ଭୁବନେଶ୍ବର: ବିପଦରେ ମହାବଳ। ପ୍ରତିଦିନ ଗୋଟିଏ ଯୋଡ଼ିଏ ବାଘଙ୍କ ଜୀବନ ଯାଉଛି। କେଉଁଠି ଅଭୟାରଣ୍ୟ ଭିତରେ ତ ଆଉ କେଉଁଠି ଅଭୟାରଣ୍ୟ ବାହାରେ। ୨୦୨୫ ଜାନୁଆରି ମାସର ୨୪ ଦିନ ମଧ୍ୟରେ ସାରା ଦେଶରେ ୨୨ଟି ମହାବଳଙ୍କ ଜୀବନ ଗଲାଣି। ମହାରାଷ୍ଟ୍ରରେ ବାଘ ମଡ଼କ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ମାସକ ମଧ୍ୟରେ ଏହି ରାଜ୍ୟରେ ସର୍ବାଧିକ ୧୦ଟି ମହାବଳଙ୍କ ଜୀବନ ଯାଇଛି। ଇତିହାସ ପୃଷ୍ଠ‌ା ଲେଉଟାଇଲେ କୌଣସି ବର୍ଷ ଦେଶରେ ଏଭଳି ବାଘ ମୃତ୍ୟୁ ଘଟଣା ସାମ୍ନାକୁ ଆସି ନ ଥିଲା। ଗୋଟିଏ ପଟେ ମହାବଳ ବଂଶ ବୃଦ୍ଧି ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଅନ୍ୟପଟେ ମହାବଳଙ୍କ ମୃତ୍ୟୁ ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି।

Advertisment

କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟ ଅନୁଯାୟୀ, ୨୦୨୫ରେ ମରିଥିବା ୨୧ଟି ମହାବଳଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୦ଟି ବାଘ ରହିଛନ୍ତି, ଯାହାକି ବିଗତବର୍ଷ ଗୁଡ଼ିକ ତୁଳନାରେ ଢ଼େର ଅଧିକ। ଜାନୁଆରି ୨ରେ ମହାରାଷ୍ଟ୍ରରେ ଏବର୍ଷର ପ୍ରଥମ ମହାବଳ ମୃତ୍ୟୁ ରେକର୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ଜାନୁଆରି ୬, ୭, ୮, ୯, ୧୪, ୧୫, ୧୯, ୨୨ ତାରିଖରେ ବାଘଗୁଡ଼ିକ ମରିଥିବା ଜଣାପଡ଼ିଛି। କେବଳ ୨୨ ତାରିଖରେ ପେଞ୍ଜ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ଓ ୱାର୍ଦ୍ଧା ଡିଭିଜନ୍‌ ନିକଟରେ ଅଭୟାରଣ୍ୟ ବାହାରେ ଗୋଟିଏ ଲେଖାଏଁ ବାଘର ଜୀବନ ଯାଇଛି। ଚିନ୍ତାର କାରଣ ହେଉଛି ଯେ ମହାରା‌ଷ୍ଟ୍ରରେ ମରିଥିବା ୧୦ଟି ମହାବଳଙ୍କ ମଧ୍ୟରୁ ଦୁଇଟି ଅଭୟାରଣ୍ୟ ଭିତରେ ଥିବା ବେଳେ ବାକି ସମସ୍ତ ଅଭୟାରଣ୍ୟ ବାହାରେ ମରିଛନ୍ତି। ମହାରାଷ୍ଟ୍ର ବ୍ୟତୀତ ମଧ୍ୟପ୍ରଦେଶରେ ତିନିଟି, କେରଳ, ଉତ୍ତରାଖଣ୍ଡରେ ଦୁଇଟି ଲେଖାଏଁ, ଛତିଶଗଡ଼, ତାମିଲନାଡ଼ୁ, ଆସାମ, କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ମହାବଳଙ୍କ ଜୀବନ ଯାଇଛି।

