ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳକୁ ତତ୍କାଳୀନ ସରକାର ସ୍ବାଭିମାନ ଅଞ୍ଚଳ ବୋଲି ଘୋଷଣା କରିବା ସହ ସେତୁ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ୧୩ଟି ବିଭାଗ ଦ୍ବାରା ୩୨୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଥିରୁ ୨୧୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। କିନ୍ତୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ଜୀବନ ତଥା ଜୀବିକାରେ ବିଶେଷ ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି।

Advertisment

ଜଳ ଓ ପରିମଳ ବିଭାଗ ପାଇଁ ୭୦ଟି ପ୍ରକଳ୍ପ ବାବଦରେ ୧୮କୋଟି ୪ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଭାଗ ଟଙ୍କାଟିଏ ସୁଦ୍ଧା ଖର୍ଚ୍ଚ କରିପାରିନି। ତେଣୁ ପାଣି ଘେରରେ ରହିଥିଲେ ସୁଦ୍ଧା ଅଞ୍ଚଳବାସୀଙ୍କ ଭାଗ୍ୟରେ ବିଶୁଦ୍ଧ ପାଣି ଜୁଟିନାହିଁ। ପାଣି ପାଇଁ ଅଞ୍ଚଳବାସୀ ମାଇଲ ମାଇଲ ବାଟ ଚାଲିବା ସହ ଦୂଷିତ ପାଣି ପିଉଛନ୍ତି। ସେହିପରି ମିଶନ ଶକ୍ତି ବିଭାଗ ପକ୍ଷରୁ ୨୦ଟି ପ୍ରକଳ୍ପ ପାଇଁ ୮୫କୋଟି ୨୦ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା ବେଳେ  ୬୩କୋଟି ୪ଲକ୍ଷ ଟଙ୍କା ବିଭାଗକୁ ମିଳିଛି। ସେଥିରୁ ୩୩କୋଟି ୩ଲକ୍ଷ ଟଙ୍କା ଖର୍ଚ୍ଚ କରି ମାତ୍ର ୫୨ପ୍ରତିଶତ ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିଛି।

ଅନ୍ୟ ବିଭାଗର ପ୍ରଦର୍ଶନ ମଧ୍ୟ ସେତେଟା ଉତ୍ସାହଜନକ ନୁହେଁ। ଆଇଟିଡିଏ ପକ୍ଷରୁ ୧୮୧ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଥିଲା, ସେଥିରୁ ମାତ୍ର ୮୫ଟି କାମ ସରିଛି। ବିଭାଗକୁ ମୋଟ ୫୧କୋଟି ୪୩ଲକ୍ଷ ଟଙ୍କା ମିଳିଥିଲା ବେଳେ ୪୬ପ୍ରତିଶତ କାମ ଶେଷ କରି ୨୩ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ତ୍ତ ବିଭାଗକୁ ୫ଟି ପ୍ରକଳ୍ପ ନିମନ୍ତେ ୨୭କୋଟି ୭୯ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ଗୋଟିଏ ପ୍ରକଳ୍ପ ବି ଆରମ୍ଭ ହୋଇପାରିନି। କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁଦାନ ଖର୍ଚ୍ଚ‌ରେ ଆଗୁଆ ରହିଛି। ୩୨ଟି ପ୍ରକଳ୍ପ ବାବଦରେ ମିଳିଥିବା ୪୫କୋଟି ୯ଲକ୍ଷ ଟଙ୍କାରୁ ୯୯ପ୍ରତିଶତ ଖର୍ଚ୍ଚ ହୋଇଛି। ଉଠାଜଳସେଚନ ବିଭାଗକୁ ୩୯୦ଟି ପ୍ରକଳ୍ପ ପାଇଁ ୬୩କୋଟି ୮୩ଲକ୍ଷ ଟଙ୍କା ମିଳିଥିଲା ବେଳେ ମାତ୍ର ୩୪କୋଟି ୬୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଶିକ୍ଷା ବଭାଗକୁ ୭୫୮ଟି ପ୍ରକଳ୍ପ ପାଇଁ ୪୨କୋଟି ୧୫ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ୧୪କୋଟି ୫୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି। କୃଷି ବିଭାଗ ୮୪କୋଟି ୪ଲକ୍ଷ ଟଙ୍କାରୁ ୮୧କୋଟି ୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ମତ୍ସ୍ୟ ବିଭାଗ ୧୦ଟି ପ୍ରକଳ୍ପ ବାବଦରେ ପାଇଥିବା ୧୫କୋଟି ୮୩ଲକ୍ଷ ଟଙ୍କାରୁ ୧୪କୋଟି ୭୯ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। 

ବିତ୍ୟୁତ୍‌ ବିଭାଗ ମଧ୍ୟ ପଛରେ ପଡ଼ିଛି। ୧୧୬ଟି ପ୍ରକଳ୍ପ ପାଇଁ ୩୨କୋଟି ୨୭ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ୧୮କୋଟି ୩୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ୧୬ଟି ପ୍ରକଳ୍ପ ପାଇଁ ୯କୋଟି ୩୪ଲକ୍ଷ ଟଙ୍କା ପାଇଥିଲା, ୯କୋଟି ୧୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଚିତ୍ରକୋଣ୍ଡା ବ୍ଲକକୁ ୩୩୧ଟି ପ୍ରକଳ୍ପ ବାବଦରେ ୧୯କୋଟି ୫୭ଲକ୍ଷ ଟଙ୍କା ମିଳିଥିଲା ବେଳେ ୧୭କୋଟି ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କୋରୁକୋଣ୍ଡା ବ୍ଲକକୁ ୫୮ଟି ପ୍ରକଳ୍ପ ପାଇଁ ୭କୋଟି ୨୫ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ମାତ୍ର ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରମୁଖ ବିଭାଗ ଗୁଡ଼ିକ ଅନୁଦାନ ଖର୍ଚ୍ଚରେ ବିଳମ୍ବ କରିବା କାରଣରୁ ଏବେ ବି ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚି ପାରିନି। ଜିଲ୍ଲାପାଳଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ ସମୟରେ ଲୋକ ମାଳମାଳ ସମସ୍ୟା ନେଇ ପହଞ୍ଚିବା ପରେ ବିକାଶର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।