ସୁରତରୁ ବସରେ ଭଦ୍ରକ ଆସୁଛନ୍ତି ୨୧ ଜଣ

ଭୁବନେଶ୍ୱର: କିଛି ପ୍ରବାସୀ ଓଡ଼ିଆ ଆଜି ଭୋର ସକାଳୁ ଗଂଜାମ ଜିଲ୍ଲାରେ ପହଞ୍ଚିବା ପରେ ଗୁଜୁରାଟର ସୁରତରୁ ଅନ୍ୟ ଏକ ଦଳ ଗସ୍ତ ଆରମ୍ଭ କରିଛନ୍ତି । ଏମାନେ ମଧ୍ୟ ବସରେ ଯାତ୍ରା କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ସୁରତରୁ ଆସୁଥିବା ବସରେ ଭଦ୍ରକ ଜିଲ୍ଲାର ୨୧ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି । ସେମାନେ ନିଜ ବ୍ୟବସ୍ଥାରେ ବସ ରିଜର୍ଭ କରି ଆସୁଛନ୍ତି । କିନ୍ତୁ ଏମାନେ କେହି ନାମ ପଞ୍ଜୀକରଣ କରି ନାହାନ୍ତି । ଏମାନେ ଆସିବା ପୂର୍ବରୁ ଅନଲାଇନରେ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି ।

ସେହିପରି ରାଜସ୍ଥାନର କୋଟାରୁ କିଛି ୪ଟି ବସରେ ୧୧୬ ଜଣ ଛାତ୍ରଛାତ୍ରୀ ରାଉରକେଲା ଫେରୁଛନ୍ତି । ଏମାନେ ଜଣ ପିଛା ୪ ହଜାର ଟଙ୍କା ଲେଖାଏଁ ଦେଇ ଆସୁଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଓଡ଼ିଶା ପହଞ୍ଚିବେ । ଏଥିପାଇଁ ଏମାନଙ୍କୁ ପ୍ରାୟ ୩୦ ଘଣ୍ଟା ଲାଗିବ ।

ସୂଚନାଯୋଗ୍ୟ, ରାଜସ୍ଥାନର କୋଟାରେ ମେଡିକାଲ ପ୍ରବେଶିକା ଓ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ଆଜିଠାରୁ ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସିବା ଆରମ୍ଭ କରିଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ପରେ ପାଠପଢ଼ାରେ ବହୁ ଅସୁବିଧା ହେଉଥିବାରୁ ସେମାନେ ନିଜସ୍ୱ ବ୍ୟବସ୍ଥାରେ ବସ ଯୋଗେ ଓଡ଼ିଶା ଆସୁଛନ୍ତି । ଏଥି ପାଇଁ ଓଡ଼ିଶା ସରକାର ଗାଡ଼ି ପରମିଟ ଓ ଅନ୍ୟ ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାରଙ୍କ ତାଲିକା ଅନୁସାରେ ରାଜ୍ୟରୁ ୯୭୫ ଜଣ ଛାତ୍ରଛାତ୍ରୀ କୋଟାରେ କୋଚିଂ କରୁଛନ୍ତି । ତେବେ ପିଲାମାନେ ଓଡ଼ିଶା ଫେରିବା ପରେ ନିଜ ନିଜ ଜିଲ୍ଲାକୁ ଯାଇ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର