ଲଘୁଖଣିଜ ପରିଚାଳନାରେ ଅନିୟମିତତା: କାଠଗଡ଼ାରେ ୨୨ ତହସିଲଦାର
ଜନସାଧାରଣଙ୍କୁ ଜରୁରୀ ସେବା ଯୋଗାଇବାରେ ତହସିଲଗୁଡ଼ିକ ବିଫଳ
ଯାଜପୁର : ଲଘୁଖଣିଜ ସମ୍ପଦ କେଳେଙ୍କାରୀକୁ ନେଇ ରାଜସ୍ବ ବିଭାଗ ନାକେଦମ୍। ଲଘୁଖଣିଜ ସମ୍ପଦ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପାଇଁ ତହସିଲଦାର ଓ ତାଙ୍କ ସହଯୋଗୀମାନେ ଫସିବାରେ ଲାଗିଛନ୍ତି। ଯାଜପୁର ଜିଲ୍ଲାର ୨ଟି ତହସିଲର ୨୨ଜଣ ତହସିଲଦାର ଏହି କେଳେଙ୍କାରୀରେ ଫସିଛନ୍ତି।
ଲଘୁ ଖଣିଜ ସମ୍ପଦରେ ଯାଜପୁର ଜିଲ୍ଲା ଭରପୁର । ଜିଲ୍ଲାର ତହସିଲଗୁଡ଼ିକ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବାରୁ ଦୂରେଇ ଯାଇ ଲଘୁ ଖଣିଜ ବ୍ୟବସାୟରେ ମାତିଛନ୍ତି। ପରିସ୍ଥିତିକୁ ଠିକଣା ଢଙ୍ଗରେ ନିୟନ୍ତ୍ରଣ କରିପାରୁନଥିବା ଅଧିକାରୀମାନେ ମଧ୍ୟ ବିଭିନ୍ନ ସମୟରେ ବାଲି ଓ ପଥର ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନ୍ୟ କେତେକ ଅଧିକାରୀ ଆଇନ୍ର ଗଳାବାଟରେ କୋଟିପତି ଲଘୁଖଣିଜ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କାଠଗଡ଼ାରେ ଠିଆ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ଅନ୍ୟତମ ଧନୀ ତହସିଲ ଧର୍ମଶାଳାର କଳାପଥର କେଳେଙ୍କାରୀ ତଦନ୍ତ ପରିସରଭୁକ୍ତ ହୋଇଥିବା ବେଳେ ଜିଲ୍ଲା ସଦର ମହକୁମା ଯାଜପୁର ତହସିଲର ରୟାଲଟି ଅର୍ଥ ଚଳୁ କରି ଅଧିକାରୀ ଓ କର୍ମଚାରୀ ଅଡିଟ୍ରେ ଧରାପଡ଼ିଛନ୍ତି। ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ର ୫୮କୋଟି ୬୨ଲକ୍ଷ ଟଙ୍କା କଳାପଥର କେଳେଙ୍କାରୀ ମାମଲାରେ ୧୦ଜଣ ତହସିଲଦାର, ୬ଜଣ ଉପଜିଲ୍ଲାପାଳ ଓ ୧୦ ଆରଆଇଙ୍କ ବିଚାର ଚାଲିଛି। ଏହି ତହସିଲର ଆରୁହା ପାହାଡ଼ରେ ୧୦କୋଟି ଟଙ୍କା ଜରିମାନା ମାମଲାରେ ୪ଜଣ ତହସିଲଦାର ଓ ୨ଜଣ ଆରଆଇଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ଯାଜପୁର ତହସିଲର ୪କୋଟି ୯୪ଲକ୍ଷ ଟଙ୍କା ରାଜସ୍ବ ହଡ଼ପ ଘଟଣାରେ ୮ ତହସିଲଦାରଙ୍କ ସମେତ ୨୧ କର୍ମଚାରୀ ଫସିଛନ୍ତି।
ଜିଲ୍ଲାର ହଜାର ହଜାର ଭୂମିହୀନ ପରିବାରକୁ ଆଜି ପର୍ଯ୍ୟନ୍ତ ବସୁନ୍ଧରା ଯୋଜନାରେ ଘରଢିହ ଯୋଗାଇବାରେ ତହସିଲଗୁଡ଼ିକ ବିଫଳ ହୋଇଛନ୍ତି। ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ବି ଯାଜପୁର ଜିଲ୍ଲାରେ ବିଫଳ ହୋଇଛି। ୧୨ବର୍ଷ ହୋଇଗଲା ହଜାର ହଜାର ଭୂମିହୀନ ପରିବାର ଜମି ଖଣ୍ଡେ ପାଇ ପାରିଲେ ନାହିଁ। ଘର ପାଇଁ ଅତ୍ୟାବଶ୍ୟକ ଜମି ନଥିବାରୁ ସରକାରୀ ଆବାସ ହୋଇନପାରି ଫେରିଯାଉଛି। ଅପରପକ୍ଷରେ, ଭୂମିହୀନ ହଜାର ହଜାର ଗରିବ ପରିବାର ଭଙ୍ଗା କୁଡ଼ିଆରେ ପଡ଼ିରହିଛନ୍ତି। ତହସିଲ ପ୍ରଶାସନ ମୁଖ୍ୟତଃ ଲଘୁ ଖଣିଜ ସମ୍ପଦ କାରବାରରେ ମାତିଛନ୍ତି। ରାଜସ୍ବ ଆଦାୟ ନାମରେ ସରକାରୀ ଭୂସମ୍ପତ୍ତିକୁ ଲଘୁ ଖଣିଜ ବେପାରୀଙ୍କ ହାତରେ ଟେକି ଦେବାକୁ ପଛାଉନାହାନ୍ତି। ପରିବେଶ ନଷ୍ଟ ସହିତ ହଜାର ହଜାର କୋଟି ଟଙ୍କାର ସରକାରୀ ଭୂସମ୍ପତ୍ତି ପରିତ୍ୟକ୍ତ ହେବାରେ ଲାଗିଛି। ବିକାଶ ନାମରେ ସବୁ ଆଇନକୁ ଦଳିମକଚି ଦିଆଯାଉଛି। ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ମଧ୍ୟ ଲଘୁ ଖଣିଜ କାରବାର ମୁଖ୍ୟ ଭୂମିକା ଗ୍ରହଣ କରିଛି। ଖଣି ବିଭାଗ ଭଳି ଲଘୁଖଣିଜ ପରିଚାଳନା ପାଇଁ ସ୍ବତନ୍ତ୍ର ବିଭାଗର ଆବଶ୍ୟକତା ଜରୁରି ହୋଇପଡ଼ିଛି ବୋଲି କେତେକ ଅଭିଜ୍ଞ ଅଧିକାରୀ ମତବ୍ୟକ୍ତ କରିଛନ୍ତି।