ବଲାଙ୍ଗୀର: କଳାକାର ପାଇଁ ଦର୍ଶକ ଓ ମଂଚ ଦରକାର। ଲୋକଉତ୍ସବରେ କଳାକାରମାନେ ବେଶ୍‌ ଉତ୍ସାହର ସହ ରଂଗ ମାଖି ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି। କରୋନା ପରେ ଏ ବର୍ଷ କଳାକାରଙ୍କ ଭିତରେ ଉତ୍ସାହ ପୁଣି ଆସିଛି। କଳାକାରଙ୍କ ପ୍ରତିଭା ସାମ୍ନାକୁ ଆଣିବାକୁ ଏଭଳି ମହୋତ୍ସବ ଜରୁରି ବୋଲି ଉପଖଣ୍ଡସ୍ତରୀୟ ଲୋକଉତ୍ସବରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଟାଉନ ହଲଠାରେ ୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗୀର ଲୋକଉତ୍ସବ ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଭାବ‌େ ଏସ୍‌ପି ନିତିନ କୁଶଲକର ଯୋଗଦେଇଥିଲେ। ଅତିଥି କଳାକାର ଭାବେ ଡା. ରୁଦ୍ର ପ୍ରସାଦ ପଟେଲ ଓ ଅଶୋକ ଥନାପତି ମଞ୍ଚାସୀନଥିଲେ।

Advertisment

ଆକାଶବାଣୀର ବରିଷ୍ଠ ଉଦ୍‌ଘୋଷକ ମଧୁସୂଦନ ନାୟକ ସଭା ପରିଚାଳନା କରିଥିଲେ। ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଉଦ୍‌ଘାଟନୀ ଉତ୍ସବରେ କଦମପଡ଼ା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସାମ୍ବାଦିକ ପ୍ରଶାନ୍ତ ମହାକୁର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କୁତୁର୍ଲାର କୃଷ୍ଣଚନ୍ଦ୍ର ଚାନ୍ଦ ଓ ବିଲେଇକାନିର ଜୟଦେବ ପଟେଲଙ୍କୁ କଳାପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ନବୀବ କୁଅଁର ଓ  ଅଜୟ ଅମର ସିଂହଦେଓଙ୍କୁ ସମର୍ଦ୍ଧନା ଦିଆଯାଇଥିଲା। ଉପଖଣ୍ଡର ବିଭିନ୍ନ ବ୍ଲକ୍‌ରୁ ଆସିଥିବା କଳାକାରମାନେ ମଞ୍ଚରେ କଳା ପରିବେଷଣ କରିଥିଲେ।

ଲୋକନାଟକରେ ୫ଟି ଦଳ, ଲୋକନୃତ୍ୟରେ ୫ଟି ଦଳ, ଲୋକଗୀତ (ଏକକ)ରେ ୬ଟି ଦଳ, ଲୋକଗୀତ (ଦଳୀୟ)ରେ ୬ଟି ଦଳ, ଲୋକବାଦ୍ୟ (ଏକକ)ରେ ୬ଟି ଦଳ ଓ ଲୋକବାଦ୍ୟ (ଦଳୀୟ)ରେ ୭ଟି ଦଳ ଭାଗ ନେଇଥିଲେ। ଡାଲଖାଇ, ରସରକେଲି, କୃଷ୍ଣଗୁରୁ, ସଂକୀର୍ତ୍ତନ, ଦୁଲଦୁଳି, କରମା, ରାମଲୀଳା ଓ ହଳିଆଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର  ଧାରୁଆ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ବ୍ରହ୍ମାନନ୍ଦ ବନଛୋର, ବାଳମକୁନ୍ଦ ବେହେରା, ପଙ୍କଜ ଜାଲ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମୁରଲୀଧାରୀ ପତି, ଉଦ୍‌ଘୋଷକ ବିଭୁ କଲ୍ୟାଣ ଗଡ଼ତ୍ୟା, ଅର୍ଜୁନ ସାହୁ ଓ ଉଦ୍‌ଘୋଷିକା ମାନସୀ ସାହୁ, ରିଙ୍କି ତ୍ରିପାଠୀ ପରିଚାଳନା କରିଥିଲେ। ଗୋପାଳ ପଧାନ ଧନ୍ୟବାଦ ଦେଇଥିଲେ।