ଦାଦନ ଦୁଃଖ : ବିନା ପାରିଶ୍ରମିକରେ ଘରକୁ ଫେରିଲେ ୨୨ଶ୍ରମିକ, ଥାନାରେ ଏତଲା

ପାପଡାହାଣ୍ଡି : ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶକୁ ଦଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳର ୨୨ଜଣ ଶ୍ରମିକ ବିନା ପାରିଶ୍ରମିକରେ ଘରକୁ ଫେରିଛନ୍ତି। ଦୀର୍ଘ ୨ମାସ ଧରି କାମ କରିବା ପରେ ମଧ୍ୟ ଠିକାଦାର ଜଣକ ପାରିଶ୍ରମିକ ଦେଇନଥିବା ନେଇ ପାପଡାହାଣ୍ଡି ଥାନାରେ ଶ୍ରମିକଙ୍କ ପକ୍ଷରୁ ଏତଲା ଦିଆଯାଇଛି।

ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ମହରାଗୁଡା ଗ୍ରାମର ପୁରନ ଭତରା, ବଳରାମ ନାୟକ, ଡମ୍ବରୁ ଭତରା, ସୋରିଷପଦର ଗ୍ରାମର ସୁକରାମ ଭତରା, ଭୀମ ଭତରା, ଲାଇବାନ ପୂଜାରୀ, କମଳ ଭତରା, ଖୁଟିଗୁଡା ଗ୍ରାମର ଗବରୁ ଭତ୍ରା, ସୋମନାଥ ଭତ୍ରା, ଦୈତାରୀ ଭତ୍ରା, ହରିଶ୍ଚନ୍ଦ୍ର ଭତ୍ରା, ବତାସର ଗ୍ରାମର ସାହେବ ଭତ୍ରା, ନକୁଳ ଭତ୍ରା, ଟିକଧର ଜାନୀ, ଚିତ୍ର ଭତ୍ରା, ଗୋବର୍ଧନ ପୂଜାରୀ, ବାନୁଆଗୁଡା ଗ୍ରାମର ପିତବାସ ଭତ୍ରା, ବିଭର୍ଣ୍ଣ ନାୟକ, ଚିଙ୍ଗଡଶର ଗ୍ରାମର ପୂର୍ଣ୍ଣ ପୂଜାରୀ, ଡକରାଗୁଡା ଗ୍ରାମର ଜଗେଶ୍ବର ପୂଜାରୀ, ପାପଡାହାଣ୍ଡି ଗ୍ରାମର ରାଜୀବ ପ୍ରଧାନ ଭଳି ୨୨ଜଣ ୨ମାସ ତଳେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ନାଇଡୁପେଟା ଗ୍ରାମକୁ ଦାଦନ ଖଟିବାକୁ ଯାଇଥିଲେ। ରାଇଘର ଅଞ୍ଚଳର ପରମାନନ୍ଦ ଦାସ ନାମକ ଜଣେ ଦଲାଲ ଅଧିକ ଟଙ୍କା ପାଇବା ପ୍ରଲୋଭନ ଦେଖାଇ ସମସ୍ତଙ୍କୁ ନାଇଡୁପେଟା ଗ୍ରାମକୁ ନେଇଥିଲେ। ସେଠାରେ କେନ୍ଦ୍ରାପଡା ଅଞ୍ଚଳର ଦଲାଲ ଦିଲ୍ଲୀପ କୁମାର ବେହେରାଙ୍କ ନିକଟରେ ଶ୍ରମିକଙ୍କୁ ଛାଡି ପରମାନନ୍ଦ କିଛି ଟଙ୍କା ଧରି ରାଇଘର ଫେରି ଆସିଥିଲେ।

ପରେ ଦିଲ୍ଲୀପ ବେହେରା ସମସ୍ତ ଶ୍ରମିକଙ୍କୁ ନାଇଡୁପେଟାର ରୋହନ ବିଲଡର ପାଖରେ କାମରେ ଲଗାଇଥିଲେ। କିନ୍ତୁ ଶ୍ରମିକ ମାନେ ଦୀର୍ଘ ୨ମାସ ଧରି କାମ କରିବା ପରେ ମଧ୍ୟ ପାରିଶ୍ରମିକ ପାଇନଥିଲେ। ଟଙ୍କା ନଥିବାରୁ ଶ୍ରମିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶ୍ରମିକ ମାନେ ରୋହନ ବିଲଡରଙ୍କୁ ପାରିଶ୍ରମିକ ମାଗିବାରୁ ଦିଲ୍ଲୀପ ବେହେରା ଟଙ୍କା ନେଇ ଯାଇଥିବା କହିଥିଲେ। ପରେ କୌଣସି ଉପାୟ ନପାଇ ଧାର କରଜ କରି ସମସ୍ତ ଶ୍ରମିକ ପାପଡାହାଣ୍ଡି ଫେରି ଆସି ଏସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏସଂପର୍କରେ ଅବଗତ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର