୨୧୭ ମିନି ଷ୍ଟାଡିୟମ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି

ଭୁବ‌େନଶ୍ବର : ରାଜ୍ୟରେ ୩୧୪ଟି ବ୍ଲକ୍‌ସ୍ତରୀୟ ଓ ୧୪୯ଟି ସହରାଞ୍ଚଳ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ମୋଟ୍ ୨୧୭ଟି ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ହୋଇଛି। ୧୨୮ଟି କାର୍ଯ୍ୟ ଚାଲୁ ରହିଛି ଓ ୧୧୮ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟ ସୁ‌େରଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେ‌େହରା ଏହି ସୂଚନା ଦେଇଥିଲେ।

ଫୁଟ୍‌ବଲ୍‌ ଖେଳର ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତା ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ, ସର୍ବ ଭାରତୀୟ ସ୍ତରରେ ଫୁଟ୍‌ବଲ୍‌ ପ୍ରତିଯୋଗିତା ନିମନ୍ତେ ଫୁଟ୍‌ବଲ୍‌ ଫେଡେରେସନ୍‌ର ମାନ୍ୟତା ଅନୁସାରେ ଫୁଟ୍‌ବଲ୍‌ ପଡ଼ିଆ ନିର୍ମାଣ କରାଯାଉଛି। ସର୍ବଭାରତୀୟ କଳିଙ୍ଗ କପ୍ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଫୁଟ୍‌ବଲ୍‌ ଆସୋସିଏସନ୍ ଅଫ୍ ଓଡ଼ିଶାକୁ ବାର୍ଷିକ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି। ଇଣ୍ଡିଆନ୍ ସୁପର୍ କପ୍ ଫୁଟ୍‌ବଲ୍‌ ପ୍ରତିଯୋଗିତା ଓ ହିରୋ ସୁପର କପ୍ ପ୍ରତିଯୋଗିତା ଆୟୋଜନ ‌ହୋଇଛି। ୧୬ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଦଳ ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ଓ ସମସ୍ତ ବ୍ୟବସ୍ଥାଗତ ସୁବିଧା କଳିଙ୍ଗ ଷ୍ଟାଡିୟମ୍‌ରେ ଯୋଗାଇ ଦିଆଯାଇଛି। ଫୁଟ୍‌ବଲ୍‌ ହାଇପର୍ଫମାସନ୍ସ ସେଣ୍ଟର୍ ନିର୍ମାଣ ପାଇଁ ଜେଏସ୍‌ଡବ୍ଲ୍ୟୁ କମ୍ପାନି ଓ ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରେସନ୍‌ ସହ ଓଡ଼ିଶା ସରକାରଙ୍କ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଭୂପିନ୍ଦର ସିଂହ, ଜୟନାରାୟଣ ମିଶ୍ର ଓ ରୋହିତ ପୂଜାରୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର