ରାୟଗଡ଼ା: ଜିଲ୍ଲାରେ ଥିବା ୨ଟି ଜେଲରେ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ଜେଲରୁ ୫ ଜଣ କର୍ମଚାରୀ ଓ ୧୫୭ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଜେଲରେ ୬୧ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

Advertisment

ପୂର୍ବରୁ କରୋନା ପଜଟିଭ ଚିହ୍ନଟ ହେବା ପରେ ଉଭୟ ରାୟଗଡ଼ା ଓ ଗୁଣପୁର ଜେଲରେ ସ୍ୱାବ ନମୁନା ସଂଗ୍ରହ ହୋଇଥିଲା। ଗତକାଲି ଗୁଣପୁର ଜେଲରୁ ୯୧ ଜଣ ଅନ୍ତେବାସୀଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିରୁ ୬୧ ଜଣଙ୍କର ନମୁନା ପଜିଟିଭ ରିପୋର୍ଟ ଆସିଛି।

ତେବେ ଏତେ ସଂଖ୍ୟାରେ ଅନ୍ତେବାସୀ ଓ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲା ଜଜ ଚିତ୍ତ ରଞ୍ଜନ ଦାଶ, ଏସ୍‌ପି ଡ଼ା. ଶର୍ବଣା ବିବେକ ଏମ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜଙ୍କ ସହ ଜେଲ୍‌ ପରିଦର୍ଶନ କରିଛନ୍ତି।

publive-image

ଜିଲ୍ଲାପାଳ ଶ୍ରୀ ବେହରା କହିଛନ୍ତି, ଜେଲ ଭିତରେ ଆଇସୋଲେସନ ଓ୍ଵାର୍ଡ ଖୋଲାଯାଇଛି ଏବଂ ସମସ୍ତଙ୍କୁ ମେଡିସିନ କିଟ ଦିଆଯାଇଛି। ଆଜି ଚିହ୍ନଟ ସମସ୍ତ କରୋନା ଆକ୍ରାନ୍ତ ଲକ୍ଷଣ ବିହୀନ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରୁ ୩୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରେ ରାୟଗଡ଼ା ଜିଲ୍ଲାରୁ ୪୯୫ ଜଣ ଆକ୍ରାନ୍ତ ଅଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ ୪୨୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୨୭୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲାରେ କରୋନା ଭାଇରସ ୨୨ ଜଣଙ୍କର ଜୀବନ ନେଇଥିବା ବେଳେ ଏବେ ୧୯୭୫ ଜଣ ଚିକିତ୍ସାଧୀନ ଅଛନ୍ତି।