୨୨ ଅଧିକାରୀ ହେଲେ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ

ପିକେ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ

ଭୁବନେଶ୍ବର : କରୋନା ମୁକାବିଲା କ୍ଷେତ୍ରରେ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡ଼ିଶା ପାଇଁ ବିପଜ୍ଜନକ ସାଜିପାରେ। କାରଣ ଯେଉଁ ସବୁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିବେ, ସେମାନେ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟରେ ଅଛନ୍ତି। ଏଣୁ ରାଜ୍ୟ ସରକାର ଆଜି ଗୋଟିଏ ପଟେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ପଦକ୍ଷେପ ନେବା ସହିତ ଏ ସମୟରେ ରାଜ୍ୟରେ ଯେଉଁ ବିପଜ୍ଜନକ ସ୍ଥିତି ସୃଷ୍ଟି ହେବ, ତାର ମୁକାବିଲା ପାଇଁ ଅନୁରୂପ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୨ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ କୋଭିଡ଼ ପର୍ଯ୍ୟବେକ୍ଷକ ନାମରେ ନାମିତ କରି ସରକାର ସେମାନଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି। ୩୦ ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ସଙ୍ଗରୋଧ ଠିକଣା ଭାବେ ହେଲେ କି ନାହିଁ, ଏସବୁର ସେମାନେ ତଦାରଖ କରିବେ ଓ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଭିତରେ ସମନ୍ବୟ ରଖିବେ। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସହ ସମନ୍ବୟ ରକ୍ଷା କରିବା, ବିଭିନ୍ନ ବିଭାଗ ଓ ପର୍ଯ୍ୟବେକ୍ଷକମାନଙ୍କ ସହ ସମନ୍ବୟ ରକ୍ଷା କରିବା ପାଇଁ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ନିକୁଞ୍ଜ କୁମାର ଧଳ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ପୂର୍ବ ପରି କାମ କରିବେ।

ଉଲ୍ଲେଖଥାଉକି, ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ କିଭଳି ରାଜ୍ୟରେ ସଙ୍ଗରୋଧରେ ରଖାଯାଇପାରିବ, ସରକାର ଏହାକୁ ପ୍ରଥମ ପର୍ଯ୍ୟାୟ ଦାୟିତ୍ବ ଭାବେ ଚିହ୍ନଟ କରି ଏଥିପାଇଁ ପ୍ରସ୍ତୁତି କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ପ୍ରସ୍ତୁତି ହୋଇଥିଲା। ଏହି ଦୁଇ ପର୍ଯ୍ୟାୟକୁ ନିୟନ୍ତ୍ରଣ କରିବାରେ ସରକାର ବିଶେଷ ସଫଳ ହୋଇଥିଲେ ହେଁ, ଅନ୍ୟ ରାଜ୍ୟରୁ ବିଶେଷକରି ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ଏବେ ତୃତୀୟ ପର୍ଯ୍ୟାୟରେ ସରକାରଙ୍କୁ ନାକେଦମ୍ କଲେଣି। ପ୍ରତିଦିନ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭଦ୍ରକ, ବାଲେଶ୍ବର ଓ ଯାଜପୁର ସଟ୍‌ଡାଉନ୍ କରାଯାଇଥିଲା। ଆଜି ଯାଜପୁରରେ ପୁଣି ଥରେ ଏହିଭଳି ପଦକ୍ଷେପ ନିଆଯାଇଛି। ହେଲେ ଏବେ ସବୁଠାରୁ ସଙ୍ଗିନ୍ ସମୟ ବୋଲି ସରକାର ବିଚାର କରୁଛନ୍ତି। କାରଣ ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିବେ, ସେମାନଙ୍କୁ ଯଦି ଠିକ୍ ଭାବେ ସଙ୍ଗରୋଧ ସହିତ ଆବଶ୍ୟକ ବ୍ୟବସ୍ଥା କରା ନଗଲା, ତେବେ ସ୍ଥିତି ବିଗିଡିଯାଇପାରେ। ଏଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ବିଶାଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ଜିଲ୍ଲାପାଇଁ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି।

ଏହି କ୍ରମରେ ନିଯୁକ୍ତି ପାଇଥିବା କୋଭିଡ୍‌ ପର୍ଯ୍ୟବେକ୍ଷକମାନେ ହେଲେ ଭୁବନେଶ୍ବର ସହର ପାଇଁ ଅନୁ ଗର୍ଗ ଓ ଏନ୍ ତିରୁମାଲା ନାୟକ, ବାଲେଶ୍ବର ଓ ଭଦ୍ରକ ପାଇଁ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ, କଟକ ସହର ଓ କଟକ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି, ଗଞ୍ଜାମ ଓ ଗଜପତି ପାଇଁ ଜି ମାଥିଭାଥାନନ୍ ଓ କ୍ରିଷନ୍ କୁମାର, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଲାଇ, ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ, ବଲାଙ୍ଗୀର, ‌ବରଗଡ଼ ଓ ନୂଆପଡ଼ା ପାଇଁ ସୁଶିଲ କୁମାର ଲୋହାନି ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ବତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ଭି ଭି ଯାଦବ ଓ ରସିଦ୍ ଖାନ୍‌, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପାଇଁ ଅନିଲ କୁମାର ସାମଲ ଏବଂ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁ।

ଏହା ପୂର୍ବରୂ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ବରେ ନିୟୋଜିତ କରାଯାଇଛି। କରୋନା ଜନିତ ପରିସ୍ଥିତିରେ ସବୁ ପ୍ରକାର ଆହ୍ବାନକୁ ସାମ୍ନା କରିବାକୁ ସରକାର ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି। ପୂର୍ବରୁ ୧୦ ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ କରୋନା ପାଇଁ ନିର୍ଦ୍ଦିଷ୍ଟ ଦାୟିତ୍ବ ବଣ୍ଟନ କରାଯାଇଛି। କୋଭିଡ୍‌ ହସ୍ପିଟାଲ୍‌ ନିର୍ମାଣର ତଦାରଖ ପାଇଁ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ସୁରେଶ ଚନ୍ଦ୍ର ମହାପାତ୍ର ଓ ସୌରଭ ଗର୍ଗଙ୍କୁ ଦାୟିତ୍ବ ଦିଆଯାଇଥିଲା ବେଳେ ସାମାଜିକ ଦୂରତା ନିୟମ କାର୍ଯ୍ୟକାରୀତାର ତଦାରଖ କରିବାକୁ ପି କେ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସଞ୍ଜୀବ ଚୋପ୍ରାଙ୍କୁ କୁହାଯାଇଛି। ଅନୁ ଗର୍ଗଙ୍କୁ କୋଭିଡ୍‌ ସମ୍ପର୍କିତ ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ ଦାୟିତ୍ବ, କ୍ରିଷନ୍ କୁମାରଙ୍କୁ ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ, ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ, ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଯୋଗାଣ ଦାୟିତ୍ବ ଦିଆଯାଇଛି। ବିଶାଲ ଦେବ ଓ ସଚିନ ରାମଚନ୍ଦ୍ର ଯାଦବଙ୍କୁ କରୋନା ପରିଚାଳନାରେ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଏବଂ ଆର୍‌ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟାଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲ, ବି ଏସ୍ ପୁନିଆ, ସୋମେଶ ଉପାଧ୍ୟାୟ, ପି ଅବିନାଶ ରେଡ୍ଡି, ହେମକାନ୍ତ ସାଏ, ଆଇପିଏସ୍‌ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଜେ ଏନ୍ ପଙ୍କଜ ଓ ଅନିରୁଦ୍ଧ କୁମାର ସିଂହଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ସଂପୃକ୍ତ କରାଯାଇଛି।

ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ସହାୟତା କରିବା ନିମନ୍ତେ ଏକ କଲ୍‌ ସେଣ୍ଟର୍‌ ସ୍ଥାପନ କରାଯାଇଛି। ଏହାର ଫଳପ୍ରଦ ପରିଚାଳନା ଦାୟିତ୍ବରେ ତିନି ଜଣ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅମିତାଭ ଠାକୁର, ସଞ୍ଜୀବ ପଣ୍ଡା ଓ ସାର୍ଥକ ଷଡ଼ଙ୍ଗୀ, ଆଇଏଏସ୍‌ ଅଫିସର୍‌ ଦିବାକର ଟି ଏସ୍‌ ଓ ଆଶିଷ ପାଟିଲ୍, ଆଇଏଫ୍‌ଏସ୍‌ ଅଫିସର୍‌ ଜି ରେଘୁଙ୍କୁ ରଖାଯାଇଛି। ଏହା ସହ ରାଜ୍ୟ ୱାରି ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ବ ବଣ୍ଟନ କରାଯାଇଛି। ତେଲେଙ୍ଗାନା ପାଇଁ ୱାଇ ବିଜୟ, ଆନ୍ଧ୍ରପ୍ରଦେଶ ପାଇଁ ବି ପରମେଶ୍ବରନ୍, ପଶ୍ଚିମବଙ୍ଗ ପାଇଁ ଭାସ୍କରଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ନୀତିନ ଜାୱଲେ, ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ, ତାମିଲନାଡ଼ୁ ପାଇଁ ଚିତ୍ରା ଅରୁମୁଗମ୍, ବିହାର ଓ ଝାଡ଼ଖଣ୍ଡ ପାଇଁ ଏମ୍ ସାଦିକ୍ ଆଲାମ, କେରଳ ପାଇଁ ଏମ୍ ମୁଥୁକୁମାର, ନୂଆଦିଲ୍ଲୀ ପାଇଁ ସଞ୍ଜୀବ ମିଶ୍ର ଓ ଅନ୍ୟ ରାଜ୍ୟ ପାଇଁ ଅମିତାଭ ଠାକୁର ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର