ଏକବିଂଶ ଶତାବ୍ଦୀ ହେଉ ଶାନ୍ତିର ଶତାବ୍ଦୀ

ଦଲାଇ ଲାମାଙ୍କୁ କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ

ଭୁବନେଶ୍ୱର: ବିଂଶ ଶତାବ୍ଦୀରେ ବିଶ୍ୱବାସୀ ଦୁଇଟି ବିଶ୍ୱଯୁଦ୍ଧ ଦେଖିଥିଲେ। ଏଥିରେ ପରମାଣୁ ବୋମାର ବ୍ୟବହାର ହୋଇଥିଲା। ସମାଜର ବିକାଶ ଲାଗି ବୈଜ୍ଞାନିକଙ୍କ ବୁଦ୍ଧି ପ୍ରୟୋଗ ହେବା ବଦଳରେ ତାହା ଧ୍ୱଂସ ଦିଗରେ ବ୍ୟବହୃତ କରାଯାଇଥିଲା। ହିଂସା ଓ ଦ୍ୱେଷ ମଧ୍ୟରେ ଅତିକ୍ରମ କରିଛି ବିଂଶ ଶତାବ୍ଦୀ। ବର୍ତମାନର ପିଲାମାନେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛନ୍ତି। ସେମାନଙ୍କ ହାତରେ ବିଶ୍ୱର ଭବିଷ୍ୟତ। ନିଜ ଭିତରେ ଥିବା କ୍ରୋଧ ଓ ହିଂସା ଆମକୁ ଧ୍ୱଂସ ଆଡ଼କୁ ଟାଣିନେଇଥାଏ। ଯାହାକି ଭୟଙ୍କର ପରିସ୍ଥିତି ସୃଷ୍ଟି କରେ। ତେଣୁ ଏବେ ସମୟ ଆସିଛି ଆମର ଅନ୍ତର୍ନିହିତ ଶାନ୍ତି ଦ୍ୱାରା ବିଶ୍ୱରେ ଶାନ୍ତି ଅଣାଯାଇପାରିବ। ଦଶମ କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ ଗ୍ରହଣ କରି ବୌଦ୍ଧ ଧର୍ମଗୁରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା ଏକଥା କହିଛନ୍ତି।

ଆଜି କିସ୍‌ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ଗ୍ରହଣ ଅବସରରେ ଦଲାଇ ଲାମା କହିଲେ, ବର୍ତମାନ ସମୟରେ ଆଧୁନିକ ଶିକ୍ଷା ପର୍ଯ୍ୟାପ୍ତ ହେଉନାହିଁ। ଏଥିରେ ନୈତିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଏ ଦିଗରେ ଗବେଷଣା ଆରମ୍ଭ ହୋଇଛି। ଏହାକୁ କିପରି ଆଧୁନିକ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇପାରିବ, ସେଦିଗରେ ଗବେଷକମାନେ କାର୍ଯ୍ୟ ଜାରି ରଖିଛନ୍ତି। ସେ ଆହୁରି କହିଲେ ଯେ ଭାରତ ପ୍ରାଚୀନ ସଭ୍ୟତା ଓ ଐତିହ୍ୟ ତଥା ସଂସ୍କୃତି ଉପରେ ପର୍ଯ୍ୟବସିତ। ବୌଦ୍ଧ ଧର୍ମାବଲମ୍ବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ଜନ୍ମ ଦେଇଛି। ବୌଦ୍ଧ ଧର୍ମର ମୂଳ ଉତ୍ସ ହେଉଛି ଭାରତ। ଆମ ଧ୍ୱଂସାତ୍ମକ ମନୋଭାବକୁ ନିୟନ୍ତ୍ରଣ କରିବା ପାଇଁ ଆଧୁନିକ ବିଶ୍ୱରେ ନୈତିକତା ଓ ଜ୍ଞାନର ଅଭାବ ରହିଛି।

ଏହି ସମସ୍ୟାର ସମାଧାନ ନିମନ୍ତେ ଏବେ ବି ଭାରତୀୟ ପ୍ରାଚୀନ ମନସ୍ତତ୍ତ୍ୱର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ ଅତୀତ ହେଉଛି ଅତୀତ। ଭବିଷ୍ୟତ ଆମ ହାତ ପାହାନ୍ତାରେ ରହିଛି। ତେଣୁ ସୁଯୋଗର ସଦ୍‌ବିନିଯୋଗ କରିବା ଦରକାର। ଏକ ନୂତନ ବିଶ୍ୱ ସୃଷ୍ଟି କରିବା ବର୍ତମାନ ପିଢ଼ୀଙ୍କ ଦାୟିତ୍ୱ। ମଣିଷକୁ ଜାତି, ଧର୍ମ ଓ ବର୍ଣ୍ଣ ଭିିତ୍ତିରେ ବିଭାଜିତ କରିବା ଠିକ୍‌ ନୁହେଁ। ଅବହେଳିତ ଲୋକଙ୍କୁ ହୀନ ଦୃଷ୍ଟିରେ ଦେଖିବା ଅନୁଚିତ। ଶାରୀରିକ, ମାନସିକ ଓ ଭାବାବେଗ ଦିଗରୁ ସେମାନେ ବି ସମସ୍ତଙ୍କ ସହ ସମାନ। ତୁମ ମଧ୍ୟରେ ଆତ୍ମବିଶ୍ୱାସକୁ ଜାଗ୍ରତ ରଖିବା ସହ କଠିନ ପରିଶ୍ରମ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ଦଲାଇ ଲାମାଙ୍କୁ ବିଶ୍ୱର କୋଟି କୋଟି ଅବହେଳିତ ଓ ଦଳିତ ଲୋକଙ୍କ ଆଶା ଆଙ୍କାକ୍ଷାର ପ୍ରତୀକ ବୋଲି ଅଭିହିତ କରିଥିଲେ। କିସ୍‌ ଓ କିଟ୍‌ର ସଭାପତି ଶାଶ୍ୱତୀ ବଳ ଦଲାଇ ଲାମାଙ୍କୁ ଦଶମ ହ୍ୟୁମାନିଟାରିଆନ୍‌ ସମ୍ମାନ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର