ଭୁବନେଶ୍ୱର: ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରୁତ୍ବ ବଢିଛି ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ । କରୋନା ମହାମାରୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାମାରୀ ଯୋଗୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛେ । ବହୁ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି । ତେଣୁ ରାଜ୍ୟ ସରକାର ଗରିବ ଲୋକ, ଚାଷୀ, ଶ୍ରମିକ, ମା ସମସ୍ତଙ୍କ ପାଇଁ ୨୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।
ଆଜି ଜଗତସିଂହପୁର ଜିଲ୍ଲାରେ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ଉଦ୍ଘାଟିତ ହେଲା ବୋଲି ପ୍ରକାଶ କରି ସେ କହିଲେ ଯେ କୋଭିଡ ସମୟରେ ଓଡିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍ସିଜେନ ଯୋଗାଇ ଦେଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ ଓ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା ମାନଙ୍କ ସଶକ୍ତିକରଣ ବା କ୍ରୀଡା ପ୍ରତିଭାର ବିକାଶ - ଏ ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା ଓ ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।
/sambad/media/post_attachments/wp-content/uploads/2021/08/37596168-795d-4a0c-ae3e-0743cd36bea2-1024x560.jpg)
କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଜଳସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ଓଡିଶା ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି କ୍ରୀଡାର ବିକାଶ ପର୍ଯ୍ୟନ୍ତ ଏବଂ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ କ୍ଷେତ୍ରରେ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି ବୋଲି ସେମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାଠାରେ ଏକ ଉଚ୍ଚସ୍ତରୀୟ ସେତୁ, ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/a395089f-c4b4-433b-9f82-81cff0012213.jpg)