ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ

ଚକ୍ରବ୍ୟୂହରେ ଫସିଲେ ସୁରକ୍ଷା କର୍ମୀ

ଛତିଶଗଡ଼ରେ ଏନ୍‌କାଉଣ୍ଟର
ତିନି ପଟୁ ଘେରିଥିଲେ ନକ୍ସଲ
୨୫ରୁ ୩୦ ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ବଡ଼ଧରଣର ନକ୍ସଲ ହମଲା। ଶହ ଶହ ସଂଖ୍ୟାରେ ନକ୍ସଲ ବ୍ୟୂହ ରଚନା କରି ଡିଆରଜି ଓ ଏସ୍‌ଟିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ଗତକାଲି ୫ ଜଣ ଯବାନ ପ୍ରାଣ ହରାଇଥିବାର ଖବର ମିଳିଥିବା ବେଳେ ଆଜି ଏହି ଅଞ୍ଚଳରୁ ଆଉ ୧୭ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖବର ପାଇ ବହୁ ସଂଖ୍ୟାରେ ଯବାନ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ପ୍ରାଥମିକ ଆକଳନରୁ ୨୫ରୁ ୩୦ ଜଣ ନକ୍ସଲ ମଧ୍ୟ ନିହତ ହେବା ସହିତ ୧୬ରୁ ଅଧିକ ନକ୍ସଲ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପଛରେ ନକ୍ସଲଙ୍କ ‘ପ୍ଲାଟୁନ୍ ନମ୍ବର ୧’ର ହାତ ଥିବା କୁହାଯାଉଛି। ୪ ଘଣ୍ଟା ଧରି ଚାଲିଥିବା ଏହି ସଂଘର୍ଷରେ ନକ୍ସଲଙ୍କ ନେତୃତ୍ବ ନେଇଥିଲା ଦୁର୍ଦାନ୍ତ ମାଡ଼ବି ହିଡ଼ମା।

ବିଜାପୁର ଜିଲ୍ଲାର ଜୁନାଗଡ଼ ଏବଂ ଏକ୍କଲଗୁଡ଼ିମ ଅଞ୍ଚଳରେ ନକ୍ସଲ କମାଣ୍ଡର ମାଡ଼ବି ହିଡ଼ମା କ୍ୟାମ୍ପ କରିଥିବା ପୁଲିସକୁ ସୂଚନା ମିଳିଥିଲା। ଏହି ସୂଚନା ନକ୍ସଲଙ୍କ ଗୁପ୍ତଚର ହିଁ ପ୍ରଘଟ କରିଥିଲେ। ଏମାନଙ୍କୁ ଧରିବା ଲାଗି ଶୁକ୍ରବାର ଦିନ ସୁକମା ଏବଂ ବିଜାପୁରର ୫ଟି କ୍ୟାମ୍ପ୍‌ରୁ ସିଆରପି, କୋବ୍ରା, ଡିଆରଜି ଏବଂ ଏସଟିଏଫ୍‌ର ୨ ହଜାରରୁ ଅଧିକ ଯବାନ ଜଙ୍ଗଲ ଭିତରକୁ ଯାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କିନ୍ତୁ ଏହି ସୂଚନା ନକ୍ସଲଙ୍କ ଷଡ଼ଯନ୍ତ୍ରର ଅଂଶ ବିଶେଷ ଥିଲା, ଯାହାର ଆକଳନ ଆଦୌ କରିପାରି ନଥିଲେ ସୁରକ୍ଷା କର୍ମୀ। କମ୍ବିଂ କରି ଶହେରୁ ଅଧିକ ଯବାନ ଗତକାଲି ଫେରୁଥିବା ବେଳେ ଘଞ୍ଚ ଜଙ୍ଗଲ ଭିତରେ ତିନି ପଟୁ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ। ଇଂରାଜୀ

ଅକ୍ଷର ‘ୟୁ’ ଆକାରରେ ସଶସ୍ତ୍ର ନକ୍ସଲ ଏହି ଆକ୍ରମଣ କରିଥିବା କୁହାଯାଉଛି। ପଛକୁ ଫେରିବା ଛଡ଼ା ଅନ୍ୟ ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଥିଲେ ନକ୍ସଲ। ଜୁନାଗଡ଼ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଏହି ଆକ୍ରମଣ କରିଥିଲେ। ଏମିତି ସ୍ଥିତିରେ ଗାଁ ଆଡ଼କୁ ଦୌଡ଼ିବା ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ। କିନ୍ତୁ ଏଠାରେ ବି ନକ୍ସଲ ପୂର୍ବରୁ ଆମ୍ବୁସ୍ ଲଗାଇ ବସିଥିଲେ। ଯେତିକି ସଂଖ୍ୟାରେ ସୁରକ୍ଷା କର୍ମୀ ରହିଥିଲେ ତାହାର ପ୍ରାୟ ୪ଗୁଣ ନକ୍ସଲ ଏହି ଆକ୍ରମଣରେ ସାମିଲ ହୋଇଥିଲେ। ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ନକ୍ସଲ ଆମ୍ବୁସ୍ ଲଗାଇ ଏହି ଆକ୍ରମଣ କରିଥିଲେ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆସିଥିବା ନକ୍ସଲଙ୍କୁ ପାଲଟା ଜବାବ ଦେବାରେ ସମର୍ଥ ହୋଇପାରି ନଥିଲେ ଯବାନ। ତଥାପି ସାହସର ସହ ମୁକାବିଲା କରିଥିଲେ ସୁରକ୍ଷା କର୍ମୀ। ନକ୍ସଲ ଶିବିରରେ ବି ବିପୁଳ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।

ଗୁଳି ବିନିମୟ ସାମାନ୍ୟ କମିବା ପରେ ସୁରକ୍ଷା କର୍ମୀଙ୍କ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପାହାଡ଼ ମଝିରେ ତିନି ଜଣ ଯବାନଙ୍କ ଶବ ମିଳିଥିବା ବେଳେ ଜୁନାଗଡ଼ ଗାଁ ଭିତରେ ୧୪ଜଣ ଯବାନ ଏବଂ ଦୁଇ କିଲୋମିଟର ଦୂରରେ ଆହୁରି ୫ଜଣ ଯବାନଙ୍କ ଶବ ଉଦ୍ଧାର କରାଯାଇଥିଲା। ସେହିପରି ଜଣେ ଯବାନ ନିଖୋଜ ରହିଥିବା ଜଣାପଡ଼ିଛି। ଆହତ ୧୮ ଯବାନଙ୍କୁ ଚିକିତ୍ସା ନିମନ୍ତେ ବିଜାପୁର ଏବଂ ଗୁରୁତର ୧୩ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି‌। ସହିଦ ଯବାନମ‌ାନଙ୍କ ଠାରୁ ୭ଟି ଏକେ-୪୭, ଦୁଇଟି ଏସ୍‌ଏଲ୍‌ଆର ଏବଂ ଗୋଟିଏ ଏଲ୍‌ଏମ୍‌ଜି ରାଇଫଲ ନକ୍ସଲ ଲୁଟ୍ କରିଥିବା ଜଗଦଲପୁର-ବସ୍ତର ଆଇଜି ସୂଚନା ଦେଇଛନ୍ତି। ସହିଦ ଯବାନମାନେ ହେଲେ ଡିଆରଜି ଉପ ନିରୀକ୍ଷକ ଦୀପକ ଭରଦ୍ୱାଜ, ରମେଶ କୁମାର ଜୁରୀ, ନାରାୟଣ ସୋଡ଼ି, ରମେଶ କରତା, ସୁବାସ ନାୟକ, କିଶୋର ଏଣ୍ଡ୍ରି, କେ. ସନକୁରାମ ଦୌଡ଼ି, ପେଶା କର୍ତାମି, ଏସ୍‌ଟିଏଫ୍‌ ଯବାନ ଶ୍ରବଣ କଶ୍ୟପ, ରାମଦାସ କାରୁମ, ଜଗତରାମ କମ୍ବର, ସୁଖସିଂ ଫରସ, ରାମ ଶଙ୍କର ପେକ୍ରା, ଶଙ୍କରନାଥ, କୋବ୍ରା ଯବାନ ଦିଲ୍ଲୀପ କୁମାର ଦାସ, ରାଜ କୁମାର ଯାଦବ, ଶମ୍ଭୁ ରାୟ, ଧର୍ମଦେବ କୁମାର, ସଖାମୁରି ମୁରାଣ୍ଡି କୃଷ୍ଣ, ରାଥୁ ଜଗଦୀଶ, ପବଲୁ ରମ୍ଭା, ବସ୍ତର ବାଟାଲିୟନର ସମାୟା ମାଢି। ୧୨ ନକ୍ସଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ନକ୍ସଲ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କୁ ନେବା ପାଇଁ ସାଥୀ ନକ୍ସଲ ଟ୍ରାକ୍ଟରର ବ୍ୟବହାର କରିଥିବା ଜଣାପଡ଼ିଛି।

ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନକ୍ସଲଙ୍କ ଏହି ଅମାନବୀୟ କାଣ୍ଡର ଜବାବ ଦିଆଯିବ ବୋଲି କହିଛନ୍ତି। ଯବାନଙ୍କ ରକ୍ତ ବ୍ୟର୍ଥ ଯିବ ନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ଗୃହମନ୍ତ୍ରୀ ଶ୍ରୀ ସାହ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଛତିଶଗଡ଼ର ୨୭ଟି ଜିଲ୍ଲା ମଧ୍ୟରୁ ୧୪ଟି ହେଉଛି ନକ୍ସଲ ପ୍ରବଣ। ଗତ ୨୦୧୭ରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣରେ ୧୨ ଜଣ ସିଆରପି ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର