ଭୁବନେଶ୍ବର: ଚଳିତ ସପ୍ତାହରେ ସୁନା ଦରରେ ଯେଭଳି ନିଆଁ ଲାଗିଯାଇଛି। ଗତ ତିନି ଦିନ ଧରି ଲଗାତାର ସୁନା ଦର ବଢ଼ୁଛି। ସବୁଠୁ ଚିନ୍ତାର ବିଷୟ ପାଲଟିଛି ୨୨ କ୍ୟାରେଟ୍ ସୁନାରେ ହେଉଥିବା ବୃଦ୍ଧି। ଏହି ସୁନାରେ ଅଳଙ୍କାର ତିଆରି ହେଉଛି। ବିବାହ ଋତୁ ସମୟରେ ସୁନା ଦରରେ ଏଭଳି ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଲାଣି। ଅକ୍ଷୟ ତୃତୀୟା ପାଖେଇ ଆସୁଥିବା ବେଳେ ସୁନା ବ୍ୟବସାୟୀମାନେ ବେପାରକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ୨୨ କ୍ୟାରେଟ୍ ସୁନା ଦାମ୍ ଶୁକ୍ରବାର ୧୮୫୦ ଟଙ୍କା ବୃଦ୍ଧି ପାଇ ୮୭,୪୫୦ ଟଙ୍କା ହୋଇଛି।
ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ୯୫ହଜାର ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଏହାର ଦାମ୍ ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫,୪୦୦ ଟଙ୍କା ହୋଇଛି। ଗତ ତିନି ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୫୨୦୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୫୬୭୦ ଟଙ୍କା ମହଙ୍ଗା ହୋଇଛି। ରୁପା ଦାମ୍ ମଧ୍ୟ ଶୁକ୍ରବାର ୧୦୦୦ ଟଙ୍କା ବଢ଼ିଥିବାରୁ ଏହାର କିଲୋପିଛା ଦାମ୍ ୧,୦୮,୦୦୦ ଟଙ୍କା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଲଢ଼େଇ ପ୍ରଭାବରେ ସୁନା ମହଙ୍ଗା ହେଉଛି। କେବଳ ଭୁବନେଶ୍ବର କିମ୍ବା ଭାରତ ନୁହେଁ, ସାରା ବିଶ୍ବରେ ସୁନା ଦର ବଢ଼ୁଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୩୨୧୯.୮୪ ଡଲାର ରହିଛି। ଅନ୍ତର୍ଜାତୀୟ ଦର ଅନୁସାରେ ଭାରତରେ ସୁନା ଦରରେ ପରିବର୍ତ୍ତନ ହେଉଛି। ଯଦିଓ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି, କିନ୍ତୁ ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି।
ଉଭୟ ଦେଶ ପରସ୍ପର ଉପରେ ଟିକସ ଲଦି ଚାଲିଛନ୍ତି। ଚୀନ୍ ଉପରେ ଆମେରିକା ଏହାର ଶୁଳ୍କ ପରିମାଣ ୧୮୫ ପ୍ରତିଶତକୁ ବଢ଼ାଇଥିବା ବେଳେ ତାହାର ଜବାବରେ ଆମେରିକା ଉପରେ ଚୀନ୍ ଏହାର ଶୁଳ୍କକୁ ୧୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ବିଭିନ୍ନ ଦେଶର ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ହେବା ମଧ୍ୟ ସୁନା ଦରରେ ହେଉଥିବା ବୃଦ୍ଧିର ଅନ୍ୟତମ କାରଣ କୁହାଯାଇଛି। ଏଭଳି ଉଚ୍ଚ ସ୍ତରରେ ସୁନା ଦର ରହିଲେ ଗ୍ରାହକଙ୍କ ପାଇଁ କିଣାକିଣି କଷ୍ଟକର ହୋଇପଡ଼ିବ ବୋଲି ଜଣେ ସୁନା ବ୍ୟବସାୟୀ ସ୍ବୀକାର କରିଛନ୍ତି। ସୋ’ରୁମ୍ଗୁଡ଼ିକ ଘୋଷଣା କରୁଥିବା ଅଫର୍ର ଲାଭ ଉଠାଇ ଅଳ୍ପ ଅଳ୍ପ ପରିମାଣର ସୁନା କିଣିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି।