ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କୋଏମ୍ବାଟୁର୍ଠାରେ ଚାଷୀମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କରିଛନ୍ତି। ଦେଶର ୯କୋଟି ଚାଷୀଙ୍କୁ ଏହି କିସ୍ତିରେ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ସେଥିରେ ଓଡ଼ିଶାର ୩୪ ଲକ୍ଷ ୧୨ ହଜାର କୃଷକ ସାମିଲ ଅଛନ୍ତି। ଓଡ଼ିଶାର ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମ କୃଷିଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଓଡ଼ିଶା ଚାଷୀଙ୍କୁ ମାର୍ଗଦର୍ଶନ କରିବା ସହିତ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ କୃଷକ ସଶକ୍ତୀକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧାସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ଯେପରି ପାଇପାରିବେ ସେନେଇ ସରକାର ଯତ୍ନବାନ ଅଛନ୍ତି। କୃଷକମାନଙ୍କୁ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ କେନ୍ଦ୍ର ସରକାର ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପିଏମ୍ କିଷାନ ସହିତ ଓଡ଼ିଶା ସରକାର ସିଏମ୍ କିଷାନ ଜରିଆରେ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ସିଏମ୍ କିଷାନ ଯୋଜନାରେ ୫୧.୫୪ ଲକ୍ଷ ଚାଷୀଙ୍କୁ ୨୯୯୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ସିଏମ୍ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ଯୋଜନାରେ ୨୦୨୪-୨୫ ଶିକ୍ଷା ବର୍ଷରେ ୧୩,୯୨୩ ଛାତ୍ରଛାତ୍ରୀଙ୍କୁ ୫୩ କୋଟି ୬୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଯାହାକି ପୂର୍ବ ବର୍ଷ ତୁଳନାରେ ୫ ଗୁଣ ଅଧିକ। ପିଏମ୍ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଚୟନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର କୃଷକମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଖୋର୍ଦ୍ଧାଜିଲ୍ଲା ବାଲିଅନ୍ତାର ଚାଷୀ ସୁବାସ ଚନ୍ଦ୍ର ଦାସ, ବାଲିପାଟଣାର ରୂପଶ୍ରୀ ସ୍ୱାଇଁ ଓ ଜଟଣୀ କୁସୁମାଟିର କାର୍ତ୍ତିକ ପରିଡ଼ା ପିଏମ୍ କିଷାନ ଯୋଜନାର ସମସ୍ତ କିସ୍ତିର ସୁବିନିଯୋଗ କରି ଚାଷ କାର୍ଯ୍ୟରେ ସଫଳତା ପାଇଛନ୍ତି ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଫସଲ ବିବିଧିକରଣ ଜରିଆରେ ଧାନ ସହିତ ତେଲ ଜାତୀୟ ଫସଲ, ପନିପରିବା, ଫଳ, ଡାଲିଜାତୀୟ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ, ରାଜ୍ୟର କୃଷିର ବିକାଶକୁ ଲକ୍ଷ୍ୟ କରି କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶା ସରକାରଙ୍କର କୃଷକ କଲ୍ୟାଣ କାର୍ଯ୍ୟକୁ ମଡେଲ୍ ଭାବେ ଗ୍ରହଣ କରିବା ପାଇଁ ମତ ରଖିଛନ୍ତି। ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ ରାଉଳ କହିଥିଲେ, କୃଷି ପାଇଁ ତିନିଟି ସମ୍ବଳ ଯଥା ଜମି, ଶ୍ରମ ଓ ପୁଞ୍ଜି ଆବଶ୍ୟକ। କୃଷକଙ୍କ ପାଖରେ ଜମି ଓ ଶ୍ରମ ରହିଥିବା ବେଳେ ପିଏମ୍ କିଷାନ ଜରିଆରେ ସରକାର ଯୋଗାଇ ଦେଉଥିବା ପୁଞ୍ଜି ଚାଷୀମାନଙ୍କୁ ମାନସିକ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ କରୁଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।
PM Kisan Samman: ପିଏମ୍ କିଷାନ୍ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ ‘କୃଷକ ସଶକ୍ତୀକରଣ ଓ କଲ୍ୟାଣ ହିଁ ସରକାରଙ୍କ ଲକ୍ଷ୍ୟ’
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କୋଏମ୍ବାଟୁର୍ଠାରେ ଚାଷୀମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କରିଛନ୍ତି। ଦେଶର ୯କୋଟି ଚାଷୀଙ୍କୁ ଏହି କିସ୍ତିରେ....
/sambad/media/media_files/2025/11/20/untitled-9-2025-11-20-06-08-53.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)