୨୨ କ୍ବିଣ୍ଟାଲ ମହୁଲ ପୋଚ, ୧୦୦ ଲିଟର ଦେଶୀ ମଦ ଜବତ

ରାଉରକେଲା: ଦିନକ ବ୍ୟବଧାନପରେ ଆଜି ପୁଣି ଦେଶୀ ମଦ ଜବତ ହୋଇଛି। ଦେଶୀ ମଦ ତିଆରି ଓ ବିକ୍ରି କରିବା ଅଭିଯୋଗରେ ରାଉରକେଲା ଅବକାରୀ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ମୁଣ୍ଡା ବସ୍ତିର ସୁକ ସିଂହ(୬୫) ଓ ବାସନ୍ତୀ ସିଂହ(୫୫)। ଅଭିଯୁକ୍ତଙ୍କ ପାଖରୁ ୨୨ କ୍ବିଣ୍ଟାଲ ମହୁଲ ପୋଚ ଓ ଶହେ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ଦେଶୀ ମଦ ଚୋରାଚାଲାଣରେ ବ୍ୟବହୃତ ସ୍କୁଟି(ଓଡି-୧୪-ଏକ୍ସ-୫୪୫୧)କୁ ରାଉରକେଲା ଅବକାରୀ ପୁଲିସ ଜବତ କରିଛି।
ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳରେ ଦେଶୀ ମଦ ତିଆରି ହେଉଥିବା ନେଇ ଅବକାରୀ ବିଭାଗ ଗୁପ୍ତ ସୂଚନା ପାଇଥିଲା। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଅବକାରୀ ପୁଲିସ ଯୋଜନା କରିଥିଲା। ଯୋଜନା ମୁତାବକ ଆଜି ପୂର୍ବାହ୍ନରେ ରଘୁନାଥପଲ୍ଲୀ ପୁଲିସ ସହଯୋଗରେ ମୁଣ୍ଡା ବସ୍ତିରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଦୁଇ ଅଭିଯୁକ୍ତ ମଦ ବିକ୍ରି‌ରେ ବ୍ୟସ୍ତ ଥିଲେ। ଘଟଣାସ୍ଥଳରୁ ଉଭୟଙ୍କୁ କାବୁ କରାଯାଇଛି। ପ୍ରକାଶଥାଉକି, ଗତ ଶୁକ୍ରବାର ଦିନ ମଧ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୪୧ କ୍ବିଣ୍ଟାଲ ମହୁଲ ପୋଚ ଓ ୨୬୦ ଲିଟର ଦେଶୀ ମଦ ଜବତ ହୋଇଥିଲା। ଏହାସହ ଲାଠିକଟା ଥାନା ଅନ୍ତର୍ଗତ ସୋନାପର୍ବତର ସନାତନ ଭୂମିଜ(୪୧) ଓ ପ୍ରେମିକା ଲୋହାର(୩୪)ଙ୍କୁ ଗିରଫ କରାଯାଇଥିଲା।
ସମ୍ବନ୍ଧିତ ଖବର