ମାଲକାନଗିରି:  ରାଜ୍ୟ ସରକାର ମାଓବାଦୀଙ୍କ ଉପରେ ପୁରସ୍କାର ବୃଦ୍ଧି କରିଛନ୍ତି। ଏହାପରେ ଡିଜିପି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ  ମାଲକାନଗିରି ଜିଲ୍ଲାରେ ୨୨ ଜଣ ମାଓବାଦୀ ପୁଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ  କରିଛନ୍ତି।

Advertisment

ସେମାନେ ୧୪ଟି ଲ୍ୟାଣ୍ଡମାଇନ୍ ସହିତ ଗୋଟିଏ AK-47,SLR ଏବଂ INSAS ରାଇଫଲ୍ ସମେତ ଅସ୍ତ୍ରଶସ୍ତ୍ର ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଆହୁରି ପଢ଼ନ୍ତୁ:High Court: ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ, ହସ୍ପିଟାଲରେ ରୋଗୀଙ୍କୁ ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ,ହାଇକୋର୍ଟଙ୍କ ଜବାବ ତଲବ

ଓଡ଼ିଶା ସରକାର ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିକୁ ସଂଶୋଧନ କରିବା ପରେ ମାଓବାଦୀମାନଙ୍କର ଆତ୍ମସମର୍ପଣ ଘଟଣା ବୃଦ୍ଧି ପାଉଛି। ଓଡ଼ିଶା ମାଓବାଦୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି ଏବଂ ପଡ଼ୋଶୀ ଛତିଶଗଡ଼ ତୁଳନାରେ ୧୦% ଅଧିକ ପୁରସ୍କାର ପ୍ରଦାନ କରାଯାଇଛି।

ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କ ମଧ୍ୟରେ ACM ଏବଂ DCM ଭଳି ବରିଷ୍ଠ ପଦବୀ ଅନ୍ତର୍ଭୁକ୍ତ, ପ୍ରତ୍ୟେକଙ୍କ ଉପରେ ୫.୫ ଲକ୍ଷ ଟଙ୍କାରୁ ୨୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି।

ଏମାନଙ୍କ ମଧ୍ୟରେ ଜଣେ ଡିଭିଜନାଲ କମିଟି ମେମ୍ବର ରହିଥିବା ବେଳେ ୬ ଜଣ ଏରିଆ କମିଟି ମେମ୍ବର ଏବଂ ବଳକା ୧୫ ଜଣ ପାର୍ଟି ମେମ୍ବର ବୋଲି କୁହାଯାଇଛି। ଏମାନେ ହେଲେ ଡିଭିସିଏମ ସଦସ୍ୟ ମୁୟେ ମାଡକମ ଓରଫ ଲିଙ୍ଗେ(୪୫),ଏସିଏମ କମାଣ୍ଡର ବାମନ ମାଡକାମ(୨୭),ଏସିଏମ ମୁକ୍କା
ମୁଚାକି(୨୨),ଏସିଏମ ଆଇତୁ ଆଭଲାମି(୨୬),ଏସିଏମ କୋସା କାବାସି(୨୫),ଏସିଏମ ବାଟି ମାଡକାମ(୨୨),ଏସିଏମ ଯୋଗୀ ମୁଚାକି(୧୯),ପାର୍ଟି ମେମ୍ବର ରିତା ପଡିଆମି(୨୨),ପାର୍ଟି ମେମ୍ବର ଯୋଗୀ ସୋଡି(୧୮),ଭୀମେ କାଲମୁ(୨୦), ମଙ୍ଗଳି ବାଞ୍ଜାମି(୨୪),ଜଗା ମୁଚାକି(୨୩),ଆଡମେ ମୁଚାକି(୧୮),ମାଡଲି କୋସା(୨୨),କୁଞ୍ଜାମ କର୍ରା(୨୫), ମାଡା ମାଡଲି(୩୦),ମୁଚାକି ଆଡମା(୧୯),ଦେବା ମାଡଲି(୩୫), ଅର୍ଜୁନ ମାଡଲି(୩୫), ସାନ୍ନା ପୁନେମ(୨୫), ସୋମେୟ ମିଡିଆମ(୧୯) ଏବଂ ବୁଦ୍ରି ମିଡିଆମ(୨୫)। 

ମାଓବାଦୀମାନେ ପୁଲିସ ନିକଟରେ ଗୋଟିଏ ଏକେ-୪୭ ବନ୍ଧୁକ,ଏସଏଲଆର ବନ୍ଧୁକ ଗୋଟିଏ,୨ଟି ଇନସାସ,୩୦୩ ରାଇଫଲ ୩ଟି,ଦୁଇଟି ସିଙ୍ଗଲ ସଟ୍ ରାଇଫଲ ହସ୍ତାନ୍ତର କରିଥିବା ବେଳେ ୯ଟି ମେଗାଜିନ,୧୫୦ଟି ଜୀବନ୍ତ ଗୁଳି,୨୦ କିଲୋ ବିସ୍ଫୋରକ,୧୩ଟି ଉନ୍ନତ ବିସ୍ଫୋରକ,ଜିଲେଟିନ ଷ୍ଟିକ,କୋଡେକ୍ସ ତାର,ମାଓବାଦୀ ପୁସ୍ତକ ମଧ୍ୟ ହସ୍ତାନ୍ତର କରିଛନ୍ତି।

ଲଗାତାର ପୁଲିସର ଚଢାଉ,ରାଜ୍ୟ ସରକାରଙ୍କର ନୂଆ ଆତ୍ମନିର୍ଭରଶୀଳ ନୀତି ଓ ପୁନର୍ବାସ ନୀତି,ମାଓ ସଂଗଠନରେ ହେଉଥିବା ଭେଦଭାବ ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ତେବେ ଛତିଶଗଡର ସମସ୍ତ ନକ୍ସଲ ଓଡିଶାରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରିଥିଲେ। ୨୨ ଜଣ ମାଓବାଦୀଙ୍କ ନାମରେ ୧ କୋଟି ୮୪ ଲକ୍ଷ ୨୫ ହଜାର ଟଂକାର ପୁରସ୍କାର ରହିଥିଲା। ଏଥିସହ ଏକେ-୪୭ ଧରୁଥିବା ମାଓବାଦୀଙ୍କୁ ଅଧିକା ୩ ଲକ୍ଷ ୩୦ ହଜାର ଟଂକା,ଇନସାସ ଧରୁଥିବା ନକ୍ସଲଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କ,ଏସଏଲଆର ବନ୍ଧୁକ ଧରୁଥିବା ନକ୍ସଲଙ୍କୁ ୧ ଲକ୍ଷ ୬୫ ହଜାର ଟଂକା,୩୦୩ ରାଇଫଲ ଧରୁଥିବା ନକ୍ସଲଙ୍କୁ ୮୨,୫୦୦ ଟଂକା,୧୨ ବୋର ବନ୍ଧୁକ ଧରୁଥିବା ନକ୍ସଲଙ୍କୁ ୩୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ସେମାନଙ୍କ ନାମରେ ଥିବା ଟଂକା ମଧ୍ୟ ହସ୍ତାନ୍ତର କରାଯିବା ସହ ସମସ୍ତଙ୍କୁ ସରକାରଙ୍କ ତରଫରୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

କେବଳ ଏତିକି ନୁହେଁ ସେମାନଙ୍କୁ ସ୍ବାସ୍ଥ୍ୟ ବୀମା,୩୬ ମାସ ଧରି ୧୦ ହଜାର ଟଂକା ଲେଖାଏଁ ସହାୟତା ରାଶି,ବିବାହ ସହାୟତା ରାଶି ୨୫ ହଜାର ଟଙ୍କା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ,ଆତ୍ମନିର୍ଭରଶୀଳ ପାଇଁ ତାଲିମ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜିପି  ଖୁରାନା ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିଜି ସଂଜୀବ ପଣ୍ଡା,ଡିଆଇଜି ଏସଆଇଡବ୍ଲୁ ଅଖିଲେଶ ସିଂ,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ବି.କେ ସିଂ,ବିଏସଏଫ ଡିଆଇଜି ବିଜୟ ସିଂ,ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ଏସପି ବିନୋଦ ପାଟିଲ ଏଚ,ଅତିରିକ୍ତ ଏସପି ଆର.କେ ଦାସ ଓ ପ୍ରମୋଦ
ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର ନଅ ଜିଲ୍ଲା  କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୁଆପଡା, ରାୟାଗଡା, ଏବଂ ବୌଦ୍ଧ  ମାଓବାଦୀ ପ୍ରବଣ। ସେଥିମଧ୍ୟରୁ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୁଆପଡା, ଏବଂ ବଲାଙ୍ଗୀର ଛତିଶଗଡ ସହିତ ସୀମା ବାଣ୍ଟିଛନ୍ତି, ଯାହାକି ମାଓବାଦୀ ଗଡ଼ ହୋଇ ରହିଛି।

କନ୍ଧମାଳ ପୁଲିସ  ପକ୍ଷରୁ 'ପୋଷ୍ଟର ଅଭିଯାନ

କନ୍ଧମାଳରେ ୩୩ ଜଣ ମାଓବାଦୀଙ୍କ ବିଷୟରେ ସୂଚନା ପ୍ରଦାନ କଲେ ନଗଦ ପୁରସ୍କାର ଘୋଷଣା କରାଯାଇଛି। ଏନେଇ କନ୍ଧମାଳ ପୁଲିସ ଏକ 'ପୋଷ୍ଟର ଅଭିଯାନ' ଆରମ୍ଭ କରାଯାଇଛି।ସେଥିରେ ୩୩ ଜଣ ମାଓ ନେତାଙ୍କ ମୋଷ୍ଟ ୱାଣ୍ଟେଡ୍ ତାଲିକା  ପ୍ରକାଶ କରାଯାଇଛି। 

କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ପାଇଁ ୧.୨ କୋଟି ଟଙ୍କା ପୁରସ୍କାର ରାଶି ରହିଛି, ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ସୁଦର୍ଶନ, ନିଖିଲ, ଅଙ୍କିତା (ଇନ୍ଦୁ ନାମରେ ମଧ୍ୟ ଜଣାଶୁଣା), ରଶ୍ମିତା ଲେଙ୍କା, ଶୁକ୍ରୁ (କୃଷ୍ଣ ନାମରେ ମଧ୍ୟ ଜଣାଶୁଣା), ଏବଂ ନିତୁଙ୍କ ପାଇଁ ପ୍ରତ୍ୟେକଙ୍କ ପାଇଁ ୬୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି। ପ୍ଲାଟୁନ କମାଣ୍ଡର ଶିଲା ଏବଂ ରେଣୁଙ୍କୁ ୩୭.୫ ଲକ୍ଷ ଟଙ୍କା ଏବଂ ଡିଭିଜନାଲ କମିଟିର ପ୍ରତ୍ୟେକ ୧୦ ସଦସ୍ୟଙ୍କ ପାଇଁ ୩୨ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଛି।

ଆହୁରି ପଢ଼ନ୍ତୁ:Priyanka Gandhi Has Potential: ପ୍ରଧାନମନ୍ତ୍ରୀ ହେବାକୁ ଦକ୍ଷ ପ୍ରିୟଙ୍କା ଗାନ୍ଧୀ: କଂଗ୍ରେସ ସାଂସଦ

୨୦୨୬ ସୁଦ୍ଧା କେନ୍ଦ୍ର ସରକାରଙ୍କ ମାଓମୁକ୍ତ ଭାରତ ହାସଲ କରିବାର ଲକ୍ଷ୍ୟ ସହିତ କନ୍ଧମାଳରେ ଅବଶିଷ୍ଟ ମାଓ କରିଡରଗୁଡ଼ିକୁ ଭାଙ୍ଗିବା ପାଇଁ ଏହି ଅଭିଯାନକୁ ଏକ ପ୍ରମୁଖ ପ୍ରୟାସ ଭାବରେ ଦେଖାଯାଉଛି।

ରିପୋର୍ଟ: ପ୍ରେମେନ୍ଦ୍ର କୁମାର ପରିଚ୍ଛା