ସହର ଉପକଣ୍ଠରେ ୨୨ ହାତୀ, ରେଳଧାରଣାରେ ରହିଲେ ୧୨ ଘଣ୍ଟା, ଟ୍ରେନ ଚଳାଚଳ ପ୍ରଭାବିତ

ଦୀର୍ଘ କସରତପରେ ସନ୍ତୋଷପୁର ଜଙ୍ଗଲକୁ ଘଉଡ଼ାଇଲେ

ରାଉରକେଲା: ଇସ୍ପାତ ସହର ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳରେ ମାରିଛନ୍ତି ହାତୀପଲ। ମୋଟ୍‌ ୨୨ ଜଣିଆ ଏହି ହାତୀପଲ ପାନପୋଷ ଓ ବିଶ୍ରା ରେଞ୍ଜ୍‌ର ଆଖପାଖ ଅଞ୍ଚଳରେ ତାଣ୍ଡବ ରଚିଛନ୍ତି। ଧାନ ସବୁ ଖାଇଦେବାସହ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଦିନକ ପୂର୍ବେ ଏହି ହାତୀପଲ ରେଳଧାରଣା କଡ଼ରେ ଦିନସାରା ରହିବାରୁ ଟ୍ରେନ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ହାତୀପଲ ବିଶ୍ରା ରେଞ୍ଜ୍‌ର ସନ୍ତୋଷପୁର ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡ଼ିଛି। ତେବେ ‌ଯେ କୌଣସି ସମୟରେ ପୁନର୍ବାର ସହରମୁହାଁହେବା ଆଶଙ୍କା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି।

ଏହି ହାତୀପଲରେ ୨ଟି ଦନ୍ତା, ୬ଟି ଛୁଆ ହାତୀ ଓ ୧୪ଟି ମାଈ ହାତୀ, ମୋଟ୍‌ ୨୨ଟି ଥିବା ଜଣାପଡ଼ିଛି। ବେଶ୍‌ କିଛି ଦିନ ହେଲା ଏହି ହାତୀପଲ ଅଞ୍ଚଳରେ ବିଚରଣ କରୁଛନ୍ତି। ବିଶେଷକରି ପାନପୋଷ ଓ ବିଶ୍ରା ରେଞ୍ଜ୍‌ର ବନ୍ଧମୁଣ୍ଡା, ଡୁମେର୍ତା, ଆର୍ ଏସ କଲୋନୀ, ଜବାଘାଟ, ଗୁଙ୍ଗୁଝର, ଉପରବାହାଲ, ସନ୍ତୋଷପୁର, ଆଇଡିଏଲ, ସୋନାପର୍ବତ, ଚିରୁବେଡ଼ା ଆଦି ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛନ୍ତି। ତେବେ ଏହି ହାତୀପଲ ଗତ ୫ ଦିନ ପୂର୍ବେ ସୋନାପର୍ବତ ପାହାଡ଼ରେ ଥିଲେ। ତେବେ ରବିବାର ରାତିରେ ହାତୀପଲ ସହରମୁହାଁ ହୋଇଥିଲେ। ଗତକାଲି(ସୋମବାର) ଭୋର୍‌ ପ୍ରାୟ ୫ଟାରେ ହାତୀପଲ ବନ୍ଧମୁଣ୍ଡା ଡି’କ୍ୟାବିନର ପ୍ରେମନଗର ଅଞ୍ଚଳରେ ପହଞ୍ଚିଥିଲେ। ଜନବସତି ଅଞ୍ଚଳର ଖୁବ୍‌ ନିକଟତର ହୋଇଯାଇଥିବାରୁ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା। ହାତୀପଲକୁ ଜନବସତିରୁ ଦୂରେଇ ରଖିବାକୁ ଅଞ୍ଚଳବାସୀ ଯେଣତେଣ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲା।

ଲୋକଙ୍କ ପାଟିତୁଣ୍ଡ, ଗହଳି ଯୋଗୁଁ ହାତୀପଲ ହାୱଡା-ମୁମ୍ବାଇ ରେଳପଥ ଡାଉନଲେନ୍ କଡ଼ରେ ହିଁ ରହିଯାଇଥିଲେ। ସକାଳ ପ୍ରାୟ ୫ଟାରୁ ସନ୍ଧ୍ୟା ପ୍ରାୟ ୫ଟା ପର୍ଯ୍ୟନ୍ତ;ଅର୍ଥାତ୍‌ ପାଖାପାଖି ୧୨ ଘଣ୍ଟା ରେଳଲାଇନ୍‌ କଡ଼ରେ ରହିଥିଲେ। ଯଦ୍ବାରା ଉକ୍ତ ରେଳପଥରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇପାରିନଥିଲା। ହାତୀଙ୍କ ଉପସ୍ଥିତିକୁ ଦୃଷ୍ଟି ଦେଇ ଟ୍ରେନ୍‌ଗୁଡ଼ିକ ନିର୍ଦ୍ଦାରିତ ବେଗ ଠାରୁ ଢ଼େର୍‌ କମ, ଅର୍ଥାତ୍‌ ୧୦ କିଲୋମିଟର ବେଗରେ ଚଳାଚଳ କରିଥିଲା। ଏ ଭିତରେ ବନ କର୍ତ୍ତୃପକ୍ଷ ହାତୀ ଘଉଡ଼ାଇବାକୁ ୨/୩ ଥର ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳିପାରିନଥିଲା। ତେବେ ଅପରାହ୍ନ ପ୍ରାୟ ୫ଟାରେ ପରେ ହାତୀ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ ବିଭାଗ କର୍ତ୍ତୃପକ୍ଷ, କର୍ମଚାରୀ ବ୍ୟାପକ ପ୍ରସ୍ତୁତି ସହ ହାତୀ ଘଉଡ଼ାଇବା ଆରମ୍ଭ କରିଥିଲେ।

ଦୀର୍ଘ ସମୟର କସରତ ପରେ ଶେଷରେ ସଫଳତା ମିଳିଥିଲା। ପରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ହାତୀପଲକୁ ବିଶ୍ରା ରେଞ୍ଜ୍‌ ଅନ୍ତର୍ଗତ ସନ୍ତୋଷପୁର ସଂରକ୍ଷିତ ଜଙ୍ଗଲରେ ହାତୀପଲକୁ ପଠାଯାଇଛି। ଆଜି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ହାତୀପଲ ଉକ୍ତ ଜଙ୍ଗଲରେ ଥିବା ଜଣାପଡ଼ିଛି। ତେବେ ଏହି ହାତୀପଲ ଏକାଧିକବାର ସହରମୁହାଁ ହୋଇସାରିଥିବାରୁ ସମାନ ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର