ସମ୍ବଲପୁର : ସମ୍ବଲପୁର ରେଳ ଷ୍ଟେସନ୍‌ଗୁଡ଼ିକରେ ମାତିଥିଲେ ମହିଳା ଲୁଟେରା ଗ୍ୟାଙ୍ଗ୍‌। ବୁଧବାର ରାତି ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ ହେବା ପରେ ସମ୍ବଲପୁର ସହରରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଧନୁପାଲି ପୁଲିସ ଓ ସମ୍ବଲପୁର ଜିଆର୍‌ପି ପୁଲିସ ଗୁରୁବାର ଏହି ଲୁଟେରା ଗ୍ୟାଙ୍ଗ୍‌ର ୨୨ ଜଣ ମହିଳାଙ୍କୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ୨୨ ଜଣଙ୍କୁ ନାରୀବନ୍ଦୀ ନିକେତନ ପଠାଇ ଦିଆଯାଇଛି। ଏହି ୨୨ ଜଣ ଜେଲ୍‌କୁ ଆସିବା ପରେ ନାରୀବନ୍ଦୀ ନିକେତନର କଏଦୀ ସଂଖ୍ୟା ୨ ଗୁଣର ଅଧିକ ହୋଇଯାଇଛି। ପୂର୍ବରୁ ୧୬ ଜଣ କଏଦୀ ସେଠାରେ ଥିବା ବେଳେ ଏହି ୨୨ ଜଣଙ୍କୁ ମିଶାଇ କଏଦୀ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି।

Advertisment

ସୂଚନାଯୋଗ୍ୟ, ବୁଧବାର ଏହି ମହିଳା ଗ୍ୟାଙ୍ଗ୍‌ ସମ୍ବଲପୁର ସିଟି ଷ୍ଟେସନ୍‌ରେ ଲୋକଙ୍କୁ ଲୁଟ୍‌ କରିଥିଲେ। ତେବେ ପର୍ସ ଲୁଟିବା ବେଳେ ଜଣେ ମହିଳା ଦେଖିଦେଇ ପାଟି କରିଥିଲେ। ଏହାପରେ ଗ୍ୟାଙ୍ଗ୍‌ର ମହିଳାମାନେ ଅଟୋରେ ଚାଲି ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ମହିଳା ଓ ତାଙ୍କ ପରିବାର ଲୋକେ ସେମାନଙ୍କୁ ପିଛା କରି ସାକ୍ଷୀପଡା ନିକଟରେ କାବୁ କରିଥିଲେ। ଧନୁପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣ ମହିଳାଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ଚିଲି ସ୍ପ୍ରେ, କ୍ଲୋରୋଫ୍ଲୋରୋ କାର୍ବନ, ଲଙ୍କାଗୁଣ୍ଡ, ଛୁରି ସହ ଟଙ୍କା ଜବତ ହୋଇଥିଲା। ଅନ୍ୟପଟେ ସିଟି ଷ୍ଟେସନ୍‌ ନିକଟରେ ପାଟିତୁଣ୍ଡ ହେବା ପରେ ସମ୍ବଲପୁର ଆର୍‌ପିଏଫ୍‌ ମଧ୍ୟ ପିଛା କରି ଗ୍ୟାଙ୍ଗ୍‌ର ଆଉ ୧୧ ମହିଳାଙ୍କୁ ଧରି ସମ୍ବଲପୁର ଜିଆର୍‌ପି ପୁଲିସକୁ ହସ୍ତାନ୍ତର କରିଥିଲା। ଜିଆର୍‌ପି ପୁଲିସ ୧୧ ଜଣ ମହିଳାଙ୍କୁ ଗୁରୁବାର କୋର୍ଟଚାଲାଣ କରିଥିଲା। ସେମାନଙ୍କ ପାଖରୁ ଲୁଟ୍‌ ଟଙ୍କା ମିଳିଥିଲା। କିନ୍ତୁ ଜଣେ ମହିଳାଙ୍କ ସୁନା ଚେନ୍‌ ମିଳି ନଥିବା ଜିଆରପି ପକ୍ଷରୁ କହାଯାଇଛି।