ଭୁବନେଶ୍ବର : ମହାବାତ୍ୟାକୁ ୨୨ ବର୍ଷ ପୁରିଛି । ଏହା ଭିତରେ ଓଡ଼ିଶା ଆହୁରି ଅନେକ ବାତ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ୧୯୯୯ ଅକ୍ଟୋବର ୨୯ରେ ଆସିଥିବା ପ୍ରଳୟଙ୍କରୀ ମହାବାତ୍ୟାର ଧ୍ବଂସଲୀଳାକୁ ଏପର୍ଯ୍ୟନ୍ତ ବି ଲୋକମାନେ ଭୁଲିପାରିନାହାନ୍ତି । ଓଡ଼ିଶାକୁ ୯୯ ମହାବାତ୍ୟା ଯେପରି ପ୍ରଭାବିତ କରିଛି, ଅନ୍ୟ କୌଣସି ପ୍ରାକୃତିକ ଦୁର୍ବିପାକ ସହ ତାହାର ତୁଳନା ନାହିଁ ।

Advertisment

ସରକାରୀ ତଥ୍ୟ ଅନୁସାରେ ଏହି ମହାବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରାୟ ୯୮୮୭ ଜଣ ମୃତ୍ୟୁବରଣ କରିଥିଲେ । କିନ୍ତୁ ବେସରକାରୀ ହିସାବ ଅନୁସାରେ ମୃତ୍ୟୁସଂଖ୍ୟା ଆହୁରି ଅନେକ ଅଧିକ ହେବ ବୋଲି କୁହାଯାଏ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା । ୨୨ ବର୍ଷ ବିତିଯାଇଥିଲେ ବି ଏ ଅଞ୍ଚଳରେ ପ୍ରଳୟର ଚିହ୍ନ ଏବେ ବି ତାଜା ରହିଛି ।

୧୯୯୯ ମହାବାତ୍ୟା ପରେ ଓଡ଼ିଶା ଆହୁରି ଅନେକ ପ୍ରଳୟଙ୍କରୀ ବାତ୍ୟାର ସମ୍ମୁଖୀନ ହୋଇଛି ।  ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତିଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ପାନ ଓ ଚଳିତ ବର୍ଷ ଆସିଥିଲା ୟାସ୍ । ମହାବାତ୍ୟାରେ ମିଳିଥିବା ଶିକ୍ଷା ଆମକୁ ଏସବୁ ବାତ୍ୟାର ମୁକାବିଲା କରିବାକୁ ସହାୟକ ହୋଇଛି ।  ମହାବାତ୍ୟା ସମୟରେ ବାତ୍ୟା ପୂର୍ବାନୁମାନ କ୍ଷେତ୍ରରେ ଭାରତ ସେତେଟା ଆଗୁଆ ନଥିଲା । କିନ୍ତୁ ଏବେ ଏହି ଟେକନଲୋଜୀ କ୍ଷେତ୍ରରେ ବହୁତ ଅଗ୍ରଗତି ଆସିଛି । ସଠିକ ପୂର୍ବାନୁମାନ ଯୋଗୁଁ ହିଁ ବାତ୍ୟାଜନିତ ଜୀବନହାନୀକୁ ସୀମିତ କରାଯାଇପାରୁଛି । ଆହୁରି ମଧ୍ୟ ମହାବାତ୍ୟାର ଧ୍ବଂସସ୍ତୁପରୁ ଉପରକୁ ଉଠି ଆଜି ଓଡ଼ିଶା ବାତ୍ୟା ମୁକାବିଲା କ୍ଷେତ୍ରରେ ସମଗ୍ର ବିଶ୍ବରେ ଏକ ଅନୁକରଣୀୟ ରାଜ୍ୟରେ ପରିଣତ ହୋଇଛି । ବାତ୍ୟାର ସଠିକ ପୂର୍ବାନୁମାନ ଓ ପ୍ରଭାବୀ ମୁକାବିଲା କୌଶଳ ଫଳରେ ବାତ୍ୟାରେ ଜୀବନହାନୀକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରୁଛି । ଏହା ସହିତ ବାତ୍ୟା ପରେ ଲୋକଙ୍କ ଉଦ୍ଧାର ଓ  ଯଥାଶୀଘ୍ର ସ୍ଥିତିକୁ ସ୍ବାଭାବିକ କରିବା କ୍ଷେତ୍ରରେ ଓଡ଼ିଶାର ଓଡ୍ରାଫ ଓ କେନ୍ଦ୍ରର ଏନଡିଆରଏଫର ଦକ୍ଷତା ବିଶ୍ବସ୍ତରୀୟ ହୋଇପାରିଛି ।