କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ୬.୩୦ ଲକ୍ଷ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନାରାୟଣପାଟଣା: ନିକଟରେ କୁଆପଥର ଓ ଘୂର୍ଣ୍ଣିଝଡ଼ରେ କ୍ଷତିଗ୍ରସ୍ତ କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର କନକପୁଟ ଓ ଦଳେଇପେଟା ଗାଁର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ସେମାନଙ୍କ ଘରର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ପ୍ରତି କ୍ଷତିଗ୍ରସ୍ତ ପରିବାର ୩୦,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ।

ସୂଚନାଯୋଗ୍ୟ, ଗତ ମେ’ ମାସ ୨୪ ତାରିଖରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା। ନାରାୟଣପାଟଣା ବ୍ଲକ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବଲୀଳା ରଚିଥିଲା ।ଫଳରେ ଅଳ୍ପ ସମୟରେ ବ୍ୟବଧାନରେ ବହୁ କ୍ଷତିଗ୍ରସ୍ତ କରିଥିଲା କାଳବୈଶାଖୀ। ଲଙ୍ଗଲବେଡା ପଂଚାୟତ ଅନ୍ତର୍ଗତ କାଙ୍କଣପୁଟ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଗାଁର ସମସ୍ତ ଘର ଛପର ଆଜବେଷ୍ଟ ଉଡେଇ ନେଇଯାଇଥିବା ବେଳେ କିଛି ଲୋକଙ୍କ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିଲା। ଏଥି ସହ ପ୍ରବଳ ବର୍ଷାରେ ଘରର ଆସବାବପତ୍ର ରୋଷେଇ ସାମଗ୍ରୀ ପାଣିରେ ଭିଜି ନଷ୍ଟ ହୋଇଯାଇଥିଲା। କାଙ୍କଣପୁଟ ଗ୍ରାମର ଶ୍ରୀନୁ ସିଦାରାପୁ, କୋଣ୍ଡାତାମରା ଲାଛନା, ସାମ୍ବା ନାଚିକା, ନାଗା କୋଣ୍ଡାଗୋରୀ, ରମେଶ ସିଦାରାପୁ, ତାଉଡୁ ସିଦାରାପୁ, ରାଜେନ୍ଦ୍ର ମିଣିଆକା, ଭୀମା କେଣ୍ଡୃକା, ଚେନ୍ଦ୍ରେୟା କୋଣ୍ଡାତାମରା, ବିଙ୍ଗୁ ତାଡିଙ୍ଗି, କୋଟେ କୋଣ୍ଡା ତାମରା, ସମ୍ବୁରୁ କୋଣ୍ଡାତାମରା ପ୍ରମୁଖଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର