ବୁଗୁଡ଼ା : ଏନ୍ଏସି ଦେଉନି ବିଦ୍ୟୁତ ବିଲ୍। ମାସେ କି ଦୁଇ ମାସ ନୁହେଁ ବର୍ଷେ ହେଲା ବିଦ୍ୟୁତ୍ ବକେୟା ପୈଠ ନ କରିବାରୁ ଶୁକ୍ରବାର ବିଦ୍ୟୁତ୍ ବିଭାଗ ସହରକୁ ଅନ୍ଧାର କରି ଦେଇଛି। ଫଳରେ ବୁଗୁଡ଼ା ସହରର ମୁଖ୍ୟ ସଡ଼କ ସମେତ ଏନ୍ଏସି ଅନ୍ତର୍ଗତ ୧୩ଟି ୱାର୍ଡରେ ବିଭିନ୍ନ ସାହି ଓ ଗଳିରେ ଥିବା ଷ୍ଟ୍ରିଟ୍ ଲାଇଟ ବନ୍ଦ ହୋଇଯାଇଛି l ଏହାର ପରିଣାମ ଭୋଗିବାକୁ ପଡ଼ିଛି ବୁଗୁଡ଼ା ସହରବାସୀଙ୍କୁ। ଷ୍ଟ୍ରିଟ୍ ଲାଇଟ ଜଳୁ ନ ଥିବାରୁ ସାହି ଗଳିରେ ଚୋର ଭୟ ସହ ଟିୟୁସନ୍ରୁ ଫେରୁଥିବା ଛାତ୍ରଛାତ୍ରୀ ଓ ଜନ ସାଧାରଣ ଅସୁବିଧା ଭୋଗୁଛନ୍ତି l
୬ ମାସ ହେଲା ବିଦ୍ୟୁତ୍ ବିଭାଗ ପକ୍ଷରୁ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବକେୟା ପୈଠ ପାଇଁ ଅନୁରୋଧ କରା ଯାଉଥିଲେ ହେଁ ଏନ୍ଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ। ଫଳରେ ବିଦ୍ୟୁତ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପ୍ରକାରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ବିଦ୍ୟୁତ ଯୋଗାଣ ବନ୍ଦ କରା ଯାଇଥିବା ନେଇ ବିଦ୍ୟୁତ ବିଭାଗ ଏସ୍ଡିଓ ସୂଚନା ଦେଇଛନ୍ତି l ବୁଗୁଡ଼ା ଏନ୍ଏସି ଟିକସ ସଂଗ୍ରହରେ ରାଜ୍ୟରେ ଏକ ନମ୍ବର ହୋଇଥିବା ବେଳେ ବିଦ୍ୟୁତ୍ ବିଲ୍ ପୈଠ ନ କରିବାରୁ ବୁଗୁଡ଼ାବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିବା ଆଲୋଚନା ହେଉଛି।