ଏବେ ‘ମୋ ସରକାର’ରେ ୨୨ ବିଭାଗ

ଲୋକଙ୍କ ଇଚ୍ଛାକୁ ସମ୍ମାନ ଦିଅ : ମୁଖ୍ୟମନ୍ତ୍ରୀ, ‘ମୋ ସରକାର’ରେ ସାମିଲ ହେଲା ଆଉ ୫ ବିଭାଗ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ‘ମୋ ସରକାର’ରେ ଆଜି ଆଉ ୫ଟି ବିଭାଗ ସାମିଲ ହୋଇଛନ୍ତି। ଏହି ବିଭାଗଗୁଡ଼ିକ ହେଲେ ଜଳସମ୍ପଦ, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ। ଏହାକୁ ମିଶାଇ ମୋଟ୍‌ ୨୨ଟି ବିଭାଗ ‘ମୋ ସରକାର’ରେ ସାମିଲ ହେଲେଣି।

ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୫ଟି ବିଭାଗକୁ ସାମିଲ୍‌ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ପାଇଁ ଅଧିକାରୀମାନଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହେଲେ ଆତ୍ମା। ସରକାର ହେଉଛି ଲୋକଙ୍କ ଇଚ୍ଛାର ଏକ ପ୍ରତିଫଳନ। ସେମାନଙ୍କ ଆଶା, ଆକାଂକ୍ଷା ପୂରଣ କରିବାକୁ ସରକାର ଗଠନ ହୋଇଛି। ତେଣୁ ଲୋକଙ୍କ ସ୍ବାଭିମାନକୁ ସମ୍ମାନ ଦେଇ ସେମାନଙ୍କ ସେବା କରିବା ହେଉଛି ସରକାରୀ କର୍ମଚାରୀଙ୍କ କାମ। ଲୋକଙ୍କୁ ସେବା ଯୋଗାଇବା ଏକ ସ୍ଲୋଗାନ୍ ନ ହେଉ, ଏହା ଏକ ସଂସ୍କୃତି ହେବା ଆବଶ୍ୟକ। ସବୁ ସରକାରୀ କର୍ମଚାରୀ ଏହାକୁ ମନେ ରଖିବା ଉଚିତ। ଲୋକଙ୍କ ଆତ୍ମ ମର୍ଯ୍ୟାଦା ଓ ସ୍ବାଭିମାନକୁ ‌ସମ୍ମାନ ଦେଲେ ସରକାରୀ କର୍ମଚାରୀମାନେ ନିଜେ ‌େସହି ସମ୍ମାନ ପାଇବେ। ଫଳରେ ଶାସନ ବ୍ୟବସ୍ଥା ଲୋକଙ୍କ ପାଇଁ ଫଳପ୍ରଦ ଭାବେ କାମରେ ଲାଗିବ। ପ୍ରତିଟି ନାଗରିକ ଯେ କୌଣସି କାର୍ଯ୍ୟରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବ, ସେ ସନ୍ତୁଷ୍ଟ ହୋଇ ଫେରିବା ହିଁ ପ୍ରତି ବିଭାଗର ଲକ୍ଷ୍ୟ ହେଉ। ଏହା ଦ୍ବାରା ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଲୋକଙ୍କ ହିତରେ ଲାଗୁଛି ବୋଲି ସେମାନେ ଅନୁଭବ କରିବେ। ରାଜ୍ୟର ପ୍ରତିଟି ନାଗରିକ ନିଜ ହୃଦୟରୁ ଯେପରି କହି‌େବ ‘ବାସ୍ତବରେ ଏହା ମୋ ସରକାର’, ତାହାକୁ ନିଶ୍ଚିତ କରିବା ପାଇଁ ଦାୟିତ୍ବ ନେବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ସମବାୟ ମନ୍ତ୍ରୀ ‌ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଅରୁଣ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ନିଜ ନିଜ ବିଭାଗରେ ‘ମୋ ସରକାର’ ଅଭିଯାନକୁ ଫଳପ୍ରଦ ଭାବେ ଲାଗୁ କରାଯିବ ବୋଲି କହିଥିଲେ।

ମୁଖ୍ୟ ଶାସନ ସଚିବ ଅସିିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇ ସାଧାରଣ ନାଗରିକଙ୍କୁ ‘ମୋ ସରକାର’ ସଶକ୍ତ କରୁଛି ବୋଲି କହିଥି‌େଲ। ୫-ଟି ସଚିବ ଭି କେ ପାଣ୍ଡିଆନ୍ ୫ଟି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥି‌େଲ। ଅଧିକାରୀ ଓ କର୍ମଚାରୀମାନେ ‘ମୋ ସରକାର’ ନେଇ ସଚେତନ ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମରେ ଯେଉଁ ବାର୍ତ୍ତା ଦିଆଯାଉଛି, ତାହାକୁ ତତ୍‌କାଳ ଗ୍ରହଣ କରି ପଦକ୍ଷେପ ନେବାକୁ ସେ କହିଥିଲେ। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର