ମହଙ୍ଗା ପଡ଼ିଲା ଭିମ୍‌ସାର୍‌ର ବାର୍ଷିକୋତ୍ସବ, ୨୨ ଛାତ୍ରଛାତ୍ରୀ କୋଭିଡ୍‌ ପଜିଟିଭ୍‌

ସମ୍ବଲପୁର : ଗତ ୧୩ ଓ ୧୪ ତାରିଖ ୨ ଦିନ ଧରି ଭିମସାର୍‌ ସ୍ନାତକ ଛାତ୍ରସଂସଦର ବାର୍ଷିକ ଉତ୍ସବ ‘ଉତ୍କର୍ଷ-୨୦୨୧’ ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି ହଜାରେ ଛାତ୍ରଛାତ୍ରୀ ଉତ୍ସବ ପାଳନରେ ମସଗୁଲ ହୋଇଥିଲେ। ଅଧିକାଂଶଙ୍କ ମୁହଁରେ ମାସ୍କ ନଥିଲା। ସାମାଜିକ ଦୂରତା କଥା ତ ସମସ୍ତେ ଭୁଲି ଯାଇଥିଲେ। ମଉଜମଜଲିସ୍ ଓ ଉତ୍ସବ ପାଳନ ବେଳେ କୋଭିଡ୍‌ କଟକଣା କଥା ସଂପୂର୍ଣ୍ଣ ଭୁଲି ଯାଇଥିଲେ ଏହି ସ୍ବାସ୍ଥ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଭବିଷ୍ୟତର ଡାକ୍ତରମାନେ। ପିଲାଙ୍କ ଏହି ଅମାନିଆଁ କାମକୁ ଆଖିରେ ଦେଖିଥିଲେ ବି ନିରବ ରହିଥିଲେ ତାଙ୍କର ଶିକ୍ଷକ ଓ ବରିଷ୍ଠମାନେ। ସପ୍ତାହେ ପରେ ଭିମ୍‌ସାର୍‌ର ଜଣେ କି ଦୁଇଜଣ ନୁହନ୍ତି ଏକାଥରକେ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପଜିଟିଭ୍‌ଙ୍କ ମଧ୍ୟରେ ସବୁ ବର୍ଷର ଛାତ୍ରଛାତ୍ରୀ ରହିଛନ୍ତି।

The Verge

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ। ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ। ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ଆହୁରି ଅନେକ ଛାତ୍ରଛାତ୍ରୀ ବି ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି। ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ‌ଅନୁମତି କିଭଳି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି। ସମ୍ବଲପୁର ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିଲା ବେଳେ ଏହି ଡାକ୍ତରୀ ଛାତ୍ରଛାତ୍ରୀମାନେ ତୃତୀୟ ଲହରର ଅଗ୍ରଦୂତ ସାଜିବେ ନାହିଁ ‌ତ ବୋଲି ବହୁ ବୁଦ୍ଧିଜୀବୀ ଆଶଂକାବ୍ୟକ୍ତ କରିଛନ୍ତି।

ଏ ସଂପର୍କରେ ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେରଙ୍କୁ ପଚାରିବାରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ପଜିଟିଭ୍‌ ହୋଇଥିବା କଥା ସ୍ବୀକାର କରିଛନ୍ତି। ବାର୍ଷିକ ଉତ୍ସବରୁ ଏହି ସଂକ୍ରମଣ ବ୍ୟାପିଥିବା ବି ଡା. ମେହେର ମାନିଛନ୍ତି। ତେବେ ପିଲାଙ୍କୁ ଏଥି ପାଇଁ ଅନୁମତି କାହିଁକି ଦିଆଗଲା ବୋଲି ପ୍ରଶ୍ନ କରିବାରୁ ପରିବର୍ତ୍ତିତ ନିୟମାବଳୀରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ରହିଥିବା ସେ ପ୍ରକାଶ କରିଥିଲେ। ସେହିପରି ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ ମୋହନ ନାୟକଙ୍କୁ ପଚାରିବାରୁ ସେ ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ଏକାନ୍ତବାସରେ ରଖାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର