ରଥକୁ ରୂପ ଦିଅନ୍ତି ୨୨ ରୂପକାର

ପୁରୀ: କାରୁକାର୍ଯ୍ୟ ରଥର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ। ରଥ କାଠର ବିଭିନ୍ନ ଅଂଶ ଓ ପଟାରେ ଖୋଦେଇ କରି କାରିଗରୀ ପରିପ୍ରକାଶ କରିଥାଆନ୍ତି ରୂପକାର କାରିଗର। ତିନିରଥ ପାଇଁ ମୋଟ୍‌ ୨୨ ଜଣ ରୂପକାର ନିୟୋଜିତ। ତେବେ ନା ସେମାନେ ଏଥିପାଇଁ କେଉଁଠାରୁ ବିଧିବଦ୍ଧ ତାଲିମ ନେଇଛନ୍ତି ନା କୌଣସି ଡିଗ୍ରି ଅଛି। ଯେବେ ଦସ୍ତଖତ କରିବା ଜାଣି ନ ଥାଆନ୍ତି, ସେଇ ଛୋଟ ବୟସରୁ ରଥଖଳାକୁ ଆସି ବଟାଳି ଧରି ପଟାରେ ରୂପ ଖୋଦେଇ କରନ୍ତି। ରଥଖଳା ହିଁ ତାଙ୍କ ପାଇଁ ଚାଟଶାଳୀ ପାଲଟିଯାଏ।

ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥାଏ। ମାତ୍ର ରୂପକାରଙ୍କ ଖୋଦେଇ କାର୍ଯ୍ୟ ନୃସିଂହ ଚତୁର୍ଦ୍ଦଶୀରୁ ଆରମ୍ଭ ହୁଏ। ରଥଖଳାରେ ପ୍ରବେଶ ପରେ ନୃସିଂହ ଚତୁର୍ଦ୍ଦଶୀରୁ ଶୀତଳଷଷ୍ଠୀ ପର୍ଯ୍ୟନ୍ତ ସେମାନେ କୋଣଗୁଜ କାମ କରନ୍ତି। ଚକଡେରା ପରେ କୋଣଗୁଜ କାମ ସାରି ମହାରଣାଙ୍କୁ ଫିଟିଂ ପାଇଁ ଦିଅନ୍ତି। ଶୀତଳ ଷଷ୍ଠୀଠାରୁ ଋକ୍ମିଣୀ ବିବାହ ପର୍ଯ୍ୟନ୍ତ ସିଂହାସନ କାମ କରିଥାଆନ୍ତି। ଋକ୍ମିଣୀଏକାଦଶୀରୁ ନାଟଗୋଡ଼ କାମ କରି ସ୍ନାନପୂର୍ଣ୍ଣିମା ପୂର୍ବରୁ ରଙ୍ଗ କରିବାକୁ ଚିତ୍ରକର ସେବକଙ୍କୁ ଯୋଗାଇଥାଆନ୍ତି। ଏହିପରି ପର୍ଯ୍ୟାୟକ୍ରମେ ପଟାଗୁଜ, ଚାର ପରିଚ୍ଛା ଆଦି କାମ କରିଥାନ୍ତି।

୧୮ ବର୍ଷ ହେଲା ରୂପକାର ଭାବେ ସେବା ଦେଇ ଆସୁଥିବା ପାଳହରଚଣ୍ଡୀସାହିର ସତ୍ୟରଂଜନ ମହାପାତ୍ର କହିଛନ୍ତି, ପିଲାବେଳୁ ବାପା ଜେଜେଙ୍କ ସହ ଆସି ଏଇଠି କାମ କରିବା ଶିଖୁ। ଏହା ଆମ ଚାଟଶାଳୀ। ଖୋଲ, ବଟାଳି, ସ୍କେଚ୍‌, ମାର୍କର, ଖଡ଼ି ଆଦି ଧରି କାମ ଶିଖିବା ଆରମ୍ଭ କରିଥାଉ। ଏଥିପାଇଁ କୌଣସି ପ୍ରଶିକ୍ଷଣ ନେବାକୁ ପଡ଼ିନାହିଁ। ଏହି କାମ ସ୍ବତନ୍ତ୍ର। ତେଣୁ ଏହା କେବଳ ଏଇଠି ହିଁ ଶିଖିବାର ସୁଯୋଗ ଥାଏ। ଅଭିଜ୍ଞତା ବଢ଼ିଲେ ଏହାର ମାପ ଚୂପ ସବୁ ଧୀରେଧୀରେ ମୁଣ୍ଡ ମଧ୍ୟରେ ସେଟ୍‌ ହୋଇଯାଏ। ପଟା ଉପରେ ହଂସ ବିରାଳ, ଗଜ ବିରାଳ, ନର ବିରାଳ, ସିଂହ ବିରାଳ ଆଦି ରୂପ ଖୋଦେଇ ସହ ପାରମ୍ପରିକ ଡିଜାଇନ୍‌ରେ ଖୋଦେଇ କରାଯାଇଥାଏ। ଏହା ହେଉଛି କନ୍ଦର୍ପ ରଥ। ଯାହା ମନ୍ଦିରରେ ଦେଖିବାକୁ ମିଳେ ତାହା ରଥରେ କରିଥାଉ। ମେସିନର ପ୍ରୟୋଗ ହୁଏ ନାହିଁ।

ସମ୍ବନ୍ଧିତ ଖବର