ମହିଳା ଗୋଷ୍ଠୀଙ୍କୁ ଋଣଦେବା ନାଁରେ ୨୧ ଲକ୍ଷ ହଡ଼ପ ମାମଲା:ଫାଇନାନ୍ସ କମ୍ପାନିର ବିଏମ୍‌ ଓ କ୍ୟାସିୟର ଜେଲ୍‌ ଗଲେ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ନବୀନ ଛକଠାରେ ଥିବା ଭାରତ ଫାଇନାନ୍ସ ଲିମିଟେଡ଼ ସଇନ୍ତଳା ଶାଖାରୁ ମହିଳା ଗୋଷ୍ଠୀଙ୍କୁ ଋଣ ଦେବା ନାମରେ ୨୧ ଲକ୍ଷ ୧୪ ହଜାର ୮ଶହ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କମ୍ପାନିର ଶାଖା ପରିଚାଳକ ପୁଇଁତଲା ଥାନା ଗଇଁତଲା ଗ୍ରାମର ନିତେଶ ନାଗ (୩୬) ଓ କ୍ୟାସିୟର ପାଟଣାଗଡ଼ ଥାନା ଯୋଗୀମୁଣ୍ତା ଗ୍ରାମର ନରହରି ଥନାପତି (୨୪) ଜେଲ୍‌ ଯାଇଛନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ସଇନ୍ତଳା ନବୀନ ଛକଠାରେ ଭାରତ ଫାଇନାନ୍ସ କମ୍ପାନି ନିଜ କାର୍ଯ୍ୟାଳୟ ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଥିଲା। ଗତ ମାର୍ଚ୍ଚ ୧୩ ତାରିଖରେ ଶାଖାର ବିଏମ୍‌ ଶ୍ରୀ ନାଗ ସନ୍ଧ୍ୟା ୮ଘଣ୍ଟା ସମୟରେ ମେଡ଼ିକାଲ କାମ ଦର୍ଶାଇ ଛୁଟି ନେଇଥିଲେ। ଛୁଟି ନେବା ପରେ ଆଉ ଅଫିସକୁ ଆସିନଥିଲେ। ୟୁନିଟ ମ୍ୟାନେଜର ଧର୍ମେନ୍ଦ୍ର ବେହେରା ଖବର ପାଇ ଶ୍ରୀ ନାଗଙ୍କୁ ମୋବାଇଲ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ସୁଇଚ୍‌ଅଫ୍‌ କରିଦେଇଥିଲେ। ପରେ ଶ୍ରୀ ବେହେରା ଭବାନୀପାଟଣାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ସେଠାରୁ ଏକ ଟିମ୍‌ ଆସି ତଦନ୍ତ କରିବାରୁ ଲକରରୁ ୨ ଲକ୍ଷ ୪୦ ହଜାର ୮୮୩ ଟଙ୍କା ଗାୟବ ଥିବା ଜାଣିବାକୁ ପାଇଥିଲେ। ପରେ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟକୁ ଘଟଣା ବିଷୟରେ ଜଣାଇବାରୁ ଏକ ଅଡିଟ ଟିମ ଆସି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ୮୦ଟି ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଋଣଦେବା ନାମରେ ୧୮ଲକ୍ଷ ୭୩ ହଜାର ୯୨୪ଟଙ୍କା ଶ୍ରୀ ନାଗ ନିଜ ଆକାଉଣ୍ଟରେ ଜମା କରି ଆତ୍ମସାତ କରିଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାରେ ଉଭୟ ଶାଖା ପରିଚାଳକ ଶ୍ରୀ ନାଗ ଓ କ୍ୟାସିୟର ଶ୍ରୀ ଥନାପତିଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର