୨୦୨୪ ପାଇଁ ବିଜେପିର ୨୧ ସଂକଳ୍ପ: ଧାନ କ୍ବିଣ୍ଟାଲ୍‌ ୩୧୦୦, ମହିଳାଙ୍କୁ ୫୦ ହଜାର

ବିରୋଧୀ ଦଳରେ ବସିବାକୁ ନୁହେଁ, ସରକାର ଗଢ଼ିବାକୁ ଲଢ଼ୁଛୁ: ନଡ୍ଡା

ଭୁବନେଶ୍ବର: ବିଜେପି ୨୦୨୪ରେ ନିର୍ବାଚନ ଜିତି ଓଡ଼ିଶାରେ ସରକାର କଲେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବ। ଏଥିରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର୍ ଦେବ। ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। କେବଳ ଏତିକି ନୁହେଁ, ‘ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା’ ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ୍ (ଭତ୍ତା) ପ୍ରଦାନ କରିବ। ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୫୦୦ଟଙ୍କା ଭତ୍ତା ମିଳିବ। ୧୦୦ଦିନ ମଧ୍ୟରେ ଦେଶର ସବୁଠୁ ବଡ଼ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବ। ଏଥିରେ ବାର୍ଷିକ ୮ଲକ୍ଷରୁ କମ୍ ରୋଜଗାର କରୁଥିବା ନାଗରିକମାନେ ସାମିଲ୍ ହେବେ। ଏହାସହ ୭୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବର୍ଗର ଲୋକେ ଏହି ଯୋଜନାରେ ସାମିଲ୍ ହେବେ।

ଏହିଭଳି ୨୧ଟି ଲୋଭନୀୟ ପ୍ରତିଶ୍ରୁତି ନେଇ ଓଡ଼ିଶା ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଜେପିର ସଂକଳ୍ପ ପତ୍ର ‘ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪’କୁ ଲୋକାର୍ପଣ କରିଛନ୍ତି। ଏହାକୁ ଲୋକାର୍ପଣ କରି ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶାରେ ବିଜେପି ବିରୋଧୀ ଦଳରେ ବସିବାକୁ ନୁହେଁ, ସରକାର ଗଢ଼ିବାକୁ ନିର୍ବାଚନ ଲଢ଼ୁଛି। ତେଣୁ ଯେଉଁ ଗ୍ୟାରେଣ୍ଟି ଦେଉଛୁ ତାକୁ ନିଶ୍ଚିତ ପୂରଣ କରିବୁ। ନବୀନ ସରକାର କେବଳ ମିଛ ପ୍ରତିଶ୍ରୁତି ଦିଏ। ଯାହା ଜଳସେଚନ, ନିଯୁକ୍ତି, ଏମ୍‌ଏସ୍‌ପି, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦେଖିଲେ ଜାଣି ହେଉଛି। ନଡ୍ଡା କହିଥିଲେ ଯେ ବର୍ତ୍ତମାନର ରାଜନୀତି ହେଉଛି ରିପୋର୍ଟ କାର୍ଡ ରାଜନୀତି। ବିଜେପି ଯାହା କହେ ତାହା କରିକି ଦେଖାଏ। ଗ୍ୟାରେଣ୍ଟିକୁ ନିଶ୍ଚିତ ପୂରଣ କରିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି। ମୋଦୀଙ୍କ ନେତୃତ୍ବରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି। ମୋଦୀଙ୍କ ନେତୃତ୍ବରେ ଭାରତର ଗରିବୀ ୨୫% କମିଛି। ଦେଶର ସବୁଠୁ ବୃହତ୍ତମ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ନବୀନ ବାବୁ ରାଜନୈତିକ ଦୃଷ୍ଟିକୋଣରୁ ଲାଗୁ କରୁନାହାନ୍ତି। ବିଜେପି ସରକାରକୁ ଆସିଲେ ବିଜେଡିର ସର୍ବବ୍ୟା‌ପ୍ତ ଦୁର୍ନୀତିକୁ ଶେଷ କରିବ। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୧୮ ମାସରେ ତାଙ୍କ ଜମା ଟଙ୍କା ଫେରାଇବ ଏବଂ ଠକିଥିବା ଲୋକଙ୍କୁ ଦଣ୍ଡ ଦେବ। ଓଡ଼ିଶାରେ ଲୋକ ସବୁଠୁ ଅଧିକ ବିଦ୍ୟୁତ୍‌ ବିଲ୍ ଦେଉଛନ୍ତି। ତେଣୁ ସମସ୍ତେ ଯେପରି ମାଗଣାରେ ବିଦ୍ୟୁତ୍‌ ପାଇବେ ସେଥିପାଇଁ ବ୍ୟବସ୍ଥା କରିବ। ଶୀତଳ ଭଣ୍ଡାରଗୁଡ଼ିକୁ ପୁନରୁଦ୍ଧାର କରି ଚାଷୀଙ୍କୁ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦେବାକୁ ବ୍ୟବସ୍ଥା କରାଯିବ।

୦୨୪ ପାଇଁ ବିଜେପିର ୨୧ ସଂକଳ୍ପ
ମାସିକ ଭତ୍ତା ୩ ହଜାର ଟଙ୍କାକୁ ବଢ଼ିବ
୭୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଆୟୁଷ୍ମାନ ଭାରତ
ପ୍ରତି ଜିଲ୍ଲାରେ ନର୍ସିଂ କଲେଜ, ମେଡିକାଲ କଲେଜ
ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବ, ରତ୍ନଭଣ୍ଡାର ବି

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆହୁରି କହିଥିଲେ, ଏବେ ଓଡ଼ିଶାରେ କେବଳ ଜଗନ୍ନାଥଙ୍କ କୃପାରୁ ସରକାର ଚାଲିଛି। ହେଲେ ଜଗନ୍ନାଥଙ୍କ ଭକ୍ତଙ୍କୁ ହତାଦାର କରାଯାଉଛି। ବିଜେପି ଜଗନ୍ନାଥ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବ, ରତ୍ନଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବୁ, ପରିକ୍ରମା ପ୍ରକଳ୍ପରେ ଭଙ୍ଗାଯାଇଥିବା ମଠଗୁଡ଼ିକୁ ଯଥାରୀତି କାର୍ଯ୍ୟକ୍ଷମ କରାଯିବ। ବିଜେଡି ସରକାରର ବ୍ୟାପକ ଦୁର୍ନୀତି ଏବଂ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥା ଶେଷ ହେବ, ଧାନ କ୍ବିଣ୍ଟାଲ୍‌ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ ହେବ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ‘ଓଡ଼ିଆ ସମୁଦାୟ ଭବନ’ ପ୍ରତିଷ୍ଠା ହେବ, ୨୦୨୭ ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହେବେ। ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବୁ ଏବଂ ପ୍ରତ୍ୟେକ ଗ୍ରାମପଞ୍ଚାୟତ ତଥା ଜିଲ୍ଲା ସଦରମହକୁମାକୁ ରାଜଧାନୀ ସହ ଯୋଡ଼ିବୁ, ଓଡ଼ିଶା ଅର୍ଥନୀତିକୁ ଶ୍ରେଷ୍ଠ କାର୍ଯ୍ୟକ୍ଷମ ଅର୍ଥନୀତିରେ ପରିଣତ କରିବା ସହ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବୁ, ଓଡ଼ିଆରେ ଆଇନ, ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବୁ, ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ପଦବି ସ୍ବଚ୍ଛ ଓ ନିୟମ ଅନୁସାରେ ପୂରଣ କରିବୁ। ସେହିପରି ପ୍ରଥମ ୨ବର୍ଷରେ ୬୫ହଜାର ପଦବି ପୂରଣ କରିବୁ, ଏଥିରେ ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗଙ୍କୁ ଅଗ୍ରାଧିକାର ଦେବୁ, କେନ୍ଦୁପତ୍ର କେରି ପିଛା ୨ ଟଙ୍କାରେ କିଣିବୁ, ତୋଳାଳିଙ୍କୁ ୩୫% ଓ ବନ୍ଧାଳୀଙ୍କୁ ୧୦% ବୋନସ୍‌ ଦେବୁ, ପିଏମ୍‌ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ, ଜଳ ଜୀବନ ମିସନରେ ୪୦ ହଜାର ସର୍ବସାଧାରଣ ସ୍ଥାନ ଓ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ କରିବୁ, ପଶ୍ଚିମ ଓଡ଼ିଶାରେ ୩ଟି ସମନ୍ବିତ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି କରିବୁ, ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ‘ବୁଣାକାର ସମ୍ମାନ ନିଧି’ ଆରମ୍ଭ କରିବୁ, ଏଥିରେ ୪୦ରୁ ୬୦ବର୍ଷ ବୟସର ସମସ୍ତ ହିତାଧିକାରୀଙ୍କୁ ମାସିକ ୩ ହଜାର ଟଙ୍କା ଏବଂ ୬୦ ବର୍ଷରୁ ଅଧିକ ସମସ୍ତ ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବୁ, ଅଣସଂଗଠିତ ଶ୍ରମିକଙ୍କ ୫ ଲକ୍ଷ ବୀମା ମିଳିବ, ବିଦ୍ୟାଳୟରେ ଡ୍ରପଆଉଟ୍ ରୋକିବାକୁ ଜନଜାତି ଛାତ୍ରଛାତ୍ରୀଙ୍କୁ ‘ସହିଦ ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ମାଧ୍ୟମରେ ବାର୍ଷିକ ୫ ହଜାର ଟଙ୍କାର ସହାୟତା ‌ଦେବୁ, ମିସନ ସ୍ବାସ୍ଥ୍ୟ ଓଡ଼ିଶା ଯୋଜନା ମାଧ୍ୟମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୬ହଜାର ନୂତନ ଶଯ୍ୟା ବ୍ୟବସ୍ଥା କରିବୁ। ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୨୭ ସୁଦ୍ଧା ଆଇସିୟୁ, ଡାଏଲେସିସ୍ ଏବଂ ଅପରେସନ୍ ‌ଥିଏଟର ଯୋଗାଇଦେବୁ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ନର୍ସିଂ କଲେଜ, ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଓଡ଼ିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବି‌ଜୁଳି ଯୋଗାଇବୁ। ଏହାଦ୍ବାରା ପ୍ରତି ଘରେ ସୌର ପ୍ୟାନେଲ୍ ବସିବ। ଲୋକ ନିଜ ବ୍ୟବହାର ପାଇଁ ବିଦ୍ୟୁତ ସଂଗ୍ରହ କରିବା ସହ ରାଜ୍ୟ ସରକାରଙ୍କୁ ବିଦ୍ୟୁତ ବିକି‌ବେ ବୋଲି ନଡ୍ଡା କହିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଏହି ସଂକଳ୍ପପତ୍ର ରାଜ୍ୟର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି। ରାଜ୍ୟବାସୀ ୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଛନ୍ତି। ସାଧାରଣ ଲୋକେ ନିର୍ବାଚନ ଲଢ଼ୁଛନ୍ତି, ଆମେ ସାଥୀରେ ଅଛୁ। ଏହା ସରକାର ପରିବର୍ତ୍ତନର ଇସ୍ତାହାର। ଇସ୍ତାହାର କମିଟି ଅଧ୍ୟକ୍ଷ ସମୀର ମହାନ୍ତି କହିଥିଲେ ଯେ ୩ଲକ୍ଷରୁ ଅଧିକ ମତାମତକୁ ଆଧାର କରି ଏହି ସଂକଳ୍ପପତ୍ର ପ୍ରସ୍ତୁତ ହୋଇଛି। ୧ଲକ୍ଷ ୮୦ହଜାରରୁ ଅଧିକ ଲିଖିତ ମତାମତ, ୪୨ହଜାରରୁ ଅଧିକ ମିସ୍‌ କଲ୍‌, ୧୨ହଜାରରୁ ଅଧିକ ହ୍ବାଟସଆପ୍ ମେସେଜ୍ ମାଧ୍ୟମରେ ସଂଗ୍ରହ ମତାମତ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ହୋଟେଲ ମେ’ଫେୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର