚ୍ୟୁତ, ୨୧ ଆହତ, ନିର୍ଗୁଣ୍ଡି ଦେଇ ରେଳ ଚଳାଚଳ ବନ୍ଦ

ଷ୍ଟେସନ୍ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ

ଟାଙ୍ଗୀ/କଟକ : କଟକ ଜିଲ୍ଲା ଟାଙ୍ଗୀ ନିର୍ଗୁଣ୍ଡି ରେଳଷ୍ଟେସନ ନିକଟରେ ଆଜି ସକାଳୁ ସକାଳୁ ଘଟିଛି ରେଳ ଦୁର୍ଘଟଣା। ସର୍ଦ୍ଦୋଳା ନିକଟରେ ସକାଳ ପ୍ରାୟ ସାତଟା ବେଳେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ସେହି ଟ୍ରାକ୍‌ରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଛି। ଫଳରେ ଏକ୍ସପ୍ରେସ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଛି। ତେବେ ଘନ କୁହୁଡି ଯୋଗୁଁ ଟ୍ରେନ୍‌ ମନ୍ଥର ଗତିରେ ଯାଉଥିବାରୁ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ (ନଂ ୧୨୮୭୯) ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ବେଳେ ଟାଙ୍ଗୀସ୍ଥିତ କପିଳାସ ରୋଡ୍ ରେଳ ଷ୍ଟେସନ୍ ପାସ୍ କରିବା ପରେ ଘନ କୁହୁଡି ଯୋଗୁଁ ମନ୍ଥର ଗତିରେ ଯାଉଥିଲା। ସର୍ଦ୍ଦୋଳା ଗ୍ରାମ ନିକଟରେ ଟ୍ରାକ୍‌ ଉପରେ ଛିଡ଼ା ହୋଇରହିଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନ୍‌ ଟ୍ରାକ୍‌ରେ ଛିଡା ହୋଇଥିବା ବେଳେ କିପରି ସମାନ ଟ୍ରାକ୍‌ରେ ଏକ୍ସପ୍ରେସ୍‌କୁ ପାସ୍‌ କରିବା ପାଇଁ ସିଗ୍‌ନାଲ ଦିଆଗଲା, ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ସିଗ୍‌ନାଲ ଲାଇଟ୍‌ ଜଳି ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଘନ କୁହୁଡି ଯୋଗୁଁ ଲାଇଟ୍‌ ଦେଖା ଯାଇନଥିବା ମଧ୍ୟ କୁହାଯାଉଛି। ଦୁର୍ଘଟଣାର ତଦନ୍ତ ପାଇଁ ରେଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ଘଟଣା ପରେ ଏହି ରୁଟରେ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଅନ୍ୟପଟେ ୫ଟି ଟ୍ରେନ୍‌ର ଗତିପଥକୁ ନରାଜ ବାଟ ଦେଇ ପରିବର୍ତ୍ତନ କରାଯାଇଛି। ‌

ଖବର ପାଇ ଟାଙ୍ଗୀ- ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ଟାଙ୍ଗୀ- ଚୌଦ୍ଵାର ତହସିଲଦାର୍ ନିରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ରଂଜନ ବିଶ୍ବାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ।

କଟକ ବଡଡାକ୍ତରଖାନାରେ ନଗର ଉନ୍ନୟନ, ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ପହଞ୍ଚି ଆହତଙ୍କ ଚିକିତ୍ସା ସଂପର୍କରେ ତଦାରଖ କରିବା ସହ ସମସ୍ତ ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା କହିଥିଲେ। ଏହି ଦୁର୍ଘଟଣା ପାଇଁ ‌ମନ୍ତ୍ରୀ ରେଳବିଭାଗକୁ ଦାୟୀ କରିଥିଲେ। ଅନ୍ୟପଟେ ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆହତମାନଙ୍କ ଚିକିତ୍ସା ସଂପର୍କରେ ତଦାରଖ କରିବା ସହ ଆହତଙ୍କ ଚିକିତ୍ସା‌ ବ୍ୟବସ୍ଥା ଓ ଏସ୍‌ସିବିର ଭିତ୍ତିଭୂମିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ଏସ୍‌ସିବିରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିନ୍ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ, ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ପ୍ରମୁଖ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ।

ଷ୍ଟେସନ୍ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ
ଭୁବନେଶ୍ବର : ନିଗୁଣ୍ଡି ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ୪ ଜଣଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିର୍ଗୁଣ୍ଡି ରେଳ ଷ୍ଟେସନର ଡ୍ୟୁଟି ମ୍ୟାନେଜରଙ୍କ ସମେତ ମାଲବାହୀ ଟ୍ରେନ୍‌ର ଗାର୍ଡ, ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଓ ଆସିଷ୍ଟାଣ୍ଡ ଲୋକୋ ପାଇଲଟ୍‌ଙ୍କୁ ନିଳମ୍ବନ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ତେବେ ୧୧ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ୮ ଜଣ ଯାତ୍ରୀଙ୍କୁ ଆଶୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ଦୁର୍ଘଟଣାର କିଛି ସମୟ ମଧ୍ୟରେ ହେଲପ୍‌ ଲାଇନ୍‌ ନମ୍ବର ଜାରି ହୋଇଥିଲା। ସେଗୁଡ଼ିକ ହେଲା ୦୬୭୪-୧୦୭୨(କଟକ), ୦୬୭୪-୧୦୭୨, ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨(ଭୁବନେଶ୍ବର) ଓ ୦୬୭୫୨-୧୦୭୨(ପୁରୀ)। ରେଳବାଇ ପକ୍ଷରୁ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆସନ୍ତା ୧୮ ତାରିଖରେ କୋଲକାତାସ୍ଥିତ ଦକ୍ଷିଣ-ପୂର୍ବାଞ୍ଚଳ ସର୍କଲର ରେଲୱେ ସେଫ୍ଟି କମିସନର ଅଭୟ କୁମାର ରାୟ କଟକ ଗସ୍ତରେ ଆସିବେ। କଟକ ରେଲୱେ ଷ୍ଟେସନରେ ଥିବା ଅଫିସର୍ସ ରେଷ୍ଟ ହାଉସ୍‌ରେ ଦୁର୍ଘଟଣାର ତଦନ୍ତ କରି‌ବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର