ଭୁବନେଶ୍ବର: ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ମଜଭୁତ କରିବା ସହ ଭୋଟରଙ୍କୁ ଅଧିକ ସୁବିଧା ଦେବା ପାଇଁ ଭାରତର ନିର୍ବାଚନ କମିସନ ୨୧ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ମୁଖ୍ୟତଃ ରହିଛି ପ୍ରକ୍ରିୟାଗତ ସଂସ୍କାର, ଡିଜିଟାଲ ରୂପାନ୍ତରୀକରଣ, ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ଏବଂ ସଂପୃକ୍ତ ବିଭିନ୍ନ ପ୍ରତିଷ୍ଠାନର ଦକ୍ଷତା ବୃଦ୍ଧି। ଭୋଟରମାନଙ୍କ ସୁବିଧା ପାଇଁ ଗୋଟିଏ ପୋଲିଂ ବୁଥ୍‌ରେ ସର୍ବାଧିକ ୧୨୦୦ ଭୋଟରଙ୍କ ମତଦାନ କରିବାର ବ୍ୟବସ୍ଥା କରାଯାଇଛି। କୌଣସି ପରିସ୍ଥିତିରେ ଗୋଟିଏ ବୁଥ୍‌ରେ ଏହା ଠାରୁ ଅଧିକ ଭୋଟରଙ୍କ ନାମ ରହିପାରିବନି।  ଉଚ୍ଚ ଅଟ୍ଟାଳିକା ଓ ବଡ଼ କଲୋନି ପାଇଁ ଅଧିକ ବୁଥ୍‌ କରାଯିବ। ମତଦାନ ପାଇଁ ଜଣଙ୍କୁ ସର୍ବାଧିକ ୨ କିମି ପର୍ଯ୍ୟନ୍ତ ଯିବାକୁ ପଡ଼ିପାରେ। ଭୋଟର୍‌ ସୂଚନା ସ୍ଲିପ୍‌ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି, ଯାହା କି ଭୋଟରଙ୍କୁ ମିଳିବ। ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକୁ ୧୦୦ ମିଟର ପରେ ବୁଥ କରିବାକୁ ଅନୁମତି ମିଳିବ। ପୂର୍ବରୁ ଏହାର ୨୦୦ ମିଟର ଥିଲା।

Advertisment

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର୍‌ ଏସ୍‌ ଗୋପାଳନ୍‌ ଗଣମାଧ୍ୟମକୁ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିସନ୍ ଭାବେ ଜ୍ଞାନେଶ କୁମାର ଦାୟିତ୍ବ ନେଲା ପରେ ତାଙ୍କର ପ୍ରଥମ ୧୦୦ ଦିନର କାର୍ଯ୍ୟ ଭିତରେ ଏହି ପଦକ୍ଷେପଗୁଡ଼ିକ ନିଆଯାଇଛି। ସିଇଓ କହିଥିଲେ ଯେ ନିର୍ବାଚନ ସଂକ୍ରାନ୍ତୀୟ ସବୁ ପ୍ରକାର ସେବା ପାଇଁ ଗୋଟିଏ ସମନ୍ବିତ ଡ୍ୟାସ୍‌ବୋର୍ଡ ରହିବ। ପୂର୍ବରୁ ଥିବା ୪୦ରୁ ଅଧିକ ଆପ୍‌/ୱେବ୍‌ସାଇଟ୍‌ ଉଚ୍ଛେଦ ହେବ। ଉପନିର୍ବାଚନରେ ଏହା ପରୀକ୍ଷାମୂଳକ ଭାବେ କରାଯାଇଛି। ବିହାର ବିଧାନସଭା ନିର୍ବାଚନରେ ଏହା ପୂର୍ଣ୍ଣମାତ୍ରାରେ ଲାଗୁ ହେବ। ମୃତ୍ୟୁ ପଞ୍ଜୀକରଣ ଜାଣିବା ନିମନ୍ତେ ‌ରେଜିଷ୍ଟ୍ରାର୍‌ ଜେନେରାଲ ଅଫ୍‌ ଇଣ୍ଡିଆକୁ ସିଧାସଳଖ ସଂଯୋଗ କରାଯାଇଛି। ବିଏଲ୍‌ଓମାନେ ଚୂଡ଼ାନ୍ତ ରିପୋର୍ଟ ଦେବେ। ଆଉ ଏପିକ୍‌ ନମ୍ବରରେ ଡୁପ୍ଲିକେଟ୍‌ ହୋଇପାରିବନି। ଏହି ସମସ୍ୟା ବି ସମାଧାନ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ସଚିବ ପ୍ରମୋଦ କୁମାର ସାହୁ, ଡେପୁଟି ସିଇଓ ଲକ୍ଷ୍ମୀପ୍ରସାଦ ସାହୁ ଓ ଅନାମିକା ସିଂହ ଉପସ୍ଥିତ ଥିଲେ।