ଚାଷୀଙ୍କୁ ଦିଆଯିବ ୨୨ ଲକ୍ଷ କୁକୁଡ଼ା

ଭୁବନେଶ୍ବର: ଓଡ଼ିଶାରୁ ଏବେ ୬୪ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ସେଥିମଧ୍ୟରୁ ୫୭ ଲକ୍ଷ ଅଣ୍ଡା ସଙ୍ଗଠିତ କୁକୁଡ଼ା ଫାର୍ମରୁ ଉତ୍ପାଦିତ ହେଉଥିବା ବେଳେ ବାକି ୭ ଲକ୍ଷ ଅସଙ୍ଗଠିତ ଭାବେ ଉତ୍ପାଦନ ‌କରାଯାଉଛି। ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶା ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷକୁ ପ୍ରାଥମିକତା ଦିଆଯାଉଛି। ରାଜ୍ୟର ୨୫ଟି ଜିଲ୍ଲାର ଚାଷୀଙ୍କୁ ୨୨ ଲକ୍ଷ କୁକୁଡ଼ା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଟେଣ୍ଡର ମାଧ୍ୟମରେ ୩ଟି ସଂସ୍ଥାକୁ ଚୟନ କରାଯାଇଛି। ଗୋଟିଏ ସଂସ୍ଥା ୧୫ ଲକ୍ଷ କୁକୁଡ଼ା ଦେବାକୁ ଥିବା ବେଳେ ବାକି ଦୁଇଟି ସଂସ୍ଥା ଯଥାକ୍ରମେ ୪ ଓ ୩ ଲକ୍ଷ କୁକୁଡା ଯୋଗାଇଦେବେ। ଏଥିସହ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ କୁକୁଡ଼ା ଚାଷକୁ ଅଧିକ ‌େପାତ୍ସାହିତ କରିବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ପଶୁପାଳନ ଓ ପଶୁ ଚିକିତ୍ସା ସେବା ନିର୍ଦେଶକ ରତ୍ନାକର ରାଉତ କହିଛନ୍ତି।

ବିଶ୍ୱ ଅଣ୍ଡା ଦିବସ ପାଳନ ପରିପ୍ରେକ୍ଷୀରେ ସ୍ମାର୍ଟ ଏଗ୍ରିପୋଷ୍ଟ ପକ୍ଷରୁ ଆଜି ହୋଟେଲ ମେ’ ଫେୟାରରେ ଆୟୋଜିତ ପୋଲ୍‌ଟ୍ରି(ଲୁକ୍‌ ଇଷ୍ଟ) ୨୦୧୮ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତ ଏହା କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ରବି ନାରାୟଣ ଦାସ, ମଥୁରାସ୍ଥିତ ଡିୟୁଭିଏଏସ୍‌ୟୁ ରେଜିଷ୍ଟାର ପି କେ ଶୁକ୍ଳା, ଓଡ଼ିଶା ପୋଲ୍ଟ୍ରି ଆସୋସିଏସନ୍ ସଭାପତି ହରମୋହନ ଦାଶ, ସ୍ମାର୍ଟ ଏଗ୍ରିପୋଷ୍ଟର ସମ୍ପାଦକ ପ୍ରଭାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ‌ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ କହିଥିଲେ ‌ବାର୍ଷିକ କୃଷି ଫସଲର ଉତ୍ପାଦନ ୧.୫ରୁ ୨ ପ୍ରତିଶତ ଅଭିବୃଦ୍ଧି ହେଉଥିବା ବେଳେ ଅଣ୍ଡା ଓ ବ୍ରଏଲର ଉତ୍ପାଦନରେ ୮ ରୁ ୧୦ ପ୍ରତିଶତ ଅଭିବୃଦ୍ଧି ହେଉଛି। ‌ଯେଉଁଥିପାଇଁ ଭାରତ ବିଶ୍ୱର ତୃତୀୟ ଅଣ୍ଡା ଉତ୍ପାଦନକାରୀ ଏବଂ ଚତୁର୍ଥ ବ୍ରଏଲର ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି। ଆଉ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନ ହାସଲ କରିିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିିଲେ। କର୍ମଶାଳା ଅବସରରେ ୪ଟି ଅଧିବେଶନରେ ବୁଦ୍ଧିଜୀବୀମାନେ ଯୋଗଦେଇ ପୋଲ୍ଟ୍ରି ଉଦ୍ୟୋଗର ପ୍ରସଙ୍ଗ ଓ ଆହ୍ୱାନ, ଉତ୍କୃଷ୍ଟମାନର କୁକୁଡ଼ା ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରବନ୍ଧନ, କୁକୁଡ଼ାଜାତ ଉତ୍ପାଦର ରପ୍ତାନୀ ଓ ପ୍ରସ୍ତୁତିକରଣ ସହ ବ୍ରେନ ଷ୍ଟର୍ମିଙ୍ଗ୍ ଅଧିବେଶନରେ ଯୋଗଦେଇ ମତ ରଖିଥିଲେ।

ସମ୍ବନ୍ଧିତ ଖବର