ବରୀ : ବାତ୍ୟା ତୌକତେ ପ୍ରଭାବରେ ବୁଡ଼ିଗଲା ବାର୍ଜ ପି-୩୦୫ ଜାହାଜ। ଦୀର୍ଘ ୨୨ ଘଣ୍ଟାର ସଂଘର୍ଷ ପରେ ନୌସେନା ଦ୍ବାରା ଉଦ୍ଧାର ହେଲେ ୧୮୮ଜଣ। ଏହି ଜାହାଜରେ ଥିବା ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଇଷାଣପୁର ପଞ୍ଚାୟତ ଶଙ୍କରାକୂଳ ଗ୍ରାମର ପରିକ୍ଷୀତ କରଙ୍କ ପୁଅ ଶ୍ରୀକାନ୍ତ କର ଜୀବନଯୁଦ୍ଧରେ ଜିତି ଘରକୁ ଫେରିବା ପରେ ବଖାଣିଛନ୍ତି ଲୋମଟାଙ୍କୁରା କାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ତୌକତେ ବାତ୍ୟା ସମୟରେ ଫାଟ ସୃଷ୍ଟି ହେବାରୁ ଓଏନ୍ଜିସି ଦ୍ବାରା ନିୟୋଜିତ ବାର୍ଜ ପି-୩୦୫ ଜାହାଜଟି ବୁଡ଼ି ଯାଇଥିଲା। ଏଥିରେ ଥିବା ୨୬୧ ଜଣ ବ୍ୟକ୍ତି ଜୀବନ ବଞ୍ଚାଇବାକୁ ଲାଇଫ୍ ଜାକେଟ ସହାୟତାରେ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଓଡ଼ିଶାର ୭ ଜଣଙ୍କ ଭିତରୁ ୬ ଜଣ ଫେରି ଆସିଛନ୍ତି। ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ୨୨ ଘଣ୍ଟା ଧରି ଲାଇଫ୍ ଜାକେଟ୍ ସହାୟତାରେ ଭାସିଭାସି ଜୀବନ ବଞ୍ଚାଇବା ଓ ସମୁଦ୍ର ଭିତରେ ବାତ୍ୟାକୁ ଦେଖିବା କୌଣସି ଏକ ରୋମାଞ୍ଚକାର କାହାଣୀରୁ କମ୍ ନୁହେଁ। ଶ୍ରୀକାନ୍ତଙ୍କ ଏହି କାହାଣୀ ବରୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଶ୍ରୀକାନ୍ତଙ୍କ କହିବା ଅନୁଯାୟୀ, ଶ୍ରୀକାନ୍ତ ମୁମ୍ବାଇର ଓଏନଜିସି କମ୍ପାନିରେ ସମୁଦ୍ର ଭିତରେ ଜାହାଜରେ କାମ କରନ୍ତି। ୬ ମାସ ପାଇଁ ସମୁଦ୍ର ଭିତରକୁ ଯାଇ କାମକରିବା ପରେ ଫେରିଆସନ୍ତି। ଗତ କିଛିଦିନ ତଳେ ସମୁଦ୍ର ଭିତରେ ଜାହାଜରେ କାମ କରୁଥିବା ବେଳେ ଅନ୍ୟ ସହଯୋଗୀଙ୍କ ସହ ଶ୍ରୀକାନ୍ତ ତୌକତେ ବାତ୍ୟାର ସମ୍ମୁଖୀନ ହୋଇଥିଲେ। ଦୁଇଚାରି ଦିନ ପରେ ଫେରିବାର ଥିବା ବେଳେ ବାତ୍ୟା ସତର୍କତା ଜାରି ହୋଇଯିବାରୁ ସମୁଦ୍ର ଭିତରେ ଜାହାଜ ଲଙ୍ଗର ପକାଇଥିଲା। ପ୍ରଚଣ୍ଡ ବାତ୍ୟାରେ ଲଙ୍ଗର ଛିଡ଼ିଯିବା ସହ ଜାହାଜରେ ଫାଟ ସୃଷ୍ଟି ହୋଇଥିଲା। ଜାହାଜରେ ପାଣି ପଶିବାରୁ କ୍ୟାପଟେନ୍ ସତର୍କ କରାଇ ସମସ୍ତେ ସମୁଦ୍ରକୁ ଡେଇଁବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ସକାଳ ୭ଟାରୁ ପାଣି ପଶିବା ଆରମ୍ଭ ହୋଇ ଅପରାହ୍ଣ ୪ଟା ବେଳେ ଜାହାଜଟି ସଂପୂର୍ଣ୍ଣ ବୁଡ଼ିଯାଇଥିଲା। ଫଳରେ ଏହା ଭିତରେ ଥିବା ୨୬୧ରୁ ଅଧିକ କର୍ମଚାରୀ ଓ ଅଧିକାରୀ ଜୀବନ ବଞ୍ଚାଇବାକୁ ଲାଇଫ୍ ଜାକେଟ୍ ସହାୟତାରେ ସମୁଦ୍ରରେ ଭାସିଥିଲେ। ଦଳଦଳ ହୋଇ ସେମାନେ ଭାସୁଥିବା ବେଳେ ନୌବାହିନୀକୁ ସୂଚନା ଦିଆଯାଇଥିଲା।ନୌବାହିନୀର ଉଦ୍ଧାରକାରୀ ଦଳ ପହଞ୍ଚି କିଛି ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ରାତିରେ ଅନ୍ୟମାନଙ୍କୁ ଠାବ କରିପାରି ନଥିଲେ। ପରଦିନ ସକାଳେ ୨୨ ଘଣ୍ଟା ସମୁଦ୍ରରେ ଭାସିବା ପରେ ଶ୍ରୀକାନ୍ତକୁ ନୌବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା ।
‘ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ରାତିରେ ମୋର ଜଣେ ସାଙ୍ଗ ମଧ୍ୟ ହାତ ଛାଡ଼ି ଦେଇଥିଲା। ସମୁଦ୍ର ଭିତରେ ମୃତ୍ୟୁକୁ ଆଖିଆଗରେ ଅନୁଭବ କରୁଥିଲି।ହେଲେ, ସୌଭାଗ୍ୟରୁ ବଞ୍ଚିଯାଇଥିଲି,’ ବୋଲି କହିଛନ୍ତି ଶ୍ରୀକାନ୍ତ।
ଉଦ୍ଧାର ପରେ ଘରକୁ ଫେରି ଆସିଥିବା ଶ୍ରୀକାନ୍ତ ଏବେ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ରହୁଛନ୍ତି। ଆଜି ତାଙ୍କୁ ବରୀ ବିଧାୟିକା ସୁନନ୍ଦା ଦାସ ଭେଟି ଅଭିନନ୍ଦନ ଜଣାଇବା ସହ ତାଙ୍କ ପରିବାରକୁ ଭେଟିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ୭ଜଣ କର୍ମଚାରୀ ଏହି ଜାହାଜରେ ଥିବା ବେଳେ ସେମାନଙ୍କ ମଧ୍ୟରୁୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟଜଣେ ନିଖୋଜ ଅଛନ୍ତି ।