ଆର୍ଥିକ ଦୁଃସ୍ଥିତିରେ ୪୯୩ ସ୍ବାସ୍ଥ୍ୟ କର୍ମୀ, ବିନା ଦରମାରେ ୨୧ ମାସ

ବାରିପଦା: ବିନା ଦରମାରେ ୨୧ ମାସ ହେଲା ଖଟୁଛନ୍ତି ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟ କର୍ମୀ। ବଡ଼ ମାନସିକ ଚିନ୍ତାରେ ଅଛନ୍ତି। ଏବେ କରୋନା ପରିସ୍ଥିତିରେ ସେମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଦୁଇ ବର୍ଷ ହେଲା ଦରମା ପାଇନଥିବା ୪୯୩ ସ୍ବାସ୍ଥ୍ୟକର୍ମୀଙ୍କ କଥା ଭୁଲିଯାଇଛନ୍ତି।

ଏହି ସ୍ବାସ୍ଥ୍ୟକର୍ମୀମାନେ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଏମାନେ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପନିଜ ଏନସେଫାଲାଇଟିସ ଭଳି ରୋଗର ମୁକାବିଲା କରୁଛନ୍ତି। ଏହାସହିତ ମମତା ଯୋଜନା ଓ ଟୀକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିଆସୁଛନ୍ତି। ସ୍ବାସ୍ଥ୍ୟ ସମ୍ବନ୍ଧିତ ରିପୋର୍ଟ ଏମାନେ ପ୍ରସ୍ତୁତ କରି ସରକାରଙ୍କୁ ଦିଅନ୍ତି। ଏତେ କାମ ଚାପ ଆଉ ଦରମା ନ ମିଳିବା ଏମାନଙ୍କ ସମସ୍ୟା ବଢ଼ାଇ ଦେଇଛି। ସରକାରୀ ରିପୋର୍ଟ ଅନୁସାରେ ରାଜ୍ୟର ସବୁଜିଲ୍ଲା ମ୍ୟାଲେରିଆ ପ୍ରବଣ। କିନ୍ତୁ ଏମାନଙ୍କ ଉଦ୍ୟମ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଗାମୀ ୧୦ ବର୍ଷ ଭିତରେ ରାଜ୍ୟକୁ ସମ୍ପୂର୍ଣ୍ଣ ମ୍ୟାଲେରିଆମୁକ୍ତ କରିବାକୁ ଲକ୍ଷ୍ୟ ରହିଛି। ହେଲେ ବିନା ଦରମାରେ କିପରି ଏ ଲକ୍ଷ୍ୟ ହାସଲ କରିହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ‌‌‌‌‌‌ଗତ ବର୍ଷ ଏ ଯୋଜନାରେ କାମକରୁଥିବା ସମସ୍ତ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ଷେ ପରେ ମଧ୍ୟ ଏ ସମ୍ପର୍କିତ କାମ ସରିନାହିଁ। ତଥ୍ୟ ଅନୁସାରେ ଅନୁଗୁଳରେ ୩୬, ବାଲେଶ୍ବରରେ ୧୩, ବରଗଡ଼ରେ ୨୦, ବଲାଙ୍ଗିରରେ ୧୦, ବୌଦ୍ଧରେ ୯, ଦେବଗଡ଼ରେ ୧୬, ଢେଙ୍କାନାଳରେ ୨୯, ଗଞ୍ଜାମରେ ୮, ଗଜପତିରେ ୧୬, ଝାରସୁଗୁଡ଼ାରେ ୧୫, କଳାହାଣ୍ଡିରେ ୩୨, କନ୍ଧମାଳରେ ୧୪, କେନ୍ଦୁଝରରେ ୪୪, କୋରାପୁଟରେ ୨୪, ମାଲକାନଗିରିରେ ୧୪, ମୟୂରଭଞ୍ଜରେ ୪୨, ନୂଆପଡ଼ାରେ ୪୦, ନୟାଗଡ଼ରେ ୧୮, ନବରଙ୍ଗପୁରରେ ୨୧, ରାୟଗଡ଼ାରେ ୧୫, ସମ୍ବଲପୁରରେ ୧୬, ସୋନପୁରରେ ୧୦ ଓ ସୁନ୍ଦରଗଡ଼ରେ ୩୧ ଜଣ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ କାମ କରୁଛନ୍ତି। ଏବେ ସେମାନଙ୍କୁ କରୋନା ମୁକାବିଲାରେ ନିୟୋଜିତ କରାଯାଇଛି। ତେଣୁ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀଙ୍କ ଭଳି ଏମାନଙ୍କୁ ୨୧ ମାସର ବକେୟା ଦରମା ସହ ଅଗ୍ରୀମ ୪ ମାସର ଦରମା ପ୍ରଦାନ କରିବାକୁ ଓଡ଼ିସା ରାଜ୍ୟ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟ କର୍ମୀ ସଂଘ ସାଧାରଣ ସମ୍ପାଦକ, ରବୀନ୍ଦ୍ରନାଥ ପ୍ରଧାନ, ପ୍ରଣୟ କୁମାର ସ୍ବାଇଁ, ଭାଗ୍ୟସାରଥି ପଣ୍ଡା, ଯୋଗେଶ ପରିଡ଼ା, ଦୀପକ କୁମାର ବେହେରା, ସୁରେନ୍ଦ୍ର କୁମାର ସେଠୀ ଓ ତାପସ ବାବୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର