ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଦୁର୍ଘଟଣା ପ୍ରବଣ ହୋଇଥିବା ବେଳେ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ୧୦ ନମ୍ବର ରାଜ୍ୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ୱେରେ ବାରମ୍ବାର ଦୁର୍ଘଟଣା ଘଟିଥାଏ। ଝାରସୁଗୁଡ଼ା ସହର ମଧ୍ୟରେ ଥିବା ପ୍ରସନ୍ନ ପଣ୍ଡା ଛକ, ବଡ଼ମାଳ ବିଜୁ ପଟ୍ଟନାୟକ ଛକ ଓ ତାଲପଟିଆ ଛକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ। ଏହି ରାସ୍ତାରେ ଟ୍ରକ୍ ଚଳାଚଳ ଅଧିକ ସଂଖ୍ୟାରେ ହେଉଥିବା ବେଳେ ଶତାଧିକ ଟ୍ରକ ରାସ୍ତା କଡ଼ରେ ପାର୍କିଂ କରିଥିବାରୁ ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାଏ। ରାସ୍ତା କଡ଼ ପାର୍କିଂ ନିଷେଧ କରିବା ପାଇଁ ଅତୀତରେ ଅନେକ ଥର ବୈଠକମାନ ବସି ଏହା ଉପରେ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ହେଉଥିଲେ ମଧ୍ୟ କେବେ କାର୍ଯ୍ୟକାରୀ କରାଯାଏ ନାହିଁ।
ତେବେ ସୋମବାର ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଏସ୍ପି ବିକାଶ ଚନ୍ଦ୍ର ଦାଶଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ରାସ୍ତାରେ ବେଆଇନ ପାର୍କିଂ ଉପରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜିଲ୍ଲା ପରିବହନ ଅଧିକାରୀ ଦିନବନ୍ଧୁ ସୁଣ୍ଢି, ଏମ୍ଭିଆଇ ଜନ୍ମେଜୟ ନାୟକ, ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡା ରାସ୍ତା କଡ଼ ପାର୍କିଂ ଉପରେ ଚଲାଣ କାଟିଥିଲେ। ଏଥିରେ ବଡ଼ମାଲ ଥାନା ଅଧୀନ ଓ ତାଲପଟିଆ ଫାଣ୍ଡି ଅଧୀନ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୨୨ଟି ଟ୍ରକ୍ ଉପରେ ୨୦ ହଜାର ଟଙ୍କା ଲେଖାଁଏ ଜରିମାନା କରାଯାଇଥିଲା। ଏଥିରେ ମୋଟ ୨ ଲକ୍ଷ ୪୦ ହଜାର ଟଙ୍କା ଆଦାୟ ହୋଇଥିବା ଆଇଆଇସି ଶ୍ରୀ ପଣ୍ଡା ଜଣାଇଛନ୍ତି। ଆଗାମୀ ଦିନରେ ଏହି ଅଭିଯାନ ଜାରି ରହିବ ବୋଲି ଆର୍ଟିଓ ଶ୍ରୀ ସୁଣ୍ଡି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/trucks.jpg)