ଦାଦନ ଶ୍ରମିକ ପ୍ରଭାବିତ ୪ ଜିଲ୍ଲାରେ ୨୧% କରିଛନ୍ତି ୧୦୦ ଦିନିଆ କାର୍ଯ୍ୟ

ଭୁବନେଶ୍ବର : ନୂଆଁଖାଇ ପରେ ରୋଜଗାର ପାଇଁ ପୁଣି ବାହାର ରାଜ୍ୟକୁ ବାହାରିଯିବେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଦାଦନ ଶ୍ରମିକ ପ୍ରଭାବିତ ୨୦ ବ୍ଲକର ପରିବାର। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ମାତ୍ର ୨୧ ପ୍ରତିଶତ ଶ୍ରମିକ ୧୦୦ ଦିନିଆ କାର୍ଯ୍ୟ କରିଥିବାରୁ ଶ୍ରମିକ ପଳାୟନ ଆଶଙ୍କା ଜଳଜଳ ଦେଖାଯାଉଛି। ଆସନ୍ତା ୪ ମାସ ମଧ୍ୟରେ ମନରେଗା ଅନ୍ତର୍ଗତରେ ଶ୍ରମିକଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ଠିକ ସମୟରେ ପ୍ରାପ୍ୟ ପ୍ରଦାନ କରାଗଲେ ବାଧ୍ୟବାଧକତାରେ ଯେଉଁ ଶ୍ରମିକ ବାହାରକୁ ଯାଉଛନ୍ତି ସେମାନଙ୍କୁ ରୋକାଯାଇ ପାରିବ ବୋଲି ସାମାଜିକ କର୍ମୀ ଉମି ଡାନିଏଲ ମତ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ ଦାରିଦ୍ର୍ୟ ଏଭଳି ଅଛି ଯେ ଗଣପର୍ବ ନୂଆଁଖାଇ ପାଳନ ପାଇଁ ମଧ୍ୟ ସ୍ଥାନୀୟ ଅଧିବାସୀଙ୍କୁ ମହାଜନ କିମ୍ବା ଦାଦନ ସର୍ଦାରଙ୍କ ଠାରୁ କରଜ କରିବାକୁ ପଡ଼େ। ତା’ ବଦଳରେ ନୂଆଁଖାଇ ପରେ ସେମାନେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଆଦି ଯିବାକୁ ବାଧ୍ୟ ହୁଅନ୍ତି। ସେମାନଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକ ପ୍ରଭାବିତ ୪ ଜିଲ୍ଲାର ୨୦ ବ୍ଲକର ୪୭୭ ପଞ୍ଚାୟତ, ୩୩୨୭ ଗାଁରେ ମନରେଗା ଅନ୍ତର୍ଗତରେ ରାଜ୍ୟ ସରକାର ୩୦୦ ଦିନିଆ କାର୍ଯ୍ୟର ଘୋଷଣା କରିଥିଲେ। ମାତ୍ର ଏଥିରୁ ୧୦୦ ଦିନିଆ କାର୍ଯ୍ୟର ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ପାରିନାହିଁ। ପ୍ରଶାସନିକ ସୂତ୍ର ଅନୁସାରେ, ସମୁଦାୟ ୩ କୋଟି ୮୭ ଲକ୍ଷ ୨୬ ହଜାର ୬୦୦ ଲୋକଙ୍କୁ ଶହେ ଦିନିଆ କାର୍ଯ୍ୟ ପ୍ରଦାନର ଲକ୍ଷ୍ୟ ରହିଛି। ଏଥିରୁ ସର୍ବାଧିକ ଦାଦନ ଶ୍ରମିକ ପ୍ରଭାବିତ ନୂଆପଡ଼ା ଜିଲ୍ଲା ସିନାପାଲିରେ ୩୦.୨୩ ପ୍ରତିଶତ, ଭବାନୀପାଟନାରେ ମାତ୍ର ୧୫ ପ୍ରତିଶତ, ବରଗଡ଼ ଜିଲ୍ଲା ପାଇକମାଳରେ ୧୬.୪୯ ପ୍ରତିଶତ, ନୂଆପଡ଼ାରେ ୧୬.୮୮ ପ୍ରତିଶତ ୧୦୦ ଦିନିଆ କାର୍ଯ୍ୟ କରିଛନ୍ତି। ଏଭଳି ସ୍ଥିତିରେ ଅଧିକାଂଶ ସେହି ଦାଦନ ସର୍ଦାରଙ୍କ ଠାରୁ ହିଁ କରଜ କରିଥିବା ସ୍ପଷ୍ଟ। ମନରେଗାରେ ପ୍ରାପ୍ୟ ସମସ୍ୟା ଯୋଗୁଁ ଅନେକ ଏଥିପ୍ରତି ବିଶ୍ବାସ ହରାଉଥିବା ଅଭିଯୋଗ ହୁଏ। ଅପରପକ୍ଷରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଶ୍ରମିକଙ୍କୁ ୧୫ ଦିନରେ ହିଁ ପ୍ରାପ୍ୟ ମିଳେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର