ବାତ୍ୟା ଲଢ଼େଇ ଭିତରେ ଭଲ ଖବର: ଡାକ୍ତରଖାନା ଆସିଥିଲେ ୨୧୦୭ ଗର୍ଭବତୀ, ଜନ୍ମନେଲେ ୭୫୦ ଶିଶୁ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ଭୟାବହତା ଏବଂ କରୋନା ମହାମାରୀ ଆତଙ୍କ ଭିତରେ ଗୋଟିଏ ଭଲ ଖବର ସାମ୍ନାକୁ ଆସିଛି। ଯେଉଁ ସମୟରେ ବାତ୍ୟା ମାଡ଼ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଚିନ୍ତାରେ ପଡ଼ିଯାଇଥିଲେ, ସେହି ସମୟରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି। ଆଜି ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି।

ବାତ୍ୟା ‘ୟାସ୍‌’ର ସମ୍ଭାବ୍ୟ ବିପଦ ଆଶଙ୍କାରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପ୍ରଭାବିତ ହେବାକୁ ଥିବା ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା। ସେ ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମେ’ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତିରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖିଛନ୍ତି।

ସେମାନଙ୍କ ମଧ୍ୟରେ ବାଲେଶ୍ବରରୁ ୫୮, ଭଦ୍ରକରେ ୯୮, କଟକରେ ୬୧, ଜଗତସିଂହପୁରରେ ୮୪, ଯାଜପୁରରେ ୬୯, କେନ୍ଦୁଝରରେ ୫୫, ମୟୂରଭଞ୍ଜରେ ୩୬, କେନ୍ଦ୍ରାପଡ଼ାରେ ୧୬୬, ଖୋର୍ଦ୍ଧାରେ ୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି। ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଥିବା ସରକାର କହିଛନ୍ତି।

ସରକାର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଗର୍ଭବତୀ ଏବଂ ଆସନ୍ନ ପ୍ରସବାମାନଙ୍କୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା।

ନିଜର ଅଭିଜ୍ଞତା ସଂପର୍କରେ ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସ୍ୱିଟ୍‌ ସୁମନ୍‌ ସାହୁ କହିଛନ୍ତି ଯେ ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ନରସିଂହପୁର ଗ୍ରାମପଞ୍ଚାୟତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ୩୦ ତାରିଖରେ ପ୍ରସବ ତାରିଖ ଥିଲା। ହେଲେ ସେ ହସ୍‌ପିଟାଲ୍‌କୁ ଯିବାକୁ ରାଜି ହୋଇନଥିଲେ। ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖ ଦିନ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଥିପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାଗୁଡ଼ିକ ସହ ନିୟମିତ ମନିଟରିଂ କରିଥିଲେ। ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଥାଉକି, ଏହି ଦଶଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖିଲା ରାସନକୁ ଆଗାମୀ ଜୁନ ମାସ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ମଇ ୨୫ ତାରିଖ ସୁଦ୍ଧା ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର