ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ଏବେ ୨,୧୦୭ଟି ହାତୀ ରହିଛନ୍ତି। ବନ ବିଭାଗ ପକ୍ଷରୁ ଅନୁଷ୍ଠିତ ଶୀତଦିନିଆ ହାତୀ ଗଣନା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଚଳିତବର୍ଷ ମେ’ ୨୨ରୁ ୨୪ ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ହୋଇଥିବା ହାତୀ ଗଣନାରେ ଓଡ଼ିଶାରେ ୨୦୯୮ଟି ହାତୀ ରହିଥିବା ଜଣାପଡ଼ିଥିଲା। ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ବନ ବିଭାଗ ପକ୍ଷରୁ ପୁଣିଥରେ ଗଣନା ହୋଇଥିଲା। ସେହି ରିପୋର୍ଟ ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ୯ଟି ହାତୀ ବଢ଼ିଛନ୍ତି। ତେବେ ଏହି ସମୟ ମଧ୍ୟରେ ୪୫ଟି ହାତୀଙ୍କର ମୃତ୍ୟୁ ହୋଇଛି। ୫୪ଟି ନୂଆ ହାତୀ ଓଡ଼ିଶା ଜଙ୍ଗଲ ସହ ଯୋଡ଼ି ହୋଇଯାଇଛନ୍ତି। ରାଜ୍ୟର ସମସ୍ତ ବନଖଣ୍ଡରେ ଗଣନା ସରିଥିବା ବେଳେ ଏବେ ତାହାକୁ ଅନୁଧ୍ୟାନ କରାଯାଉଛି। କେଉଁ ଜଙ୍ଗଲରେ କେତେ ହାତୀ ରହିଛନ୍ତି ତାହାର ସବିଶେଷ ରିପାର୍ଟ ଚଳିତ ସପ୍ତାହରେ ପ୍ରକାଶ ପାଇବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

Advertisment

ବାହାର ରାଜ୍ୟରୁ ଆସିଛନ୍ତି ୨୭
୭ ମାସରେ ମରିଛନ୍ତି ୪୫, ସାମିଲ ହେଲେ ୫୪

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଶୀତ ଦିନେ ପଡୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଏକାଧିକ ହାତୀ ପଲ ଓଡ଼ିଶାକୁ ଆସୁଛନ୍ତି। ଖାଦ୍ୟ ଅନ୍ବେଷଣରେ ସେମାନେ ପଲ ପଲ ହୋଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି ଏବଂ କିଛି ମାସ ରହିବା ପରେ ପୁଣି ଫେରି ଯାଉଛନ୍ତି। ଏଥରକ ଗଣନା ସମୟରେ ଦେଖିବାକୁ ମିଳିଛି ଯେ ପଡ଼ୋଶୀ ରାଜ୍ୟର ୨୭ଟି ହାତୀ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛନ୍ତି। ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସେମାନେ ଏବେ ରହିଛନ୍ତି। ଏଥିସହ ବିଭିନ୍ନ ଜଙ୍ଗଲରେ ୨୭ଟି ହାତୀ ଜନ୍ମ ଗ୍ରହଣ କରିଛନ୍ତି। ହାତୀ ମୃତ୍ୟୁ ସତ୍ତ୍ବେ ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ଚନ୍ଦକା, ବାରିପଦା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍‌ରେ ହାତୀଙ୍କ ଉପସ୍ଥିତି ଜାରି ରହିଛି। ଅନୁଗୁଳ ସର୍କଲରେ ସର୍ବାଧିକ ହାତୀ ରହିଛନ୍ତି। ଏହା ତଳକୁ ବାରିପଦା ଓ ରାଉରକେଲା ସର୍କଲ ରହିଛି। ଅନୁଗୁଳ, ରାଉରକେଲା ଓ ବାରିପଦା ସର୍କଲରେ ହାତୀମାନେ ଅଧିକ ଚଳପ୍ରଚଳ କରୁଥିବା ନଜରକୁ ଆସିଥିବା ସୂଚନା ମିଳିଛି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଓଡ଼ିଶା ଜଙ୍ଗଲରେ କ୍ଷମତା ଅନୁସାରେ ହାତୀଙ୍କ ସଂଖ୍ୟା ଅଧିକ ରହିଛି। ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସୁଥିବାରୁ ଏହି ଗଣନା କରାଯାଇଥିଲା। ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ କିଛି ଅଞ୍ଚଳରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବହାର ହେଉଛି। ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ୪୮ଟି ଡିଭିଜନ୍‌ରେ ହାତୀ ଗଣନା କରାଯାଇଥିଲା। ୨,୦୩୦ଟି ୟୁନିଟ୍‌ରେ ପାଖାପାଖି ୬ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ୧୩୦୦ରୁ ଅଧିକ ମଞ୍ଚା ସହ ଡ୍ରୋନ୍‌ ମାଧ୍ୟମରେ ଗଣନା ହୋଇଥିଲା। ଡିଭିଜନ୍‌ ଓ ସର୍କଲ ସ୍ତରରେ ଏସିଏଫ୍‌କୁ ନୋଡାଲ ଅଧିକାରୀମାନେ ନିୟୋଜିତ କରାଯାଇ ସେମାନଙ୍କୁ ଗଣନା କାର୍ଯ୍ୟର ତଦାରଖ ଦାୟିତ୍ବ ଦିଆଯାଇଥିଲା।