ଚମ୍ପୁଆ ରେଞ୍ଜରେ ପଶିଲେ ୨୨ ଟିକିଆ ହାତୀପଲ

ଚମକପୁର: ଖାଦ୍ୟ ଅ​ନ୍ବେଷଣରେ ୨୨ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଅଞ୍ଚଳକୁ ଦୀର୍ଘ ଦିନ ବ୍ୟବଧାନରେ ପଶିଛନ୍ତି। ଏ ନେଇ ଗ୍ରାମବାସୀ  ଭୟଭୀତ ହୋଇ ପଡ଼ିଥିବା ବେଳେ ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛି ବନ ବିଭାଗ। ସୂଚନା ମୁତାବକ, ଗତରାତି ପ୍ରାୟ ୧୦ ଟା ବେଳକୁ ଏହି  ହାତୀପଲ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରୁ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜ ଅଞ୍ଚଳର ଉଖୁଣ୍ଡା ସେକ୍ସନ ବର୍ଦ୍ଧନା ଜଙ୍ଗଲରେ ଦିନବେଳେ ଚଳପ୍ରଚଳ କରିଥିଲେ।

ଏଠି ଥିବା ଏକ ପୋଖରୀରେ ଗାଧୋଇବା ପରେ ସନ୍ଧ୍ୟା ସମୟରେ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମାଞ୍ଚଳରେ ଧାନ ଫସଲକୁ ଖାଇବା ସହିତ ଦଳିମକଚି ଦେଉଛନ୍ତି। ୨୨ ଟିକିଆ ହାତୀପଲରେ ୬ଟି ମାଈହାତୀ, ୭ଟି ଦନ୍ତାହାତୀ ଏବଂ ୯ଟି ଛୁଆହାତୀ ରହିଛନ୍ତି। ଏହି ହାତୀପଲ ଦିନରେ ଜଙ୍ଗଲରୁ ବାହାରି ଉତ୍ପାତ କରୁଥିବା ବେଳେ ସମସ୍ତେ ସଚେତନ ହେବା ସହିତ ସତର୍କ ରହିବାକୁ ନିହାତି ଆବଶ୍ୟକ ହୋଇପଡିଛି।  ହାତୀପଲ ଉପରେ ବନ ବିଭାଗ କଡ଼ା ନଜର ରଖିଥିବା ବେଳେ ତୁରନ୍ତ ଏହି ହାତୀପଲଙ୍କୁ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର