ଭୁବନେଶ୍ୱର : ରାଜ୍ୟରେ ବିଜେଡି ସରକାର ଦୀର୍ଘ ୨୨ବର୍ଷ ଧରି ଥିଲେ ବି ରାଜ୍ୟରେ ବେକାରି ସମସ୍ୟା ଦୂର ହେଉନି, ଓଡ଼ିଶାର ଅଭିବୃଦ୍ଧି ଧିମେଇ ଯାଇଛି, ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ବୋଲି ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଏହି ମର୍ମରେ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ୨୨ଟି ପ୍ରଶ୍ନ ପଚାରିଛନ୍ତି।
ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସରେ ୧୦୦୦ କୋଟି ଟଙ୍କାର ମହାଦୁର୍ନୀତି ପଛରେ କିଏ? ସହରାଞ୍ଚଳରେ ଭୂମିହୀନଙ୍କ ପାଇଁ ଜମିପଟ୍ଟା ଆବଣ୍ଟନ ପ୍ରହସନ ନୁହେଁ କି? ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ରୂପାୟନ କିପରି ଚାଲିଛି? ସୀମାବର୍ତୀ ଅଞ୍ଚଳର ସୁରକ୍ଷା କେବେ? ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା କାହିଁକି? ଅପପୁଷ୍ଟି ଓ ଶିଶୁ ମୃତ୍ୟୁର ଅନ୍ତ କେବେ? ଓଡ଼ିଶା ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି? ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାର ଦୂରାବସ୍ଥା କେବେ ଦୂର ହେବ? ମହିଳା ଓ ଶିଶୁଙ୍କୁ ସୁରକ୍ଷା କେବେ ମିଳିବ? ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା ଏବଂ ନିଶା ଜନିତ ଅପରାଧର ବୃଦ୍ଧି ପାଇଁ ଦାୟୀ କିଏ? ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା କାହିଁକି? ଭ୍ରଷ୍ଟାଚାର ପିସି କାରବାରରେ ବଡ଼ବଡ଼ିଆଙ୍କୁ ଆଶୀର୍ବାଦ କ’ଣ ପାଇଁ? ଶକ୍ତି ବିଭାଗର ଚଞ୍ଚକତାରୁ ରାଜ୍ୟବାସୀ କେବେ ମୁକ୍ତ ହେବେ? ଶିକ୍ଷା ବିକାଶରେ ଅବ୍ୟବସ୍ଥା କାହିଁକି? ଡିଏମ୍ଏଫ୍ ପାଣ୍ଠିର ବ୍ୟାପକ ଦୁରୁପଯୋଗ, ମେକ୍ ଇନ୍ ଓଡ଼ିଶା ବିଫଳ ଓ ଶିଳ୍ପ ଓ ଶିଳ୍ପାୟନ ସମସ୍ୟା କାହିଁକି? ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ ମିଳିବ? ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ କେବେ? ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ କ’ଣ ନିଆଯାଇଛି? ବିଜୁ ଯୁବ ବାହିନୀ, ପିଠା ଯୋଜନା ନେଇ ସରକାର ଉତ୍ତର ରଖିବେ କି? ଆମ ଗାଁ, ଆମ ବିକାଶ ଯୋଜନାର ଓ ବିଜୁ ଗାଁ ଗାଡ଼ିର ଅବସ୍ଥା କଣ? ରାଜ୍ୟରେ ବିକଟ ବେରୋଜଗାରୀ ସମସ୍ୟା କେବେ ଦୂର ହେବ? ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନ ମିଳିବାର କାରଣ କ’ଣ? ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ କେବେ ବନ୍ଦ ହେବ? ବିଭିନ୍ନ ନଦୀର ତଳ ମୁଣ୍ଡରେ ଉପଯୁକ୍ତ ବନ୍ୟା ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କେତେ ବର୍ଷ ଲାଗିବ? ହୀରାକୁଦର ତଳ ମୁଣ୍ଡରେ ୫ଟି ଜଳ ଭଣ୍ଡାର ନିର୍ମାଣ ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡ଼ଜେନା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିପଜ୍ୟୋତି ମୁଣ୍ଡ୍, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ ଓ ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।