ରାଜ୍ୟ ବଜେଟ୍ : କୃଷି ପାଇଁ ୨୧ ହଜାର କୋଟି, କାଳିଆ ଯୋଜନା ପାଇଁ ୧୫୭୪ କୋଟି

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପକ୍ଷରୁ ଶନିବାରଦିନ ବିଧାନସଭାରେ ଉପସ୍ଥାପିତ ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ଥିବାବେଳେ କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବିଗତ କିଛି ବର୍ଷ ପରି ଏଥର ମଧ୍ୟ ରାଜ୍ୟ ବଜେଟର ପ୍ରଥମ ଭାଗ କୃଷି ବଜେଟ୍ ଭାବେ ଘୋଷଣା କରାଯାଇଥିଲା ।

କାଳିଆ ଯୋଜନା ପାଇଁ ୧ ହଜାର ୫୭୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୩୮ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ମିଳୁଛି । କାଳିଆ ଯୋଜନାରେ ଚାଷୀ ମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଋଣ ବ୍ୟବସ୍ଥା ଏବଂ ୫୦ ହଜାର ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା । ଏଥିପାଇଁ ୮୯୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଉଦ୍ୟାନ କୃଷି ପାଇଁ ୩୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷ ରେ ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯିବାକୁ ବଜେଟରେ ଘୋଷଣା କରାଯାଇଛି । ୩୦ ଟି ଇନଷ୍ଟ୍ରିମ ଷ୍ଟୋରେଜ୍ ହାତକୁ ନିଆ ଯାଇଥିବା ବେଳେ ସେଥିରୁ ୧୬ଟି ପାଇଁ ୧ ହଜାର ୪୪  କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପ ପାଇଁ ୨ ହଜାର ୪୯୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ୧୨ ହଜାର ୫୦୦ ଗଭୀର ନଳକୂପ ଖନନ ହେବ । ପାର୍ବତୀ ଗିରି ଉଠା ଜଳ ସେଚନ ଯୋଜନାରେ ଆସନ୍ତା ୫ ବର୍ଷ ରେ ୧୦ ହଜାର ୭୫୯ କୋଟି ଟଙ୍କା ଖର୍ଚ୍ଚ ହେବ । ଭାଗ ଚାଷୀଙ୍କ ପାଇଁ ହୋଇଥିବା ବଳରାମ ଯୋଜନାରେ ୧ ଲକ୍ଷ ଜଏଣ୍ଟ ଲିଆବିଲିଟି ଗ୍ରୁପ ହୋଇଛି । ସେଥିରେ ୫ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର