ମାଟିତଳୁ ବାହାରିଲା ୨୨୦ ବସ୍ତା ବିସ୍ଫୋରକ

ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ କୋଉଠୁ ଆସିଲା?

ଯାଜପୁର/ଚଢ଼େଇଧରା : ଧର୍ମଶାଳା ତହସିଲ ଅଧୀନସ୍ଥ କଳାପଥର ପାହାଡ଼ ଅଞ୍ଚଳରେ ବ୍ୟାପକ ବେଆଇନ୍ ବିସ୍ଫୋରକ କାରବାର ଉପରୁ ପରଦା ହଟିବାରେ ଲାଗିଛି। ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ଚଢ଼ଉ ବେଳେ ମାଟି ତଳୁ ୨୨୦ ବସ୍ତା ଆମୋନିୟମ୍‌ ନାଇଟ୍ରେଟ୍‌ ମିଳିଛି। ଏହାର ୩ ଦିନ ପୂର୍ବରୁ ୨ଟି ବେଆଇନ୍ ଗୋଦାମରୁ ମଧ୍ୟ ବ୍ୟାପକ ବି‌ସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ମାତ୍ର ଆଜିପର୍ଯ୍ୟନ୍ତ ଏହି ଘଟଣାରେ ସ୍ଥାନୀୟ ପୁଲିସ କାହାରିକୁ ଗିରଫ କରିନାହିଁ।

ଗତ ୩ ତାରିଖ ରାତିରେ ବେଆଇନ୍ ଗୋଦାମରେ ଚଢ଼ଉ କରି ବ୍ୟାପକ ବିସ୍ଫୋରକ ଜବତ କରିବାପରେ ଗତକାଲି ରାତିରେ ଲୁଣିବାରି ମୌଜା ଗଙ୍ଗେଇ-ଡୁବୁରି ପାହାଡ଼ରେ ଲିଜ୍‌ ସୈରାତ ନିକଟ ମାଟି ତଳୁ ବିସ୍ଫୋରକ ଜବତ କରାଯାଇଛି। ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଟିଖୋଳି ଦେଢ଼ଶହ ବସ୍ତା ଆମୋନିଆ ନାଇଟ୍ରେଟ ଜବତ କରାଯାଇଥିଲା। ରାତିରେ ପୁଲିସ ପାଟ୍ରୋଲିଂ କରିଥିଲେ। ପୁଣି ଆଜି ସକାଳୁ ଅନ୍ୟ ଏକ ଜାଗାରେ ସେହି ପାହାଡ଼ରେ ଖୋଳିବାରୁ ୭୦ବସ୍ତା ଆମୋନିୟମ୍‌ ନାଇଟ୍ରେଟ ବାହାରିଥିଲା। ତେବେ ଏହି କାରବାର ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚି ପାରିନାହିଁ । ଏପିରିକି, ଚୋରା ବାରୁଦ ବ୍ୟବସାୟୀକୁ ଏଯାଏ ପୁଲିସ ଚିହ୍ନଟ କରିପାରିନାହିଁ।

ସେହିପରି ଗଙ୍ଗ‌େଇ-ଡୁବୁରି ପାହାଡ଼ରେ ଥିବା ଦୁଇଟି ଲୁହା କ୍ୟାବିନରେ ବିସ୍ଫୋରକ ଥିବା ସନ୍ଦେହ କରି ମଙ୍ଗଳବାର ରାତିରେ ପୁଲିସ ଜଗିଥିଲା। ବୁଧବାର ଅପରାହ୍‌ଣରେ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ୍ ଦେବୀପ୍ରସାଦ ମହାନ୍ତିଙ୍କ ଉପସ୍ଥିତରେ ଖୋଲାଯାଇଥିଲା। ମାତ୍ର ସେଥିରୁ କିଛି ମିଳି ନଥିଲା। ଏହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟିହୋଇଛି। ଫେରାର ଥିବା ବାରୁଦ ବେପାରୀ ରଘୁନାଥ ସାହୁଙ୍କ କର୍ମଚାରୀଙ୍କୁ ଜେରା କରିବା ସହ ସେଲ୍ ରେଜିଷ୍ଟର ଯାଞ୍ଚ କଲେ ବାରୁଦ ନେଇଥିବା ଲିଜ୍‌ଧାରୀଙ୍କ ନlମ ଜଣାପଡ଼ିବ ବୋଲି କୁହାଯାଉଛି। ଜବତ ବିସ୍ଫୋରକ ସାମଗ୍ରୀକୁ ନିକଟରେ ଥିବା ଅନୁମତିପ୍ରାପ୍ତ ବାରୁଦ ଗୋଦାମକୁ ପଠାଇ ଦିଆଯାଇଛି। ଜବତ ବସ୍ତା ଉପରେ ବ୍ୟାଚ ନମ୍ବର ରହିଛି।

ଅନ୍ୟପକ୍ଷରେ, ବେଆଇନ ବାରୁଦ ରଖିଥିବା ବ୍ୟବସାୟୀ ରଘୁନାଥ ସାହୁ ଓ ରଙ୍ଗାଧର ପ୍ରଧାନ କାହାଠୁ କିଣିଥିଲେ? ବ୍ୟବସାୟୀ ରଘୁନାଥ ଠାରୁ କିଏ କିଏ ନେଇଛନ୍ତି? ତାହାର ତଦନ୍ତ ଆବଶ୍ୟକ । ଏବେ ବି ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ବିଭିନ୍ନ ଜାଗାରେ ଲୁଚାଇ ରଖାଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର