ଓଡ଼ିଶାରେ ୨୧ପ୍ରତିଶତ ପରିବାରରେ ନାହିଁ ଏଲ୍‌ପିଜି

ସିଇଇଡବ୍ଲୁ ସର୍ଭେ ରିପୋର୍ଟ

୪୭% ପରିବାରରେ ଏଲ୍‌ପିଜି ପ୍ରମୁଖ ଇନ୍ଧନ
୭୧% ପରିବାର ଗ୍ୟାସ୍‌ ସହ ଅନ୍ୟ ଜାଳେଣିର ବ୍ୟବହାର
ସୁନ୍ଦରଗଡ଼, ଦେବଗଡ଼ରେ ବ୍ୟବହାର କମ୍

ଭୁବନେଶ୍ବର : ଓଡ଼ିଶାର ପ୍ରାୟ ୨୧ ପ୍ରତିଶତ ପରିବାରରେ ଏଲ୍‌ପିିଜି ସଂଯୋଗ ହୋଇନାହିଁ। କାଉନ୍‌ସିଲ୍‌ ଅନ୍ ଏନର୍ଜି, ଏନ୍‌ଭାର୍ଣ୍ଣମେଣ୍ଟ୍‌ ଆଣ୍ଡ୍‌ ୱାଟର (ସିଇଇଡବ୍ଲୁ) ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଅଧା ପରିବାରରେ ରୋଷେଇ ଲାଗି ଏଲ୍‌ପିଜିକୁ ପ୍ରମୁଖ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ରାଜ୍ୟର ୪୭% ପରିବାରରେ ଏଲ୍‌ପିଜିକୁ ଜ‌ାଳେଣି ଭାବେ ବ୍ୟବହାର କରାଯାଉଛି। ମାତ୍ର ଏବେବି ରାଜ୍ୟର ୭୩% ପରିବାର ଏଲ୍‌ପିଜି ସହିତ ଅନ୍ୟାନ୍ୟ ଜାଳେଣିକୁ ମଧ୍ୟ ବ୍ୟବହାର କରୁଛନ୍ତି। କାଠ କିମ୍ବା ଅନ୍ୟାନ୍ୟ କଠିନ ଜାଳେଣି ଉପରେ ସେମାନେ ଆଂଶିକ ନିର୍ଭରଶୀଳ ରହିଛନ୍ତି। ଓଡ଼ିଶାର ୬ଟି ଜିଲ୍ଲାର ୬୦୦ ପରିବାରକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ସିଇଇଡବ୍ଲୁର ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ ଅଧିକ ପରିବାର ନିକଟରେ ଏଲ୍‌ପିଜି ସଂଯୋଗ ରହିଛି। ଓଡ଼ିଶାରେ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଏଲ୍‌ପିଜି ବ୍ୟବହାର କମ୍ ରହିଛି। ସୁନ୍ଦରଗଡ଼ର ପ୍ରାୟ ଅଧା ପରିବାର ଏବଂ ଦେବଗଡ଼ର ଏକ ଚତୁର୍ଥାଂଶ ପରିବାର କାଠ ଭଳି ଜାଳେଣିକୁ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ଓଡ଼ିଶାରେ ଏବେବି ୨୧ କୋଟି ପରିବାର ପାଖରେ ଏଲ୍‌ପିଜି ସଂଯୋଗ ନାହିଁ। ଉଲ୍ଲେଖଯୋଗ୍ୟ ଯେ ପ୍ରତି ପରିବାର ପାଖରେ ଏଲ୍‌ପିଜି ସଂଯୋଗ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନିକଟରେ ଏହାର ଦ୍ବିତୀୟ ପର୍ଯ୍ୟାୟ ବିଷୟରେ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର