ଯୁବକଙ୍କଠାରୁ ୨୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଜଳେଶ୍ୱର: ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ ଧରାପଡ଼ିଲା। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସହର ଉପକଣ୍ଠ ଓଟି ରୋଡ୍‌ସ୍ଥିତ ଦେଉଳି ପଞ୍ଚୁଘଣ୍ଟା ନିକଟରେ ବ୍ରାଉନ୍‌ସୁଗାର କାରବାର ହେଉଥିବା ନେଇ ଜଳେଶ୍ୱର ଅବକାରୀ ସାଟେଲାଇଟ୍‌ ୟୁନିଟ୍‌କୁ ଗୋପନ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଏକ ୧୦ ଜଣିଆ ଟିମ୍‌ ଆଜି ପୂର୍ବାହ୍ନରେ ଗଣେଶ ଟକିଜ୍‌ ନିକଟ ପେଟ୍ରୋଲ୍‌ ପମ୍ପ୍‌ ପାଖରେ ସଜାଗ ଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟା ବେଳେ ଦେଉଳି ପଞ୍ଚୁଘଣ୍ଟା ଗ୍ରାମର ଉତ୍ତମ କୁମାର ମହାନ୍ତି (୩୭) ଓଆର୍‌-୦୧-ଜି-୫୮୭୩ ନମ୍ବରର ଏକ ବାଇକ୍‌ ଯୋଗେ ସେଠାରେ ପହଞ୍ଚିଥିଲେ।

ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଫଳରେ ଉତ୍ତମଙ୍କଠାରୁ ୨୧୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଯାହା ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ନେଇ ଜଳେଶ୍ବର ଅବକାରୀ ସାଟେଲାଇଟ୍‌ ଥାନାରେ କେସ୍ ନଂ ୫୪/୨୦୨୨-୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉତ୍ତମ ଗିରଫ ହୋଇଛନ୍ତି। ତେବେ ଉତ୍ତମ କେବେଠାରୁ ବ୍ରାଉନ୍‌ସୁଗାର ବେପାର ଆରମ୍ଭ କରିଥିଲେ, କେଉଁଠାରୁ ବ୍ରାଉନ୍‌ସୁଗାର ଆଣୁଥିଲେ ଏବଂ କେଉଁମାନଙ୍କୁ ଯୋଗାଉଥିଲେ; ସେ ସଂପର୍କରେ ଜାଣିବା ପାଇଁ ଅବକାରୀ ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର