ହମାମୀରା ଗାଁରେ କିଡନି ରୋଗ ଆତଙ୍କ, ୨୨ ଆରପାରିରେ, ୫ ଜଣ ଜୀବନ ସହ କରୁଛନ୍ତି ସଂଗ୍ରାମ

ଅନୁଗୁଳ(ସୁବ୍ରତ କୁମାର ସାମଲ): କିଏ ଭେଣ୍ଡିଆ ପୁଅକୁ ହରାଇଛି ତ କିଏ ରୋଜଗାରିଆ ସ୍ୱାମୀକୁ…। କିଏ ବାପା-ମା’କୁ ହରାଇ ଅନାଥ ହୋଇଛି ତ କିଏ ଆଖି ଆଗରେ ଝିଅର ମୃତ୍ୟୁ ଦେଖିଛି। ପୁଣି କାହା ଦେହରେ ଭଉଣୀର କିଡ୍‌ନି ପ୍ରତିରୋପଣ ହୋଇଛି ତ କିଏ ପିଉସୀ ପ୍ରଦତ୍ତ କିଡ୍‌ନିରେ ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛି। ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୮କିଲୋମିଟର ଦୂର ବେଡ଼ା ଶାସନ ପଞ୍ଚାୟତର ହମାମୀରା ଗାଁର ଇଏ ହେଉଛି ତାଜା ସ୍ଥିତି। କିଡ୍‌ନି ରୋଗକୁ ନେଇ ଗାଁରେ ଆତଙ୍କ। ଗାଁର ଦୂଷିତ ନଳକୂପ ଜଳ ଏବେ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି! ଅକାଳରେ ଆଖି ବୁଜୁଛନ୍ତି ବୁଢ଼ାଠୁ ଭେଣ୍ଡା। ଜଣେ କମ୍ବା ଦୁଇ ଜଣ ନୁହଁନ୍ତି, ଗଲା ପ୍ରାୟ ୮ବର୍ଷରେ ୨୨ଜଣଙ୍କର କିଡ୍‌ନି ରୋଗରେ ମୃତ୍ୟୁ ଘଟିଲାଣି ବୋଲି ହମାମୀରା ଗାଁ ଲୋକ ଦାବି କରୁଛନ୍ତି।

ସଂଘାତିକ କଥାଟି ହେଉଛି, ଏବେ ବି ୫ଜଣ ଲୋକ କିଡ୍‌ନିରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଶନିବାର ବିଳମ୍ବିତ ରାତିରେ ରାଧାନାଥ ସାହୁଙ୍କ ମୃତ୍ୟୁ ପରେ ଗାଁରେ କିଡ୍‌ନି ମୃତକଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା କୁହାଯାଉଛି। ହେଲେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଂଗୁନାହିଁ। ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି। ନା କୌଣସି ସ୍ଥାୟୀ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛି ନା ବିଷାକ୍ତ ଜଳକୁ କିଭଳି ବିଶୁଦ୍ଧ କରାଯାଇ ଗାଁ ଲୋକଙ୍କୁ ଯୋଗାଇ ଦିଆଯିବ, ସେ ଦିଗରେ ପଦକ୍ଷେପ ନେଉଛି। ଆଉ କେତୋଟି ମୁଣ୍ଡ ଗଡ଼ିବା ପରେ ପ୍ରଶାସନ ହେଜିବ, ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ହମାମୀରା ଗାଁର ନଳକୂପ ଜଳ ଦୂଷିତ ବୋଲି ଖୋଦ୍‌ ପ୍ରଶାସନ ସ୍ୱୀକାର କରିଛି। ଗତ ୨ତାରିଖରେ ଗାଁରେ ଡେଙ୍ଗୁରା ପିଟି ନଳକୂପ ଜଳ ନପିଇବାକୁ ବାରଣ କରିଛି। ଏହାର ବାସ୍ତବ ସ୍ଥିତି ପରଖିବା ପାଇଁ ‘ସମ୍ବାଦ’ ଟିମ୍‌ ଦିନ ସାଢ଼େ ୧୧ଟାରେ ହମାମୀରା ଗାଁରେ ପହଞ୍ଚିଥିଲା। ଗାଁ ଲୋକଙ୍କୁ ଭେଟି କିଡ୍‌ନି ରୋଗର କାରଣ ସଂପର୍କରେ ପଚାରି ବୁଝିଥିଲା। ସେମାନଙ୍କ ମୁହଁରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ଚକିତ କଲା ଭଳି। ଗାଁ ଲୋକଙ୍କ କହିବାନୁଯାୟୀ, ଗଲା ପ୍ରାୟ ୮ବର୍ଷ ଭିତରେ କିଡ୍‌ନି ରୋଗରେ ୨୨ଜଣ ମଲେଣି। କିନ୍ତୁ ରୋଗର କାରଣ ସଂପର୍କରେ ପ୍ରଥମେ ଜାଣିପାରୁନଥିଲୁ। ଦୁଇ ବର୍ଷ ତଳେ ନଳକୂପ ଜଳ ଦୂଷିତ ବୋଲି ପ୍ରଶାସନ ଜଣାଇବା ପରେ କାରଣ ଜାଣିଲୁ ସତ, କିନ୍ତୁ ବିକଳ୍ପ ବ୍ୟବସ୍ଥା ନଥିବାରୁ ଆମେ ସେହି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛୁ ବୋଲି କ୍ଷୋଭର ସହ କୁହନ୍ତି ଗ୍ରାମବାସୀ।