୨ ମାସରେ ଓଡ଼ିଶାରେ ଦୁଇ ମଲେଣି
ଏ ମାସରେ ମହାରାଷ୍ଟ୍ରରେ ୧୦ଟି ଟଳିପଡ଼ିଛନ୍ତି

ଓଡ଼ିଶା ମଧ୍ୟ ଏଭଳି ଅପବାଦରୁ ମୁକ୍ତ ହୋଇପାରି ନାହିଁ। ବର୍ଷ ଆରମ୍ଭରୁ ହିଁ ମହାବଳ ଚମଡ଼ା ଜବତ ହୋଇଛି। ମାସର ଦ୍ବିତୀୟ ସପ୍ତାହରେ ଗୋଟିଏ ଦେଢ଼ ବର୍ଷର ବିରଳ କଳା ବାଘ(ମେଲାନିଷ୍ଟିକ୍‌ ଟାଇଗର) ଚମଡ଼ା ଜବତ କରାଯାଇଥିଲା। ବାରିପଦା ବନଖଣ୍ଡର ଉଦଳା ପୁଲିସ ଷ୍ଟେସନ ଅନ୍ତର୍ଗତ ତେନ୍ତଳା ଗ୍ରାମରୁ ଏହି ଚମଡ଼ା ମିଳିଥିଲା। ଘଟଣାରେ ସମ୍ପୃକ୍ତ ଥିବା ୧୦ରୁ ଅଧିକ ଅଭିଯୁକ୍ତଙ୍କ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିବାରେ ପୁଲିସ ବିଫଳ ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ଏହି ବାଘ ଚମଡ଼ା ଜବତ ହୋଇଥିବା ଏନ୍‌ଟିସିଏ ଦର୍ଶାଇଛି। ବିରଳ କଳା ବାଘ ହତ୍ୟା କରାଯିବା ଘଟଣାକୁ ନେଇ କିଛି ଦିନର ଖୋଳତାଡ଼ ପରେ ଜଙ୍ଗଲ ବିଭାଗର ନିରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଚିନ୍ତାର ବିଷୟ ହେଉଛି ଯେ ୨୦୨୩ ତୁଳନାରେ ୨୦୨୪ରେ ମହାବଳଙ୍କ ମୃତ୍ୟୁସଂଖ୍ୟା ସାରା ଦେଶରେ କମିଥିବା ବେଳେ ଓଡ଼ିଶାରେ ବଢ଼ିଛି। ୨୦୨୪ରେ ଦେଶରେ ୧୨୬ଟି ମହାବଳଙ୍କ ଜୀବନ ଯାଇଥିଲା। ଯେଉଁଥିରେ ଓଡ଼ିଶାରୁ ତିନିଟି ରହିଥିଲେ। ୨୦୨୪ ଫେବ୍ରୁଆରିରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ୍‌ରେ ଗୋଟିଏ ମହାବଳର ମୃତ୍ୟୁ ହୋଇଥିଲା। ମହାବଳଟି ବୟସ୍କ ହୋଇଥିବା ବେଳେ ଅଣ୍ଡିରା ପ୍ରଜାତିର ଥିଲା। ସେପ୍ଟେମ୍ବରରେ ଅନନ୍ତପୁର ବିଟ୍‌ର ଟିକେ-୬ରେ ଏକ ମହାବଳର ଜୀବନ ଯାଇଥିଲା। ଡିସେମ୍ବର ମାସରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ବନ୍ୟପ୍ରାଣୀ ରେଞ୍ଜର ତାଳପଦା ବନ୍ୟପ୍ରାଣୀ ସେକ୍ସନର କମରପୁର ଗାଁରେ ମଧ୍ୟ ଏକ ବାଘର ମୃତ୍ୟୁ ହୋଇଥିଲା। ୨୦୨୨ ଓ ୨୦୨୩ରେ ଦୁଇଟି ଲେଖାଏ ମହାବଳଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୪ରେ ତିନୋଟି ମହାବଳଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ହରଡ଼ଘଣାରେ। ୨୦୨୪ ଡିସେମ୍ବର ଓ ୨୦୨୫ ଜାନୁଆରି ଅର୍ଥାତ୍‌ ଦୁଇ ମାସରେ ଦୁଇଟି ମହାବଳଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ପ୍ରତି ମାସରେ କଲରାପତରିଆ ବାଘଙ୍କ ମୃତଦେହ କିମ୍ବା ଚମଡ଼ା ଜବତ ହେବା ଘଟଣା ବାଘ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।