ମହାବାତ୍ୟାର ୨୧ ବର୍ଷ ପରେ… : ପ୍ରଳୟଠାରୁ କଷ୍ଟ ଜୀବନ ସଂଘର୍ଷ

ଏବେ ବି ସହାୟତା ଅପେକ୍ଷାରେ ପ୍ରଳୟ, ବନ୍ୟା ଓ ସୁଲୋଚନା

ଜଗତସିଂହପୁର : ୧୯୯୯ ମହାବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ଜଗତସିଂହପୁର ଜିଲ୍ଲାର ଏରସମାର ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ମାତ୍ର ଏହି ମହାବାତ୍ୟା ଦିନ ଜନ୍ମ ନେଇଥିବା ଦୁଇ ଶିଶୁ ଏବେ ୨୧ ବର୍ଷ‌ ପରେ ବି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏରସମା ବ୍ଲକ୍ ହାତିଆପାଳ ଗାଁରେ ଅକ୍ଟୋବର ୨୮ରେ ଜନ୍ମ ହୋଇଥିବା ପ୍ରଳୟ ଏବେ ପେଟ ପାଇଁ ଟ୍ରକ୍ ହେଲପର ଭାବେ କାର୍ଯ୍ୟ କରୁଥିବାବେଳେ ପୂର୍ବପଡ଼ା ଗାଁର ବନ୍ୟା ବହୁ କଷ୍ଟରେ ବିବାହ କରିଛି। ଆଉ ୨୧ ବର୍ଷ ହେଲା ଗଡ଼ବିଷ୍ଣୁପୁର ଗାଁର ସୁଲୋଚନା ବେହେରା ଏବେ ବି ମହାବାତ୍ୟା ସହାୟତା ଅପେକ୍ଷାରେ ରହିଛନ୍ତି।

ଏରସମାରେ ଯେତେବେଳେ ମହାବାତ୍ୟା ତାଣ୍ତବ ରଚୁଥିଲା, ସେତେବେଳେ ହାତିଆପାଳ ଗାଁର ବାବୁଲି ଭୂୟାଁଙ୍କ ପତ୍ନୀ କୁନିଲତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମହାବାତ୍ୟାର କରାଳ ରୂପକୁ ଦୃଷ୍ଟିରେ ରଖି ପୁଅର ନାଁ ରହିଥିଲା ପ୍ରଳୟ। ଏହି ଗାଁର ୨୫୦ରୁ ଅଧିକ ଲୋକଙ୍କୁ ସମୁଦ୍ର ଜୁଆର ଭସାଇ ନେଇଥିଲା ବେଳେ ପ୍ରଳୟଙ୍କ ପରିବାର କିନ୍ତୁ ବର୍ତ୍ତି ଯାଇଥିଲେ। ମହାବାତ୍ୟା ହାବୁଡ଼ରୁ ପ୍ରାଣରକ୍ଷା କରି ପାରିଥିଲେ ହେଁ ବର୍ତମାନର ଜୀବନଜୀବିକା ସଂଘର୍ଷ ଏହାଠାରୁ ବଡ଼ ବିପଦ ଭଳି ଲାଗୁଛି ବୋଲି କହିଛନ୍ତି ପ୍ରଳୟ। ତାଙ୍କ କହିବା ଅନୁଯାୟୀ, ସେତେବେଳେ ମହାବାତ୍ୟା କବଳରୁ ବଞ୍ଚି ଯାଇଥିବାରୁ ନିଜକୁ ଭାଗ୍ୟବାନ ବୋଲି ପରିବାର ଲୋକ ମନେ କରୁଥିଲୁ। ମାତ୍ର ଏବେ ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡ଼ୁଛି। ବାଧ୍ୟହୋଇ ସେ ଏକ ଟ୍ରକ୍‌ରେ ହେଲପର ଭାବେ କାର୍ଯ୍ୟ କରୁଛନ୍ତି। ଏବେ ବି ହାତିଆପାଳ ଗ୍ରାମବାସୀ ମୌଳିକ ସେବାରୁ ବଞ୍ଚିତ ଅଛନ୍ତି। ଗାଁକୁ ଭଲ ରାସ୍ତା ଖଣ୍ତିଏ ନ ଥିବାବେଳେ ପିଇବା ପାଣିର ମଧ୍ୟ ସମସ୍ୟା ରହିଛି। କେବଳ ପ୍ରଳୟ ନୁହନ୍ତି, ମହାବାତ୍ୟାରୁ ଜୀବନକୁ କୌଣସିମତେ ବଞ୍ଚାଇ ପାରିଥିବା ଶତାଧିକ ଲୋକ ପେଟ ଚାଖଣ୍ତକ ପାଇଁ ଏବେ ସଂଘର୍ଷ କରୁଛନ୍ତି।

ସେହିପରି ପୂର୍ବପଡ଼ା ଗାଁରେ ଏହି ସମୟରେ ଝାଡ଼ୁ ବ୍ରହ୍ମାଙ୍କ ପତ୍ନୀ ରୀତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତା’ର ନାଁ ରଖାଯାଇଥିଲା ବନ୍ୟା। ରୀତାଙ୍କର ଜନ୍ମ ହେବାର କିଛି ସମୟ ପରେ ସମୁଦ୍ର ଜୁଆରରେ ଝାଡ଼ୁ ଭାସି ଯାଇଥିଲେ। ମାତ୍ର ରୀତା ନିଜ ନବଜାତକ କନ୍ୟାକୁ ସାଥୀରେ ଧରି ବଞ୍ଚି ଯାଇଥିଲେ। ଏହି ମହାବାତ୍ୟାରେ ନିଜର ସର୍ବସ୍ବ ହରାଇଥିବା ରୀତା ବହୁକଷ୍ଟରେ ବନ୍ୟାଙ୍କୁ ବଡ଼ କରି ବାହା ଦେଇସାରିଛନ୍ତି। ମାତ୍ର ଘରେ ଏକୁଟିଆ ଥିବା ରୀତାଙ୍କୁ ଦେଖିବା ପାଇଁ ବନ୍ୟା ବହୁଥର ଗାଁକୁ ଆସନ୍ତି। ମହାବାତ୍ୟାର ୨୧ ବର୍ଷ ପରେ ମଧ୍ୟ ଆମେ ରାଜ୍ୟ ସରକାରଙ୍କଠାରୁ କୌଣସି ସୁବିଧା ସୁଯୋଗ ମିଳି ନାହିଁ ବୋଲି ପରିବାର ଲୋକ ବାରମ୍ବାର ଅଭିଯୋଗ କରନ୍ତି।

ପାନ ଦୋକାନ କରି ପେଟ ପୋଷୁଛନ୍ତି ରାଜାରାମ
ପାରାଦୀପ ଷଣ୍ଢକୁଦ ବସ୍ତିରେ ଏହି ଦିନ ରାଜାରାମ ନାମକ ଏକ ଶିଶୁ ଜନ୍ମ ନେଇଥିଲେ। ତାଙ୍କ ପରିବାରର ରୋଜଗାର ଏକମାତ୍ର ମାଧ୍ୟମ ମାଛଧରା ଡଙ୍ଗା ଏହି ମହାବାତ୍ୟାରେ ଭାସି ଯାଇଥିଲା। ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨୦ ବର୍ଷ ପରେ ବି କୌଣସି ପ୍ରକାର ସୁବିଧା ସୁଯୋଗ ମିଳିନାହିଁ। ଫଳରେ ବାଧ୍ୟ ହୋଇ ବସ୍ତିରେ ଏକ ପାନ ଦୋକାନ କରି ସେ ଏବେ ପରିବାର ପୋଷୁଛନ୍ତି।

ସେହିପରି ଆଉ ଜଣେ ହେଲେ ଗଡ଼ବିଷ୍ଣୁପୁର ପଞ୍ଚାୟତ ଖଟି କୋରଡ଼ା ଗାଁର ସୁଲୋଚନା ବେହେରା। ମହାବାତ୍ୟାରେ ସୁଲୋଚନାଙ୍କ ସର୍ବସ୍ବ ଭାସିଯାଇଥିଲା। ଏମିତିକି ତାଙ୍କ ୧୯ ବର୍ଷର ଝିଅକୁ ମଧ୍ୟ ସମୁଦ୍ର ଜୁଆର ଛାଡ଼ିନଥିଲା। ବାତ୍ୟାର କିଛି ଦିନ ପରେ ସୁଲୋଚନା ତାଙ୍କ ସ୍ବାମୀକୁ ହରାଇଥିଲେ। ବର୍ତମାନ ସେ ତାଙ୍କର ଜଣେ ବେରୋଜଗାର ପୁଅ ସହ ଜୀବନ ଅତିବାହିତ କରୁଛନ୍ତି। ତାଙ୍କୁ ମଧ୍ୟ କୌଣସି ସହାୟତା ରାଶି ଏଯାଏ ମିଳିନାହିଁ। ରାଜ୍ୟ ସରକାରଙ୍କ ସହାୟତାରୁ ବଞ୍ଚିତ ଶତାଧିକ କ୍ଷତିଗ୍ରସ୍ତ ହାଇକୋର୍ଟରେ ମାମଲା ରୁଜୁ କରି ସହାୟତା ରାଶି ପାଇଥିଲେ। ମାତ୍ର ବିଧବା ସୁଲୋଚନାଙ୍କ ନିକଟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପିଟିସନ ଦାଖଲ କରିବା ପାଇଁ ସମ୍ବଳ ମଧ୍ୟ ନାହିଁ। ଏଣୁ ମହାବାତ୍ୟା ଦୁଃଖଠାରୁ ସେମାନଙ୍କ ପାଇଁ ଏବେ ଜୀବନ ସଂଘର୍ଷର ଦୁଃଖ ବୁକେଇ ପଡିଛି।

ସମ୍ବନ୍ଧିତ ଖବର