ନାବାଳିକା ଦୁଷ୍କର୍ମକାରୀକୁ ୨୨ ବର୍ଷ ଜେଲ୍‌

ବାଲେଶ୍ବର: ବାଲେଶ୍ବର ପୋକ୍‌ସୋ ଅଦାଲତ ର ସ୍ବତନ୍ତ୍ର ବିଚାରପତି ରଞ୍ଜନ କୁମାର ସୂତାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ମନୋଜ କୁମାର ବେହେରାକୁ ୨୨ ବର୍ଷ ଜେଲଦଣ୍ତ ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥିସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

୨୦୨୦ ମସିହା ଜୁଲାଇ ୯ ତାରିଖରେ ଜଳେଶ୍ବର ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ସାବତ ବାପା ମନୋଜ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଥାନା କେସ୍ ନଂ ୨୩୭/୨୦ରେ ମାମଲା ରୁଜୁ ହୋଇଥିବାବେଳେ ମନୋଜକୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ। ପରେ ଏହି ମାମଲା ବାଲେଶ୍ବର ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ବିଚାରାଧୀନ ଥିଲା। ଆଜି ଅପରାହ୍ନଣରେ ବିଚାରପତି ଶ୍ରୀ ସୂତାର ଚୂଡ଼ାନ୍ତ ଶୁଣାଣି କରି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଇପିସି ୩୭୬, ଧାରା (ଏ)(ବି) ଓ ପୋକ୍‌ସୋ ଆଇନ୍‌ ଧାରା ୬ରେ ମନୋଜକୁ ଦୋଷୀ ସାବ୍ୟସ୍ତ କରି ୨୨ ବର୍ଷ ଜେଲଦଣ୍ତ ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ତା ମାମଲା ପରିଚାଳନା କରୁଥିଲେ। ସୂଚନାଥାଉକି, ମାମଲାର ଗୁରୁତ୍ବ ଦୃଷ୍ଟିରୁ ପୁଲିସ ଏହାକୁ ରେଡ୍‌ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ କରିଥିଲା।

ସମ୍ବନ୍ଧିତ ଖବର