ବେଡ଼ାଶାସନ ପଞ୍ଚାୟତ ଅଧୀନରେ ଯାଉଥିବା ଏହି ହମାମୀରା ଗାଁ ୬ଟି ଓ୍ଵାର୍ଡକୁ ନେଇ ଗଠିତ। ଲୋକସଂଖ୍ୟା ହେଉଛନ୍ତି ପାଖାପାଖି ୩ ହଜାର। ଗାଁର ପାନୀୟ ଜଳର ମୁଖ୍ୟ ଉତ୍ସ କହିଲେ ସରକାରୀ ନଳକୂପ। ପୂରା ଗାଁରେ ପାଖାପାଖି ୨୨ଟି ନଳକୂପ ରହିଛି। ୮ଟି ଘରୋଇ ବୋରିଂ ବି ଅଛି। ଏହି ୮ଟି ପରିବାରକୁ ଛାଡ଼ି ଦେଲେ ବାକି ସମସ୍ତେ ନଳକୂପ ପାଣି ଉପରେ ବର୍ଷତମାମ୍‌ ନିର୍ଭରଶୀଳ। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କରି ଆସୁଥିବା ସେହି ନଳକୂପ ପାଣି ଯେ ଜହର ପାଲଟିବ ଏବଂ କିଡ୍‌ନି ରୋଗରେ ଲୋକଙ୍କ ଜୀବନ ଯିବ, ତାହା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଗ୍ରାମବାସୀ। ହେଲେ ଦୁଇ ବର୍ଷ ତଳେ ନଳକୂପ ପାଣି ଦୂଷିତ ବୋଲି ପ୍ରଶାସନ ଘୋଷଣା କରି ଟ୍ୟାଙ୍କର୍‌ରେ ପାଣି ଯୋଗାଇ ଦେବା ପରେ ଗାଁ ଲୋକେ କିଡ୍‌ନି ରୋଗର କାରଣ ସଂପର୍କରେ ଅନ୍ତତପକ୍ଷେ ଠଉରାଇ ପାରିଥିଲେ। ହେଲେ ସେତେବେଳକୁ ଏକାଧିକ ଲୋକ କିଡ୍‌ନି ରୋଗରେ ଆଖି ବୁଜି ସାରିଥିବା ବେଳେ ଆଉ କେତେଜଣ ମୃତ୍ୟୁର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲେ। ସ୍ଥିତି ଏପରି ଯେ, ଗୋଟିଏ ଗୋଟିଏ ପରିବାରର ଦୁଇ ତିନି ଜଣ ଲେଖାଏଁ କିଡ୍‌ନିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଗୋଟିଏ ମାସର ବ୍ୟବଧାନରେ ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିବା ଏହାର ପ୍ରମାଣ ଦେଉଛି। ଦୁଇ ବର୍ଷ ତଳେ ଆଗ ପଛ ହୋଇ ଗ୍ରାମର ଭଗବାନ ବେହେରା ଓ ପତ୍ନୀ ଦେଶ ବେହେରା ଆଖି ବୁଜିଥିଲେ। ଅନୁରୂପ ଭାବେ ରାଧାନାଥ ସାହୁ ଶନିବାର ବିଳମ୍ବିତ ରାତିରେ କିଡ୍‌ନି ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଭାଇବୋହୂ ଗେହ୍ଲିଲତା ସାହୁ(୫୫) ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମାତ୍ର ଗେହ୍ଲିଲତାଙ୍କ ଝିଅ ଗୀତାଞ୍ଜଳି ସାହୁ(୩୧) ୧୧ମାସ ତଳୁ ଆରପାରିକୁ ଚାଲିଗଲେଣି। ଜଣ ଜଣ କରି ଏମିତି ବିଭିନ୍ନ ବର୍ଗର ୨୨ଜଣଙ୍କ କିଡ୍‌ନି ରୋଗରେ ମୃତ୍ୟୁ ଘଟି ସାରିଥିବା ଗାଁ ଲୋକ ଦାବି କରୁଛନ୍ତି। କିନ୍ତୁ ଏବେ ଆକ୍ରାନ୍ତ ଥିବା ୫ଜଣଙ୍କୁ ପଚରାଗଲା ବେଳକୁ ସେମାନଙ୍କ ଏଭଳି ଅବସ୍ଥା ପାଇଁ ଦୂଷିତ ପାଣିକୁ ସେମାନେ ଦାୟୀ କରୁଛନ୍ତି। ତେବେ ଗତ ସୋମବାର ପ୍ରଶାସନ ଡେଙ୍ଗୁରା ପିଟି ନଳକୂପ ପାଣି ନପିଇବାକୁ ବାରଣ କରିବା ପରେ ଲୋକମାନେ ବିଶୁଦ୍ଧ ପାଣି ଦାବି କରିଥିଲେ। ଫଳରେ ଏବେ ଗୋଟିଏପଟେ ଟ୍ୟାଙ୍କର୍‌ରେ ଗାଁ ଲୋକଙ୍କୁ ପାଣି ଦିଆଯାଉଥିବା ବେଳେ ଅନ୍ୟପଟେ ଟ୍ୟାପ୍‌ ମରାମତି ଚାଲିଛି। କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏଭଳିସ୍ଥିତିରେ ଗୋଟିଏପଟେ ପ୍ରଶାସନିକ କଳର ଉଦାସୀନତା ଏବଂ ଅନ୍ୟପଟେ ରାଜନୈତିକ ନେତୃବୃନ୍ଦଙ୍କ ଆନ୍ତରିକ ଇଚ୍ଛାଶକ୍ତିର ଅଭାବ ଏବେ ପୂରା ହମାମୀରା ଗ୍ରାମବାସୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇଛି।

ସମ୍ବନ୍ଧିତ ଖବର